ମହାକାଳପଡ଼ା,୧୮/୦୫,- କରୋନା କାହାଣୀର ତାଲିକା ଧିରେ ଧିରେ ଲମ୍ବି ଚାଲିଛି । କିଭଳି କରୋନା କଲବଲ କରିପକାଏ ପରିବାରକୁ, କିଭଳି ସାନ୍ଦି ହୋଇଯାଆନ୍ତି ପରିବାର ଲୋକେ । ଯାହାକି ମହାକାଳପଡ଼ା ପଂଚାୟତ କିଆରବାଙ୍କରେ ଦେଖିବାକୁ ମିଳିଛି । କିଆରବାଙ୍କ ଗ୍ରାମର ରଞ୍ଜନ ବାରିକ (୫୪) । ଶିକ୍ଷାଗତ ଯୋଗ୍ୟତା ଦଶମ ପାସ୍ । ୧୯୯୧ ମସିହାରୁ ପରିବାର ଚଳାଇବା ପାଇଁ ଜାମ୍ମୁରେ ପାଣି ପାଇପ୍ରେ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ୨୦୧୩ ମସିହା ପର୍ଯ୍ୟନ୍ତ ସେଠାରେ ରହୁଥିଲେ । ପରେ କ୍ରମଶଃ ଜାମ୍ମୁ ଅଶାନ୍ତ ହୋଇଯିବା ଯୋଗୁ ସପରିବାରେ ୨୦୧୩ ମସିହାରେ ଆସି ହରିଆନାର ଗୁରୁଗାଓଁର ସମସପୁର ସେକ୍ଟର-୫୧ରେ ରହୁଥିଲେ । ସୁପରଭାଇଜର ଭାବେ ନିମ୍ବସ୍ କମ୍ପାନୀରେ କାମ କରି ମାସିକ ୨୨ହଜାର ଟଙ୍କା ଦରମା ଆକାରରେ ପାଉଥିଲେ । ତା ପରେ ଘରକୁ ବୁଲିଆସିଥିଲେ ଗତ ୨୦୨୦ ସରସ୍ୱତୀ ପୂଜାରେ । ଘରୁ ଚାକିରୀ କ୍ଷେତ୍ରକୁ ବାହାରିବା ବେଳେ ଆରମ୍ଭ ହୋଇଗଲା କରୋନା କଟକଣା । ବସ୍ ବନ୍ଦ, ଟ୍ରେନ୍ ବନ୍ଦ । କମ୍ପାନୀରେ ବି ତାଲା ପଡ଼ିଲା । ସେବେଠାରୁ କମ୍ପାନୀର କାମ କ୍ରମଶଃ ହ୍ରାସ ପାଇଲା । ପୁଣି କମ୍ପାନୀ କାମ ଆରମ୍ଭ କରିବାକୁ ସଜବାଜ ହେଲାବେଳକୁ ପୁଣି ମାଡ଼ି ଆସିଲା କରୋନାର ଦ୍ୱିତୀୟ ଲହରୀ । ଏଥିରେ ରଞ୍ଜନ କାମ କରିବାକୁ ଯାଇପାରିଲେ ନାହିଁ । ସେବେଠାରୁ ଗାଁ ଗାଁ ବୁଲି ପରିବା ବିକି ପରିବାର ଚଳାଉଛନ୍ତି । ପିଲାମାନଙ୍କର ପାଠପଢ଼ା । ବାପମାଙ୍କର ଯାବତୀୟ ଖର୍ଚ୍ଚ ଆଉ ବହନ କରିବା ରଞ୍ଜନ ପକ୍ଷେ କଷ୍ଟକର ହୋଇପଡ଼ୁଛି । ରଞ୍ଜନର କହିବା କଥା ଏବେ ଦିନକୁ କେଉଁଦିନ ୨୦୦ କେଉଁଦିନ ୩୦୦ କେଉଁ ଦିନ ମଧ୍ୟ ୧୦୦ ଟଙ୍କା ରୋଜଗାର ହେଉଛି । ଏଥିରେ କେମିତି ମୁଁ ୯ ଜଣ ପରିବାରକୁ ଚଳାଇବି । ଜମିବାଡ଼ି କହିଲେ ମାତ୍ର ୧୯ ଗୁଣ୍ଠ । କରୋନା ଆମ ପରିବାର ମୁହଁରୁ ଆହାର ଛଡ଼ାଇ ନେଲା । ଗାଁ ଗାଁ ବୁଲିି ପରିବା ବିକି ଆଉ କେତେଦିନ ଏ କଷଣର ବୋଝକୁ ମୁଣ୍ଡାଇ ଚାଲିବି । ଆମ ଭଳିଆ ଗରିବ ଗୁରୁବା ପରିବାରକୁ ସରକାର ସ୍ୱତନ୍ତ୍ର ପ୍ୟାକେଜ୍ରେ ଅନ୍ତର୍ଭୁକ୍ତ କରିବା ପାଇଁ ରଞ୍ଜନ ଦାବି କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଏହିକିଯେ, ରଞ୍ଜନ ଭଳି ଅନେକ ଗରିବ ଗୁରୁବା ଯେଉଁମାନେ କଳକାରଖାନାରେ କାମ କରି ପିଲାଛୁଆଙ୍କ ଭବିଷ୍ୟତ ଗଢ଼ିବା ସ୍ୱପ୍ନ ଦେଖିଥ୍ôଲେ ସେମାନଙ୍କ ଅଶା ଧୂଳିସାତ କରିଦେଇଛି କରୋନା
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |