କେନ୍ଦ୍ରାପଡ଼ା ,୧୬ା୩ : ପରୀକ୍ଷାରୁ ଫେରୁଥିବା ବେଳେ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ। ମାଟ୍ରିକ ପରୀକ୍ଷା ସାରି ଘରକୁ ଫେରୁଥିବା ବେଳେ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ କରାଯାଇଛି । ତେବେ କୌଶଳ କ୍ରମେ ଛାତ୍ରୀ ଜଣକ ଗାଡି କାଚ ଭାଙ୍ଗି ଖସିଯିବାରେ ସଫଳ ହୋଇଥିଲେ । ହେଲେ ଖସିଯିବା ସମୟରେ ଦୁର୍ବୁତ୍ତମାନେ ଛାତ୍ରୀକୁ ବ୍ଲେଡରେ ଆକ୍ରମଣ କରିବାରୁ ଛାତ୍ରୀଙ୍କ ହାତ ଓ ବେକରେ କ୍ଷତ ସୃଷ୍ଟି ହୋଇଛି । କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ମନ୍ମଥନାଥ ହାଇସ୍କୁରେ ପରୀକ୍ଷା ଦେଇ ଫେରୁଥିବା ବେଳେ ଆଜି ଛାତ୍ରୀଙ୍କୁ ଅପହରଣ ଉଦ୍ୟମ ହୋଇଥିଲା । ଛାତ୍ରୀଙ୍କୁ କାରରେ ଉଠାଇ ନେବା ବେଳେ ଦୁର୍ବୃତ୍ତଙ୍କ ସହ ଛାତ୍ରୀଙ୍କ ଧସ୍ତାଧସ୍ତି ହୋଇଥିଲା । ଦୁର୍ବୃତ୍ତଙ୍କ କବଳରୁ ମୁକୁଳିବା ବେଳେ ଛାତ୍ରୀଙ୍କୁ ବ୍ଲେଡ୍ ମାଡ଼ କରାଯାଇଛି । ବ୍ଲେଡ୍ ମାଡ଼ରେ ଛାତ୍ରୀ ଜଣକ ଗୁରୁତର ହୋଇପଡିଥିଲେ ।ବ୍ଲେଡ୍ ମାଡ଼ ପରେ ଯନ୍ତ୍ରଣାରେ ଛଟପଟ ହେବା ସହ ଚିତ୍କାର କରିଥିଲେ ଛାତ୍ରୀ ଜଣକ । ଆଉ ତାଙ୍କ ପାଟି ଶୁଣି ଘଟଣାସ୍ଥଳରେ ରୁଣ୍ଡ ହୋଇ ଯାଇଥିଲେ ଲୋକେ । ଆକ୍ରମଣର ଶିକାର ହେବା ପରେ ଛାତ୍ରୀ ଜଣକ ସଂଜ୍ଞାହୀନ ଅବସ୍ଥାରେ ପଡି ଯାଇଥିଲେ । ତାଙ୍କୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ମେଡିକାଲରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ । ଚିକିତ୍ସା ପରେ ଛାତ୍ରୀ ସୁସ୍ଥ ଥିବା ଜଣାପଡିଛି । ଅପହରଣ ନେଇ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହୋଇଥିବାବେଳେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |