ପାରାଦୀପ: ପାରାଦୀପରେ ବେଳକୁ ବେଳ ବିଗୁଡୁଛି ସ୍ଥିତି । ଆଜି ଦିନସାରା ମୂଷଳଧାରାରେ ବର୍ଷା ଲାଗିରହିଥିବା ବେଳେ ସନ୍ଧ୍ୟା ପରଠୁ ପବନର ବେଗ ବଢିଛି । ତୁହାକୁ ତୁହା ବର୍ଷା ସାଙ୍ଗକୁ ଜୁଆରିଆ ସମୁଦ୍ର ତଳିଆ ଅଞ୍ଚଳ ଲୋକଙ୍କ ନିଦ ହଜାଇ ଦେଇଛି । ବାତ୍ୟାର ପ୍ରାରମ୍ଭିକ ପ୍ରକୋପରେ ଆଜି ଅପରାହ୍ନରେ ନେହରୁ ବଙ୍ଗଳା ରାସ୍ତା ଓ କଂସାରିପାଟିଆ ଅଞ୍ଚଳରେ କିଛି ବଡ଼ ଗଛ ଉପୁଡ଼ି ପଡ଼ିଥିଲା । ଷଣ୍ଢକୁଦ ବସ୍ତିରେ ଏକାଧିକ ଝୁମ୍ପୁଡ଼ି ଘରର ଛପର ଉଡ଼ିଯାଇଥିଲା । ନିରାଶ୍ରୟମାନଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ପୌରପାଳିକାର ତିନୋଟି ୱାର୍ଡକୁ ନେଇ ଗଠିତ ଷଣ୍ଢକୁଦ ବସ୍ତି ସଂପୂର୍ଣ୍ଣ ଅନ୍ଧାରରେ ରହିଛି । ପବନ ପାଇଁ ଲାଇନ୍ କଟାଯାଇଥିବା କଥା କୁହାଯାଉଥିବା ବେଳେ ବସ୍ତି ବାସିନ୍ଦାଙ୍କୁ ସ୍ଥାନାନ୍ତର ହେବା ପାଇଁ ବାଧ୍ୟ କରିବାକୁ ପ୍ରଶାସନ ବିଜୁଳି କାଟିଥିବା ଗୁଜବ ଖେଳୁଛି ।
ଢିଙ୍କିଆ ଅଞ୍ଚଳରେ ସମୁଦ୍ର କୂଳକୁ ଲାଗି ରହିଥିବା କିଛି ପାନ ବରଜ ଭାଙ୍ଗିଥିବା ଖବର ମିଳିଛି । ସମୁଦ୍ର ପାଣି କୂଳ ଆଡ଼କୁ ମାଡ଼ି ନଆସିଥିଲେ ବି ଢେଉ ଅଧିକ ଉଚ୍ଚରେ ଆସୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ରହିଛନ୍ତି । ମଧ୍ୟରାତ୍ରି ସୁଦ୍ଧା ଜଗତସିଂହପୁର ଜିଲ୍ଲାର ଅନେକ ସ୍ଥାନରେ ବର୍ଷା ଓ ପବନର ବେଗ ବଢିବା ଆରମ୍ଭ ହୋଇଛି । ଜିଲ୍ଲା ପ୍ରଶାସନ ପାଖାପାଖି ୧୬ ହଜାର ୮୭୧ ଜଣଙ୍କୁ ଜିଲ୍ଲାର ୨୨୫୫ଟି ବାତ୍ୟା ଆଶ୍ରୟସ୍ଥଳୀରେ ଆଣି ରଖିଛି ।
ଏଥି ସହିତ ୨୪୯ ଜଣ ଗର୍ଭବତୀଙ୍କୁ ଚିହ୍ନଟ କରି ସନ୍ଧ୍ୟା ଭିତରେ ୮୪ ଜଣଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଛି । ଏହା ଭିତରେ ୧୦ ଜଣ ସନ୍ତାନ ଜନ୍ମ କରିସାରିଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ରାତି ୧୦ଟା ୩୦ ସୁଦ୍ଧା ଜିଲ୍ଲାରେ ପବନର ବେଗ ଘଣ୍ଟା ପ୍ରତି ୩୦ରୁ ୪୦ କିମି ରହିଥିଲା । ପରେ ପରେ ବର୍ଷା ବଢିଥିବା ବେଳେ ବିଜୁଳି ଠପ୍ ପଡ଼ିଯାଇଛି । କୌଣସି ଜାଗାରେ ସମୁଦ୍ର କୂଳ ଲଂଘି ନଥିବା ଖବର ମିଳିଛି ।
ଅପରପକ୍ଷରେ ‘ୟସ୍’ ସ୍ଥଳଭାଗ ଛୁଇଁବା ପୂର୍ବରୁ ମଧ୍ୟରାତ୍ର ସୁଦ୍ଧା କେନ୍ଦ୍ରାପଡ଼ା ଜିଲ୍ଲା ଅଶାନ୍ତ ହୋଇପଡ଼ିଛି । ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ସାଙ୍ଗକୁ ପବନ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି । ରାତି ବଢ଼ିବା ସହ କ୍ରମେ ପବନର ବେଗ ହୃଦସ୍ପନ୍ଦନ ବଢ଼ାଉଛି । ପ୍ରଶାସନ ଗତକାଲି ସନ୍ଧ୍ୟାଠାରୁ ସମୁଦ୍ର ତଟବର୍ତ୍ତୀ, ତଳି ଅଞ୍ଚଳ ଓ ଅସୁରକ୍ଷିତ ଘରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର କରିଥିଲା । ରିପୋର୍ଟ ଲେଖାଯିବା ସୁଦ୍ଧା ୮୬ ହଜାର ୬୬୬ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି । ପବନ ଓ ବର୍ଷାର ପ୍ରକୋପରେ ରାଜନଗର ବ୍ଲକ୍ ଓ ମହାକାଳପଡ଼ା ବ୍ଲକ୍ରେ ବହୁ କ୍ଷୟକ୍ଷତି ହୋଇଛି । ଆଜି ସକାଳେ ରାଜନଗର ବ୍ଲକ୍ର ଈଶ୍ୱରପୁର ପଞ୍ଚାୟର ପୁରୁଷୋତ୍ତମପୁରଠାରେ ଘେରିବନ୍ଧ ଭାଙ୍ଗିଯାଇ ଗାଁରେ ପାଣି ପଶିଯାଇଛି । ପୁରୁଷୋତ୍ତମପୁର ପରି ତାଳଚୁଆ ଗାଁରେ ମଧ୍ୟ ପାଣି ପଶି ଲୋକଙ୍କୁ ଜଳବନ୍ଦୀ କରି ରଖିଛି । ସେହିପରି ଡାଙ୍ଗମାଳ ପଞ୍ଚାୟତରେ ଘୂର୍ଣ୍ଣଝଡ଼ ଯୋଗୁଁ ବରାଡ଼ିଆ ଓ ତ୍ରିଲୋଚନପୁର ଗାଁର ୩୦ ପରିବାର ବେଘର ହୋଇପଡ଼ିଛନ୍ତି ।
ଘୁର୍ଣ୍ଣଝଡ଼ରେ ଘର ଛପର ଉଡ଼ିଯିବା ସହ ବଡ଼ବଡ଼ ଗଛ ଭାଙ୍ଗିଯାଇ ରାସ୍ତା ଅବରୋଧ ହୋଇଛି । ଏଣେ କଣ୍ଟ୍ରୋଲ ରୁମ୍ରେ ବସିଥିବାବେଳେ ଝଡ଼ରେ ଷ୍ଟ୍ରକ୍ଚର କାଚ ଭାଙ୍ଗିଯିବାରୁ ତାଳଚୁଆର କନିଷ୍ଠ ଯନ୍ତ୍ରୀ ଆହତ ହୋଇଛନ୍ତି । ମହାକାଳପଡ଼ା ବ୍ଲକ୍ ଅଧୀନ କଂସାର ବଡ଼ଦାଣ୍ଡୁଆ ପଞ୍ଚାୟତର ପଙ୍କପାଳ ଓ ବଗଗହଣରେ ସ୍ଲୁଇସ୍ ଗେଟ୍ ଆପ୍ରୋଚ୍ ରୋଡ୍ ଭୁଶୁଡ଼ି ପଡ଼ିବାରୁ ଦୁଇ ଗାଁରେ ପାଣି ପଶିଛି । ଅଦ୍ୟାବଧି ତଟବନ୍ଧ ବିଭାଗର କୌଣସି ଅଧିକାରୀ ସେଠାରେ ପହଞ୍ଚି ନଥିବାବେଳେ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲା ବାତ୍ୟା ମୁକାବିଲା ଦାୟିତ୍ୱରେ ଥିବା ବରିଷ୍ଠ ପ୍ରଶାସକ ଶିଳ୍ପ ସଚିବ ହେମନ୍ତ ଶର୍ମା, କେନ୍ଦ୍ରାପଡ଼ା ଜିଲ୍ଲାପାଳ, ଏସ୍ପି, ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ବିଭିନ୍ନ ଅଞ୍ଚଳ ବୁଲି ଉଦ୍ଧାର ଓ ସ୍ଥାନାନ୍ତର କାର୍ଯ୍ୟକୁ ତ୍ୱରାନ୍ୱିତ କରୁଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |