କେନ୍ଦ୍ରାପଡ଼ା ୨୭।୦୩ : ପାରିବାରିକ କଳହକୁ କେନ୍ଦ୍ର କରି ବିଷ ପିଇ ଜୀବନ ହାରିଲେ ନବଦମ୍ପତି । ପରକୀୟ ପ୍ରୀତି ସନ୍ଦେହରୁ କେନ୍ଦ୍ରାପଡ଼ା ସଦର ଥାନା ଅଧୀନ କଳାପଡ଼ା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଷପିଇ ସେମାନେ ଜୀବନ ହାରିଛନ୍ତି । ମୃତ ଦମ୍ପତି କଳାପଡ଼ା ଗ୍ରାମର ରବୀନ୍ଦ୍ର ବେହେରା(୨୫) ଓ ତାଙ୍କ ପତ୍ନୀ ଅନସୂୟା ବେହେରା(୨୨) । ଅଭିଯୋଗ ପାଇ ପୁଲିସ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ କରାଇ ତଦନ୍ତକୁ ତ୍ୱରାନ୍ୱିତ କରିଛି । ୨୪ ଘଣ୍ଟା ବ୍ୟବଧାନରେ ପତି ପତ୍ନୀ ଆଗପଛ କରି ପ୍ରାଣ ହରାଇବା ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଗତ ମାର୍ଚ୍ଚ ୨୪ ତାରିଖ ବିଳମ୍ବିତ ରାତିରେ ଉଭୟ ସ୍ବାମୀ-ସ୍ତ୍ରୀ ବିଷ ପିଇ ଦେଇଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଘର ପାଖରୁ କିଛି ଦୁରରେ ଥିବା ଏକ ଚାଷ ଜମିରୁ ଉଦ୍ଧାର କରି କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଉଭୟଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ୨୫ ତାରିଖରେ ପ୍ରଥମେ ସ୍ତ୍ରୀ ଅନୁଶୟା ମୃତ୍ୟୁବରଣ କରିଥିବା ବେଳେ ଶନିବାର ସନ୍ଧ୍ୟାରେ ରବିନ୍ଦ୍ର ମୃତ୍ୟୁ ବରଣ କରିଥିବା ଜଣାପଡିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |