ଭୁବନେଶ୍ଵର, ୨୦/୦୯ : କରୋନା କଟକଣା ପାଇଁ ଗତ ଦୁଇ ବର୍ଷ ହେଲା ଲୋକେ ମା’ଙ୍କ ଦର୍ଶନ କରିନାହାନ୍ତି। ଦୀର୍ଘ ଦୁଇ ବର୍ଷ ପରେ କଟକଣା ମୁକ୍ତ ଦଶହରା ପାଳିବାକୁ ନେଇ ଦୈତ୍ୟନଗରୀ ଲୋକେ ବେଶ ଉତ୍ସାହିତ । ତେଣୁ ଚଳିତ ବର୍ଷ ଭକ୍ତମାନେ ଯେମିତି ଭଲ ଭାବେ ମା’ଙ୍କ ଦର୍ଶନ କରିପାରିବେ, ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛି ପୋଲିସ । ଦୁଇ ବର୍ଷ ପରେ ସାଧାରଣ ଭକ୍ତ ଠାକୁରଙ୍କ ଦର୍ଶନ କରିବାକୁ ଥିବାରୁ ଏଥର ମହାଡ଼ମ୍ବରରେ ପୂଜା କରାଯିବ। ଶୃଙ୍ଖଳିତ ଦର୍ଶନକୁ ପ୍ରାଧାନ୍ୟ ଦିଆଯାଇଛି। ପୂଜା ମଣ୍ଡପ ଜଗିବ ସିସିଟିଭି । ପାର୍ବଣ ପୂର୍ବରୁ ଅପରାଧ ନିୟନ୍ତ୍ରଣ କରିବାକୁ ଲାଗିବ ସିସିଟିଭି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ବ୍ଲୁପ୍ରିଣ୍ଟ ତିଆରି କରିଛି ପୋଲିସ । ଅପରାଧୀଙ୍କ ଉପରେ ନଜର ରଖିବାକୁ ଏନେଇ ଗଠନ ହୋଇଛି ସ୍ୱତନ୍ତ୍ର ଟିମ୍ । ସହର ଭିତର ସିସିଟିଭି ଯାଞ୍ଚ ସହ ପୂଜା ମଣ୍ଡପରେ ସିସିଟିଭି ଲଗାଇବାକୁ ପୋଲିସ୍ ଦେଇଛି କଡ଼ା ନିର୍ଦ୍ଦେଶ । ମଣ୍ଡପ ସୁରକ୍ଷାକୁ ବଢାଇବା ଲାଗି ସିସିଟିଭି ଲଗାଇବା ଉପରେ ଗୁରୁତ୍ୱ ଦେଇଛି ପୋଲିସ । ରାଜଧାନୀର ନୟାପଲ୍ଲୀ ପୂଜାମଣ୍ଡପରେ ୨୫ରୁ ଅଧିକ ସିସିଟିଭି ଲଗାଇବା ସହ କଡା ନଜର ରଖିବାକୁ ୨୦୦ ଭଲ୍ୟଣ୍ଟର ଏବଂ ଦୁଇଟି କଣ୍ଟ୍ରୋଲ ରୁମ କରାଯାଉଛି । ସେହିଭଳି ଅନ୍ୟ ମଣ୍ଡପ ଗୁଡିକରେ ମଧ୍ୟ ସମାନ ବ୍ୟବସ୍ଥା ପାଇଁ ଯୋଜନା ହୋଇଛି । ମୀନା ବଜାର, ମେଲୋଡି ଯୋଗୁ ଗହଳି ଅଧିକ ହେବାର ଆଶଙ୍କା ଥିବାରୁ ରାସ୍ତା ଉପରେ ଗାଡି ପାର୍କିଂ ନକରିବାକୁ ପରାମର୍ଶ ଦିଆଯାଉଛି । ଆନ୍ତରାଜ୍ୟ ଅପରାଧୀ ଏବଂ ସ୍ଥାନୀୟ ଦୁର୍ବତ୍ତଙ୍କ ଉପରେ କଡାନଜର ରଖିବାକୁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ଭିଡ଼, ଟ୍ରାଫିକ ପାଇଁ ସ୍ୱତନ୍ତ୍ର ପ୍ଲାନ କରାଯାଉଛି । ସହରରେ ନିଶା କାରବାର, ଖଟି, ଦାବାବଟି, ଖୋଲାଖୋଲି ମଦ କାରବାର ଉପରେ ପୋଲିସର ସ୍ୱତନ୍ତ୍ର ଡ୍ରାଇଭ ଜାରି ରହିଛି । ପୂଜାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ ପାଇଁ ଅଣ୍ଟା ଭିଡିଛି କମିଶନରେଟେ ପୋଲିସ । ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |