ପିଣ୍ଟୁ ନନ୍ଦଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର,୨ା୩:ପିଣ୍ଟୁ ନନ୍ଦଙ୍କର ଗତକାଲି ରାତିରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ପରଲୋକ ଘଟିଥିଲା। ମୃତ୍ୟୁ ବେଳକୁ ତାଙ୍କୁ  ୪୭ ବର୍ଷ ବୟସ ହୋଇଥିଲା। ବୁଧବାର ସନ୍ଧ୍ୟାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ନିକଟରେ ଦିଲ୍ଲୀର ଇନଷ୍ଟିଚ୍ୟୁଟ୍ ଅଫ୍ ଲିଭର ଆଣ୍ଡ୍ ବିଲିୟାରି ସାଇନ୍ସ (ଆଇଏଲବିଏସ)ରୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲକୁ ପିଣ୍ଟୁଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଯଶୋଦା ହସ୍ପିଟାଲ୍ ଡାକ୍ତରମାନେ ତାଙ୍କୁ ଲିଭର ଟ୍ରାନ୍ସପ୍ଲାଣ୍ଟେସନ୍ (କାଡେଭର) କରିବାକୁ ପରାମର୍ଶ ଦେଇଥିଲେ। ଏପରି କି ଏଥିପାଇଁ ୩୫ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ। ଯକୃତ ପ୍ରତିରୋପଣ ପୂର୍ବରୁ ବିଭିନ୍ନ ପରୀକ୍ଷା ମଧ୍ୟ କରାଯାଇଥିଲା। ହେଲେ ବୁଧବାର ସନ୍ଧ୍ୟାରେ ତାଙ୍କ ଅବସ୍ଥା ଗୁରୁତର ହୋଇଯାଇଥିଲା। ଡାକ୍ତରଙ୍କ ସମସ୍ତ ଚେଷ୍ଟା ବିଫଳ ହୋଇଛି। ପିଣ୍ଟୁଙ୍କ ମୃତ୍ୟୁ ହେବା ନେଇ ଅଭିନେତା ଶ୍ରୀତମ ଦାସ ଟୁଇଟ କରି ସୂଚନା ଦେଇଛନ୍ତି।   ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟର ଜରିଆରେ ସେ ନିଜର ଶୋକବାର୍ତ୍ତାରେ କହିଛନ୍ତି, ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ନିଜ ନିଖୁଣ ଅଭିନୟ ଦ୍ୱାରା ଚଳଚ୍ଚିତ୍ର ଏବଂ ଧାରାବାହିକରେ ସେ ଛାଡ଼ିଯାଇଥିବା ଛାପ ତାଙ୍କୁ ଦର୍ଶକଙ୍କ ହୃଦୟରେ ସର୍ବଦା ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି|ସେହିପରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍  ଓଡ଼ିଆ ଚଳଚ୍ଚିତ୍ର ତଥା ଧାରାବାହିକ ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ଅକାଳ ବିୟୋଗ ବିଷୟରେ ଜାଣି ମାନ୍ୟବର ରାଜ୍ୟପାଳ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହ ନିଜର ନିଖୁଣ ଅଭିନୟ ଦ୍ୱାରା ଘରେ ଘରେ ପରିଚିତ ପିଣ୍ଟୁଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ପିଣ୍ଟୁ ନନ୍ଦଙ୍କ ବିୟୋଗରେ ଛତିଶଗଡ଼ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ଓଡ଼ିଆ ଅଭିନେତା ପିଣ୍ଟୁ ନନ୍ଦଙ୍କ ଅକାଳ ବିୟୋଗ ଜନିତ ଖବର ପାଇବା ପରେ ଛତିଶଗଡ ରାଜ୍ୟପାଳ ବିଶ୍ଵଭୂଷଣ ହରିଚନ୍ଦନ ଅତ୍ୟନ୍ତ ମର୍ମାହତ ହେବା ସହିତ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।ଶ୍ରୀ ନନ୍ଦ ଓଡ଼ିଆ ଆଲବମରୁ ନିଜର ଅଭିନୟ ଜୀବନ ଆରମ୍ଭ କରି ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ସୁନ୍ଦର ଅଭିନୟ କରିଥିଲେ। ତାଙ୍କର ସୁନ୍ଦର ଅଭିନୟ ପାଇଁ ସେ ଓଡ଼ିଶା ଚଳଚ୍ଚିତ୍ର ଜଗତରେ ସୁନାମ ଅର୍ଜନ କରିଥିଲେ l ତାଙ୍କର ଏହିପରି ଅକାଳ ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଏକ ଅପୂରଣୀୟ କ୍ଷତି। ଏହି ଦୁଃଖଦ ମୁହୂର୍ତ୍ତରେ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ତାଙ୍କ ସ୍ଵର୍ଗତ ଆତ୍ମାର ସଦଗତି କାମନା କରିବା ସହିତ ଦୁଃଖଦ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ଠିକ୍ ସେହିପରି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବି ପିଣ୍ଟୁ ନନ୍ଦଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!