ଆରସାରେ ପୂଜ୍ୟପୂଜା ମହୋତ୍ସବ ।
ରାଜକନିକା,୧୬/୩ : ପିତାମାତା ସବୁ ବେଳେ ପୂଜ୍ୟ । ତାଙ୍କ ପ୍ରତି ପିଲାମାନଙ୍କର ସବୁବେଳେ ସେବା ଆଉ ଭଲ ପାଇବା ରହିବା ଦରକାର । ତାଙ୍କୁ ସେବା ଯତ୍ନ କରିବାରେ ଅନେକ ପୂଣ୍ୟ ମିଳିଥାଏ । ସେହିଭଳି ଗାଁର ଗୁରୁଜନ ମାନଙ୍କ ପ୍ରତି ଶ୍ରଦ୍ଧା ଆଉ ସମ୍ମାନ ପ୍ରଦାନ କରିବା ଦ୍ୱାରା ପୂଜ୍ୟପୂଜା ସଫଳ ହୋଇଥାଏ । ହେଲେ ଏବେ ସମୟ ବଦଳିଯାଇଛି । ପିତାମାତା ଏବଂ ଗାଁର ଗୁରୁଜନ ଆଜି ଅଲୋଡ଼ା ହୋଇଯାଉଛନ୍ତି । ଏଥିପ୍ରତି ଯୁବସମାଜ ସଚେତନ ହେବା ଦରକାର । ପ୍ରକୃତରେ ପିତାମାତାଙ୍କ ସେବାହିଁ ଈଶ୍ୱରଙ୍କ ସାନିଧ୍ୟ ପ୍ରଦାନ କରିଥାଏ ବୋଲି ଆରସା ଗ୍ରାମରେ ଆୟୋଜିତ ପୂଜ୍ୟପୂଜା ମହୋତ୍ସବରେ ଯୋଗଦେଇ ଅତିଥି ମାନେ ମତବ୍ୟକ୍ତ କରିଛନ୍ତି । ଅମର କୁମାର ସାମଲଙ୍କ ମୁଖ୍ୟ ସଂଯୋଜନାରେ ଆୟୋଜିତ ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ସାମାଜିକ କର୍ମୀ ସତ୍ୟରଞ୍ଜନ ନାୟକ ଯୋଗଦେଇ ଭାରତୀୟ ସଂସ୍କୃତିରେ ଗୁରୁ ଏବଂ ଗୁରୁଜନଙ୍କ ପ୍ରତି ଅନେକ ସମ୍ମାନବୋଧ ରହିଛି । ପାରମ୍ପରିକ ମୂଲ୍ୟବୋଧର ଅବକ୍ଷୟ ଘଟୁଥିବାରୁ ସମାଜରେ ଯୁବ ସମାଜ ଆଜି ପଥଭ୍ରଷ୍ଟ ହେଉଛି । ସମାଜର ପରିବର୍ତ୍ତନ ପାଇଁ ଗୁରୁଜନଙ୍କ ଭୂମିକା ଅନେକ ମୂଲ୍ୟବାନ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଲେଖକ ଏବଂ ସାମ୍ବାଦିକ ଶୁଭ୍ରାଂଶୁ ଭୂଷଣ ସୂତାର ଯୋଗଦେଇ ବାଟହୁଡିଯାଇଥିବା ଯୁବକଯୁବତୀମାନଙ୍କୁ ବୃଦ୍ଧ ପିତାମାତା, ଗୁରୁଜନ ଓ ସମାଜର ଅବହେଳିତ ଲୋକମାନଙ୍କ ସେବା କରିବାକୁ ପରାମର୍ଶ ଦେଇଥିଲେ । ଏହା ସହିତ ଜବନ କବି ଉଜୀର ବେଗ୍ଙ୍କ ଦ୍ୱାରା ପୂର୍ବରୁ ହେଉଥିବା ଲୋକନାଟକ ନନ୍ଦଉତ୍ସବର ପୁରୁଖା କଳାକାର ଗ୍ରାମର ବୟୋଜ୍ୟେଷ୍ଠ ତଥା କନିକା କଂସ ଗୌରହରି ସାମଲ, ବିଶ୍ୱନାଥ ବେହେରା, ଭରତ ବେହେରା, ରଙ୍ଗାଧର ଥାଟୋଇ, ଫଗୁରାମ ଥାଟୋଇ, କଣ୍ଡୁରି ବେହେରା, କ୍ଷେତ୍ରବାସୀ ବେହେରା, ବାଇଧର ବେହେରା, ସଦାଶିବ ବେହେରା, ରାଧାଶ୍ୟାମ ବେହେରା, କୀର୍ତ୍ତନ ଚନ୍ଦ୍ର ଥାଟୋଇ, ହାଡ଼ିବନ୍ଧୁ ବେହେରା ଏବଂ କେଶବାନନ୍ଦ ବେହେରାଙ୍କୁ ପୁଷ୍ଫଗୁଚ୍ଛ ପ୍ରଦାନ ସହିତ ଚନ୍ଦନ ସିନ୍ଦୁର ଲଗାଇ ପୂଜାଅର୍ଚ୍ଚନା କରିଥିଲେ । ଏହା ସହିତ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ମହୋତ୍ସବକୁ ଲକ୍ଷ୍ମଣ ସାହୁ, ପ୍ରଦ୍ୟୁମ୍ନ ସାହୁ, ପରମେଶ୍ୱର ସାହୁ, ବିଜୟ ବେହେର, ରଞ୍ଜନ ବେହେରା ଏବଂ ଅଜିତ୍ ବେହେରାଙ୍କ ସହିତ ଗ୍ରାମବାସୀ ଏବଂ ଯୁବକମାନେ ସହଯୋଗ କରିଥିଲେ । ଗ୍ରାମର ଯୁବକମାନେ ଦ୍ୱୀପ ପ୍ରଜ୍ୱଳନ ସହିତ ଭଜନକୀର୍ତ୍ତନ କରି ଗ୍ରାମ ପରିକ୍ରମା କରିଥିଲେ । ଏହି ଅବସରରେ ପାଲା ପରିବେଷଣ ସହିତ ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |