“ପିଲାଙ୍କ ପାଇଁ ଦିନଟିଏ” ଗଞ୍ଜାମ ଜିଲ୍ଲାରେ ୨୦୪୨ ଗ୍ରାମ ଏବଂ ୨୨୧ ପଂଚାୟତ ବାଲ୍ୟ ବିବାହ ମୁକ୍ତ

ଛତ୍ରପୁର,୧୪/୦୯(ମନୋଜ କୁମାର ପାତ୍ର):ଗଞ୍ଜାମ ଜିଲ୍ଲାର ବାଲ୍ୟ ବିବାହ, କନ୍ୟା ଭୃଣ ହତ୍ୟା ଓ ଶିଶୁ ଶ୍ରମ ରୋକିବା ଉଦ୍ଦେଶ୍ୟରେ ନିର୍ଭୟା କଢି ଓ ମୋ ଗେହ୍ଲା ଝିଅ କାର୍ଯ୍ୟାନୁଷ୍ଠାନ କମିଟି ଏବଂ ଜିଲ୍ଲା ଶିଶୁ ସୁରକ୍ଷା କମିଟିର ବୈଠକ ଜିଲ୍ଲାପାଳଙ୍କ ସଦଭାବନା ସମ୍ମିଳନୀ କକ୍ଷ ଠାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ତରୀୟ ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଲୀନା କୁମାରୀ ଖେସ୍ ଅଧ୍ୟକ୍ଷତା କରି ଜଣାଇଥିଲେ ଯେ, ଗଞ୍ଜାମ ଜିଲ୍ଲାରେ ଅଦ୍ୟବଧି ଦ୍ୱିତୀୟ ପର୍ଯ୍ୟାୟରେ ୧୦୧୦ ଗ୍ରାମ ଏବଂ ୧୨୬ ଟି ସହରାଂଚଳର ୱାର୍ଡ ଓ ୨୨୧ ପଞ୍ଚାୟତକୁ ବାଲ୍ୟ ବିବାହ ମୁକ୍ତ ପଞ୍ଚାୟତ ଭାବେ ଘୋଷଣା ହୋଇଛି । ଏହା ସହିତ ପ୍ରଥମ ପର୍ଯ୍ୟାୟରେ ଗତ ଜାନୁୟାରୀ ମାସରେ ୧୦୩୨ ଗ୍ରାମ ଏବଂ ୧୪୦ ସହରାଂଚଳର ୱାର୍ଡକୁ ବାଲ୍ୟ ବିବାହ ମୁକ୍ତ ଭାବରେ ଘୋଷଣା କରାଯାଇଥିଲେ। ଜିଲ୍ଲାରେ ଶିଶୁ ଶ୍ରମିକ ଉଚ୍ଛେଦ ଏବଂ ଶିଶୁ ସୁରକ୍ଷା ଦିଗରେ ସମସ୍ତଙ୍କ ଭାଗିଦାରି ଅଂଶ ଗ୍ରହଣ କରି କାର୍ଯ୍ୟପନ୍ଥା ଗ୍ରହଣ କରିବା ପାଇଁ ଆଲୋଚନା ହୋଇଥିଲା । ଅଧାରୁ ପାଠ ଛାଡୁଥିବା ପିଲାମାନଙ୍କ ଅଭିଭାବକ ମାନଙ୍କୁ ପରାମର୍ଶ ଦେଇ ପାଠପଢାର ଗୁରୁତ୍ୱ ସଂପର୍କରେ ବୁଝାଇ ସେମାନଙ୍କ ପିଲାମାନେ ଶିକ୍ଷା ନିମନ୍ତେ ଯେପରି ଆଗ୍ରହ ପ୍ରକାଶ କରି ବିଦ୍ୟାଳୟକୁ ଯିବେ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଆଲୋଚନା ହୋଇଥିଲା । ସମସ୍ତ ଲାଇନ ବିଭାଗ ସହିତ ସୁ ସଂପର୍କ ରକ୍ଷା କରି ବାଲ୍ୟ ବିବାହ ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରିବା ପାଇଁ କୁହାଯାଇଛି । ପାରମ୍ପରିକ ପଦ୍ଧତିରେ ହେଉଥିବା ବିବାହକୁ ରୋକିବା ଦିଗରେ କୁଳ ସମାଜର ପ୍ରତିନିଧି ମାନଙ୍କୁ ଉଚିତ୍ ପରାମର୍ଶ ଦେବା ନିମନ୍ତେ କୁହାଯାଇଛି । ଶିଶୁ ଯତ୍ନ ଅନୁଷ୍ଠାନ ଗୁଡିକରେ କୋଭିଡ୍ ନିୟମର ଅନୁପାଳନ କରି ଶିଶୁ ସୁରକ୍ଷା ସୁନିଶ୍ଚିତ କରିବା ନେଇ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ଅଗଷ୍ଟ ୨୦୨୧ ସୁଦ୍ଧା ୧୬୦ଟି ବାଲ୍ୟ ବିବାହକୁ ରୋକାଯାଇ ସେମାନେ ଯେପରି ୧୮ ବର୍ଷ ପୂର୍ବରୁ ବିବାହ କରିବେ ନାହିଁ ସେଥି ନିମନ୍ତେ ସଚେତନ କରାଯାଇଛି । ବାଲ୍ୟ ବିବାହକୁ ରୋକିବା ଦିଗରେ କିଶୋର କିଶୋରୀ ମାନଙ୍କ ବିଭିନ୍ନ ଦକ୍ଷତା ମୂଳକ ବିକାଶ ତାଲିମ୍ ସହିତ ଅନ୍ତର୍ଭୁକ୍ତ କରି ସେମାନେ ଯେପରି ଆତ୍ମ ନିର୍ଭରଶୀଳ ହୋଇପାରିବେ ସେ ଦିଗରେ ସୁବିସ୍ତୃତ ଆଲୋଚନା ହୋଇଥିଲା । ସମୁଦାୟ ଗଞ୍ଜାମ ଜିଲ୍ଲାରେ ଅଦ୍ୟାବଧି ୨୦୪୨ ଗ୍ରାମ, ୨୬୬ ସହରାଞ୍ଚଳର ୱାର୍ଡ ଏବଂ ୨୨୧ ପଂଚାୟତ କୁ ବାଲ୍ୟ ବିବାହ ମୁକ୍ତ ଭାବରେ ଘୋଷଣା କରାଯାଇଛି । ଆଗାମୀ ଡିସେମ୍ବର ମାସ ସୁଦ୍ଧା ଜିଲ୍ଲାକୁ ସମ୍ପୁର୍ଣ୍ଣ ଭାବେ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ଗଢି ତୋଳିବା ପାଇଁ ଜିଲ୍ଲା ସ୍ତରରୁ ଗ୍ରାମ୍ୟ ସ୍ତର ପର୍ଯ୍ୟନ୍ତ ନିର୍ଭୟା କଢି କାର୍ଯ୍ୟକ୍ରମକୁ ତ୍ୱରାନ୍ନିତ କରିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତି ଖେସ୍ ଜଣାଇଥିଲେ ।କନ୍ୟା ଭୃଣ ହତ୍ୟା ରୋକିବା ନେଇ ଚାଲିଥିବା ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହିତ କନ୍ୟା ଭୃଣ ହତ୍ୟା ହେଉଥିବା ଅନୁଷ୍ଠାନ ଗୁଡିକରେ ଚଢାଉ କରି ସେମାନଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମତ ପ୍ରକାଶ ପାଇଥିଲା । ବିବାହ ବୟସ ଅତିକ୍ରାନ୍ତ ହେବା ପରେ ବିବାହ ହେଉଥିବା ଯୁବତୀ ମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ଏହାକୁ ଅଧିକ ମାତ୍ରାରେ ପ୍ରଚାର ଓ ପ୍ରସାର କରି ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବା ନେଇ ତୁମ୍ବା ଉନ୍ନୟନ ସଂସ୍ଥା ଅଧିକାରୀଙ୍କୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ପଞ୍ଚାୟତ କିମ୍ବା ବ୍ଲକ ସ୍ତରରେ ହେଉଥିବା ସମସ୍ତ ବୈଠକରେ “ପିଲାଙ୍କ ପାଇଁ ଦିନଟିଏ” କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ହେବା ଜରୁରୀ । ଏହି ଦିଗରେ ତତ୍ପରତା ପ୍ରକାଶ କରିବାକୁ ସମସ୍ତ ପଂଚାୟତ ଏବଂ ବ୍ଲକ ସ୍ତରୀୟ ଅଧିକାରୀ ମାନଙ୍କୁ ପତ୍ର ମାଧ୍ୟମରେ ଜଣାଇବାକୁ କୁହାଯାଇଛି । ଆଜିର ଏହି କାର୍ଯ୍ୟକ୍ରମ ପିଲାଙ୍କ ପାଇଁ ଦିନଟିଏ ଜିଲ୍ଲାର ୨୨ଟି ବ୍ଲକ ଓ ୫୦୩ ପଂଚାୟତରେ ଅନୁଷ୍ଠିତ ହୋଇଯାଇଛି । ଆଜିର ବୈଠକରେ ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀ ସୁଶ୍ରୀ ଅନୁପମା ସାହୁ, ସୁଶ୍ରୀ ଦେବିକା ରାଣୀ ସାହୁ, ସୁଶ୍ରୀ ଲହ୍ଲରିତ୍ ଚୈନୀ ଉପସ୍ଥିତ ରହି ବାଲ୍ୟ ବିବାହ ଓ ଶିଶୁ ସୁରକ୍ଷା ଦିଗରେ ଚାଲିଥିବା କାର୍ଯ୍ୟକ୍ରମର ଭୁୟସୀ ପ୍ରଶଂସା କରିବା ସହିତ ଗଞ୍ଜାମ ଜିଲ୍ଲାର ଏହି କାର୍ଯ୍ୟକ୍ରମ ଅନ୍ୟ ଜିଲ୍ଲାରେ ଉଦାହରଣ ହୋଇ ପାରିବ ବୋଲି ମତ ପ୍ରକାଶ କରିଥିଲେ । ଏହା ସହିତ ବାଲ୍ୟ ବିବାହ ସଂପର୍କିତ କାର୍ଯ୍ୟକ୍ରମକୁ ଆହୁରୀ ବ୍ୟାପକ କରିବା ପାଇଁ ପରାମର୍ଶ ଦେଇଥିଲେ ।ଆଜିର ଏହି ବୈଠକରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରେଖା ସୁନ୍ଦରୀ ମଲ୍ଲିକ, ଅତିରିକ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସାଧନ ଚନ୍ଦ୍ର ଦାସ, ଡିଏସପି ଏସ୍ ପ୍ରଧାନ, ଜିଲ୍ଲା ପଂଚାୟତ ଅଧିକାରୀ ଉଲ୍ଲା ସେଠୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ କୁମାର ଷଡଙ୍ଗୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭ୍ରାଂଶୁ କୁମାର ମହାରଣା, ମହିଳା ସୁରକ୍ଷା ଅଧିକାରୀ ସଙ୍ଗୀତା ପାତ୍ର, ଆକ୍ସନ ଏଡ୍ ର ଜିଲ୍ଲା ସଂଯୋଜକ ଦେବବ୍ରତ ମାହୁନ୍ତ, ମିଶନ ଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶାସ୍ୱତ ସାହୁ, ଜିଲ୍ଲା ମଙ୍ଗଳ ସମିତିର ସଭ୍ୟା ସି.ଏଚ୍‌. ଜ୍ୟୋତି, ଅରୁଣ ଶତପଥି ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ରବି ନାରାୟଣ ବେହେରାଙ୍କ ସମେତ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ ଏବଂ ସଂପୃକ୍ତ ବିଭାଗୀୟ ଅଧିକାରୀ ଗଣ ଉପସ୍ଥିତ ଥିଲେ ।

WhatsApp Image 2021 09 14 at 6.14.09 PM 1

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: