ପୁଣି ଆସିଛି ହୋଲି ରଙ୍ଗର ପସରା ମେଲି

ଏଥର ରଙ୍ଗ ଖେଳରେ ରଙ୍ଗୀନ ହେବ ଗାଁ ଠାରୁ ସାରା ସହର | ଲୋକମାନେ ସରକାରଙ୍କର ଗାଇଡ଼ଲାଇନକୁ ମାନି ନିଜ ନିଜ ଘରେ ଖେଳିବେ ହୋଲି | ପ୍ରାୟ ଦୁଇ ବର୍ଷ ପରେ କରୋନା କଟକଣା ଟିକେ କୋହଳ ହେବାପରେ ପୁଣି ଲୋକଙ୍କ ମନରେ ଉତ୍ସାହ ବଢିଛି |ବ୍ୟବସାୟୀ ମାନେ ମଧ୍ୟ ଦୁଇ ପଇସା ରୋଜଗାର କରି ଖୁସି ଥିବାବେଳେ ଗ୍ରାହକ ମାନେ ବେସ୍ ଖୁସି ଅଛନ୍ତି ସରକାରଙ୍କ ଗାଇଡ଼ଲାଇନକୁ ମାନି ହୋଲି ଖେଳିବା ପାଇଁ | ଏହି ହୋଲି ସ୍ନେହ ଓ ଭଲ ପାଇବା ବଢାଏ | ସେଥିପାଇଁ ତ ଏହାକୁ ଭାରତର ଏକ ମୁଖ୍ୟ ପର୍ବ ବୋଲି କୁହାଯାଏ | ଫାଲଗୁନ ଶୁକ୍ଳ ଦଶମୀ ତିଥିରେ ଦୋଳଯାତ୍ରା ହୁଏ | ଏହି ଦୋଳଯାତ୍ରାରେ ଠାକୁର ଭୋଗ ଖାଆନ୍ତି ବୋଲି ଅନେକ କହିଥାନ୍ତି | ଏହି ପର୍ବର ମୁଖ୍ୟ ଆରାଧ୍ୟ ଠାକୁର ହେଲେ ରାଧା ଓ କୃଷ୍ଣ | ଛୋଟ ଛୋଟ ବିମାନରେ ରାଧା କୃଷ୍ଣଙ୍କ ଯୁଗଳ ମୂର୍ତ୍ତିକୁ ଗ୍ରାମରେ ବୁଲାଯାଏ | ପ୍ରତ୍ୟେକ ଦ୍ୱାରରେ ଠାକୁରଙ୍କୁ ଭୋଗ ଅର୍ପଣ କରାଯାଏ ଏବଂ ବ୍ରାହ୍ମଣଙ୍କୁ ଦକ୍ଷିଣା ଦିଆଯାଏ | ତେବେ ପୃଥିବୀରେ ନୂତନ ଶିହରଣ ଜଗାଇ ପାରିବାଭଳି ଶକ୍ତିରେ ଶକ୍ତିମନ୍ତ ଋତୁରାଜ ବସନ୍ତକୁ ସ୍ୱାଗତ ଜଣାଇବାପାଇଁ ଦୋଳ ଯାତ୍ରାର ଆୟୋଜନ ହୋଇଥାଏ | ଗଛରେ ଫଳିଥିବା କଷି ଆମ୍ବ,ଚଣା,ଗୁଡ଼କୁ ଠାକୁରଙ୍କ ପାଖରେ ଭୋଗ କରାଯାଏ ଆଉ ଠାକୁରଙ୍କ ମୁଣ୍ଡରେ ଅବିର ଦେଇ ପୂଜାର୍ଚନା କରାଯାଏ | ଆଉ ତାପରେ ଗାଈ-ଗୋରୁ ମାନଙ୍କୁ ପୂଜା କରାଯାଏ ସେମାନଙ୍କ ଦେହରେ ଅବିର ଲଗାଇ | ଆଉ ତା’ ପରଦିନ ହୋଲି ପର୍ବ ସାରା ବିଶ୍ୱବାସୀ ପାଳନ କରନ୍ତି | କୁହାଯାଏ ଶକ୍ତି ମୈତ୍ରୀର ଭାବ ଏହି ହୋଲି ପର୍ବରେ ଛୁଟି ଆସିଥାଏ | ଗ୍ରାମ ଗ୍ରାମ ମଧ୍ୟରେ, ଗୋଷ୍ଠି ଗୋଷ୍ଠି ମଧ୍ୟରେ,ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ଏକ ସ୍ନେହ ସଦଭାବନା ଓ ପରମ୍ପରାକୁ ସତେଜ ରଖିବାର ଏକ ସୌନ୍ଦର୍ଯ୍ୟର ପରିଚୟକ ପର୍ବ | ରଙ୍ଗ ବଦଳିବ କିନ୍ତୁ ଭାତୃଭାବ ଯେମିତି ନ ବଦଳିବ | କେହି କେହି କୁହନ୍ତି ରଙ୍ଗ ବଦଳିଲେ ଚଳିବ କିନ୍ତୁ ମଣିଷ ବଦଳିଲେ ଜୀବନରେ ଶୂନ୍ୟତା ରହିଯିବ |
ତେବେ ଏହି ରଙ୍ଗର ପର୍ବ ହୋଲି ସମସ୍ତଙ୍କ ମନରେ ରଙ୍ଗ ଭରି ଦେଉ କ୍ରୋଧ କୁ ଦୂରେଇ ଆତ୍ମୀୟତା ଭାବ ସମସ୍ତଙ୍କ ପାଖରେ ଥାଉ | କୁହାଯାଏ ଏହି ହୋଲି ପର୍ବ କାମନା ବାସନାକୁ ଅଗ୍ନିରେ ଜଳାଇ ନିଷ୍କାମ ଭାବରେ ପ୍ରେମ ବିଜୟର ଉତ୍ସବ ପାଳନ କରିଥାଏ | ତେବେ ଏହି ହୋଲି ପର୍ବ କେବେ ଆଉ କାହିଁକି କେମିତି ପାଳନ କରାଗଲା ବୋଲି ଅନେକଙ୍କ ମନରେ ପ୍ରଶ୍ନ ଥିବ | ତେବେ ହଁ ମାତା ପାର୍ବତୀ ହିମାଳୟର କନ୍ୟା ଥିଲେ, ସେ ଭଗବାନ ଶିବଙ୍କୁ ବିବାହ କରିବାକୁ ଚାହୁଁଥିଲେ । ଭଗବାନ ଶିବ ସର୍ବଦା ତପସ୍ୟା ମଗ୍ନ ରହୁଥିଲେ । ତେବେ ଶିବଙ୍କ ତପସ୍ୟା ସମୟରେ ମାତା ପାର୍ବତୀଙ୍କୁ ବିବାହ କରିବା ପାଇଁ ପ୍ରସ୍ତାବ ରଖିବା ମୁସ୍କିଲ୍ ହେଉଥିଲା । ସେଥିପାଇଁ ସେତେବେଳେ ପାର୍ବତୀଙ୍କୁ ସାହଯ୍ୟ କରିବା ପାଇଁ କାମଦେବ ଆସିଲେ ଓ ପୁଷ୍ପ ବାଣ ଦ୍ବାରା ଭଗବାନ ଶିବଙ୍କ ତପସ୍ୟା ଭଙ୍ଗ କରିଥିଲେ ।ଆଉ ତାପରେ ଭଗବାନ ଶିବଙ୍କ ତପସ୍ୟା ଭଙ୍ଗ କରିବାର ପରିଣାମ ସ୍ୱରୂପ ଶିବ କ୍ରୋଧିତ ହୋଇ ତାଙ୍କ ତୃତୀୟ ନୟନରେ କାମଦେବଙ୍କୁ ଭସ୍ମ କରିଦେଇଥିଲେ । କିନ୍ତୁ ଠିକ୍ ସେହି ସମୟରେ ମାତା ପାର୍ବତୀ ଆସି ପହଁଞ୍ଚିଥିଲେ | ଭଗବାନ ଶିବ ତାଙ୍କୁ ଦେଖି ଶାନ୍ତ ହୋଇଗଲେ ଓ ମାତା ପାର୍ବତୀଙ୍କ ବିବାହ ପ୍ରସ୍ତାବକୁ ସ୍ବୀକାର କରିଥିଲେ । ସେଥିପାଇଁ ତ କୁହାଯାଏ ହୋଲି ପର୍ବରେ କାମବାସନାକୁ ଅଗ୍ନିରେ ଜଳାଇ ନିଷ୍କାମ ଭାବରେ ପ୍ରେମ ବିଜୟର ଉତ୍ସବ ପାଳନ କରାଯାଏ ।
ଅନ୍ୟକଥାରେ ଅଛି ଯେ, ଯେତେବେଳେ କାମଦେବ ଭସ୍ମ ହୋଇଗଲେ ସେତେବେଳେ କାମଦେଵଙ୍କ ପତ୍ନୀ ରତି ଭଗବାନ ଶିବଙ୍କ ଆରାଧନା କରି ତାଙ୍କୁ ପ୍ରସନ୍ନ କରି କାମଦେବଙ୍କୁ ଜୀବତ କରିବା ପାଇଁ ପ୍ରାର୍ଥନା କରୁଥିଲେ । ଭଗବାନ ଶିବ ତାଙ୍କ ପୂଜାରେ ପ୍ରସନ୍ନ ହୋଇ କାମଦେବଙ୍କୁ ଜୀବତ କରିଥିଲେ । ଏବଂ ଯେଉଁଦିନ ଏହି ସବୁ ହୋଇଥିଲା ସେହିଦିନ ଫାଲଗୁନମାସର ପୂର୍ଣ୍ଣିମାତିଥି ହୋଇଥିଲା । ସେହିଦିନ ଠାରୁ ହୋଲି ଉତ୍ସବ ପାଳନ କରାଯାଏ । ଲୋକମାନେ ଗୀତରେ ମାତିରୁହନ୍ତି ଓ ଅଗ୍ନିରେ ଚନ୍ଦନର କାଠ ଦିଆଯାଏ, ଯାହାକି କାମଦେବ ଜଳିଯାଇଥିବା କଷ୍ଟପୀଡାରୁ ମୁକ୍ତି ମିଳେ ବୋଲି କୁହାଯାଏ ଏବଂ କାମଦେବ ପୁଣି ଜୀବିତ ହେବାର ଖୁସିରେ ପରଦିନ ହୋଲି ଖେଳିଥାନ୍ତି ।
ତେବେ ରାକ୍ଷସୀ ପୁତନାର ବଦ୍ଧ କଥା ମଧ୍ୟ ଆମେ ଆଉ ଏକ ଯଥାର୍ଥ ଦେଲେ କିଛି ଅତ୍ୟୁକ୍ତି ହେବନାହିଁ | ଯେବେ କଂସକୁ ବଦ୍ଧ କରିବା ପାଇଁ ଜଣେ ଗୋକୁଳରେ ଜନ୍ମ ହୋଇଛି ବୋଲି ପ୍ରଚାର ହୋଇଥିଲା, ସେହିଦିନ ଠାରୁ କଂସ ଦେବକିଙ୍କର ଯେତେ ପିଲା ଜନ୍ମ ହୋଇଥିଲେ ସେମାନଙ୍କ ଜୀବନ ନେବା ପାଇଁ ନିର୍ଣ୍ଣୟ ନେଇଥିଲେ । ଏହି କାମ କରିବା ପାଇଁ କଂସ ପୁତନା ନାମକ ଏକ ରାକ୍ଷସୀକୁ ଡାକିଲେ । ପୁତନା ପିଲାମାନଙ୍କୁ ନିଜ ସ୍ତନ୍ୟପାନ କରାଇବ ଓ ସେହି ସ୍ତନ୍ୟପାନ କରି ପିଲାମାନଙ୍କ ଜୀବନ ଚାଲିଯିବ ।କିନ୍ତୁ ଯେବେ ଶ୍ରୀକୃଷ୍ଣଙ୍କ ଜୀବନ ନେବା ପାଇଁ ପ୍ରୟାସ କରିଲେ ତେବେ ଶ୍ରୀକୃଷ୍ଣ ପୁତନାର ସ୍ତନ୍ୟପାନ କରି କରି ପୁତନାକୁ ବଦ୍ଧ କରିଥିଲେ । ଏହିସବୁ ମଧ୍ୟ ଫାଲଗୁନମାସର ପୂର୍ଣ୍ଣିମାତିଥି ଦିନ ହୋଇଥିଲା । ସେହି ଖୁସିରେ ହୋଲିପର୍ବ ପାଳନ କରାଯାଏ । ତେବେ ଦୋଳ ପୂର୍ଣ୍ଣମୀର ପରଦିନଟିକୁ ସାରା ବିଶ୍ୱବାସୀ ହୋଲି ପର୍ବ ଭାବରେ ପାଳନ କରନ୍ତି | ଧର୍ମର ସବୁବେଳେ ଜୟ ହୁଏ ଆଉ ଅଧର୍ମର କ୍ଷୟ |
ତେବେ କେମିକାଲ ରଙ୍ଗ ଠାରୁ ଦୂରେଇ ରୁହନ୍ତୁ | ରଙ୍ଗ ବେରଙ୍ଗର ଅବିର ଲଗାଇ ପିଚକାରୀ,ହର୍ବାଲ କଲର ଓ ବିଭିନ୍ନ ମୁଖାକୁ ମୁହଁରେ ଲଗାଇ ବେସ୍ ଧୁମଧାମରେ ହୋଲି ପର୍ବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରନ୍ତୁ |

-ଦିପ୍ତିମୟୀ ନାୟକ

ଯୁବ ସାମ୍ବାଦିକା

9090661586

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: