ପୁରୀ,୧୮/୦୩- ସମ୍ଭାବ୍ୟ ବାତ୍ୟା ଓ ସୂନାମି ଭଳି ବିଭିନ୍ନ ବିପର୍ଯ୍ୟୟ ସମୟରେ ପ୍ରାକ୍ ସୂଚନା ପ୍ରଦାନ ସଂକ୍ରାନ୍ତୀୟ ତାଲିମ କାର୍ଯ୍ୟକ୍ରମ ସ୍ଥାନୀୟ ସଦଭାବନା ସଭାଗୃହ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ସମ୍ଭାବ୍ୟ ବିପର୍ଯ୍ୟୟ ସମୟରେ ପ୍ରାକ୍ ସୂଚନା ପ୍ରଦାନ ଗୁରୁତ୍ବ ବହନ କରେ । ପ୍ରାକ୍ ସୂଚନା ପାଇବା ମାତ୍ରକେ ପ୍ରଭାବିତ ଆଶଙ୍କା ଥିବା ଅଞ୍ଚଳରୁ ଲୋକମାନେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇ ପାରିବେ । ଏହାଦ୍ବାରା ଧନ ଜୀବନ ହାନିରୁ ରକ୍ଷା ପାଇ ପାରିବା । ବିପର୍ଯ୍ୟୟ ପରିଚାଳନାର ଏହା ଏକ ପ୍ରମୁଖ ଅଂଶ ବୋଲି ଅତିରିକ୍ତ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ । ଜିଲ୍ଲାର ୬ଟି ଉପକୂଳ ବ୍ଲକ ଅସ୍ତରଙ୍ଗ, କାକଟପୁର, ଗୋପ, ପୁରୀ ସଦର, ବ୍ରହ୍ମଗିରି ଓ କୃଷ୍ଣପ୍ରସାଦର ସଂପୃକ୍ତ ଅଧିକାରୀ ମାନେ ଯୋଗ ଦେଇଥିଲେ । ଜିଲ୍ଲା ଆପଦ କାଳୀନ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ପାତ୍ର, ଓସଡମା ଜିଲ୍ଲା ପ୍ରକଳ୍ପ ଅଧିକାରୀ ଶ୍ରୀ ସୁକାନ୍ତ କୁମାର ଦାଶ, ସଂଯୋଜକ ଶ୍ରୀ ଆଶୁତୋଷ ଦାଶ, ଜିଲ୍ଲା ଆପଦ କାଳୀନ ନିୟନ୍ତ୍ରଣ କେନ୍ଦ୍ରର କର୍ମକର୍ତ୍ତ ପ୍ରମୁଖ ଉପସ୍ଥିତ ଥିଲେ । ପୁରୀ ଜିଲ୍ଲା ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ବେତାର ଯନ୍ତ୍ରୀ ଶ୍ରୀ ସଞ୍ଜୟ କୁମାର ମହାପାତ୍ର ଏବଂ ଶ୍ରୀ ଅଞ୍ଜନ ମହାପାତ୍ର ଯୋଗଦେଇ ବିପର୍ଯ୍ୟୟ ପ୍ରାକ୍ ସୂଚନା ବିତରଣ ସଂପର୍କରେ ପ୍ରୋଜେକ୍ଟର ମାଧ୍ୟମରେ ଉପସ୍ଥାପନା କରିବା ସହ ଏହାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |