ଜଳ ହିଁ ଜୀବନ, ଜଳକୁ ସଂରକ୍ଷଣ ଆଉ ପ୍ରକୃତିର ବରଦାନ ନଦୀକୁ ସବୁବେଳେ ସ୍ରୋତସ୍ୱିନୀ ଭାବେ ଦେଖିବାକୁ ଚାହୁଁଥିବା ମଣିଷ ହେଉଛନ୍ତି ଡ଼କ୍ଟର ରାଜେନ୍ଦ୍ର ସିଂ । ନଦୀକୁ ବଂଚାଇବାନେଇ ସାରା ପୃଥିବୀରେ ସେ ଚଳାଇଛନ୍ତି ଅହରହ ଉଦ୍ୟମ । ତାଙ୍କ ଆନ୍ଦୋଳନ ଫଳରେ ବଂଚିପାରିଛି ଅନେକ ନଦୀ । ଜଳ ଟୋପାଏ ପାଇଁ ଆଉଟ୍ ପାଉଟୁ ହେଉଥିବା ଲୋକମାନଙ୍କ ନିକଟରେ ପହଂଚାଇପାରିଛନ୍ତି ଜଳ । ଭାରତରେ ଜଳପୁରୁଷ ଭାବେ ପରିଚିତ ଡ଼କ୍ଟର ସିଂ ସମ୍ମାନଜନକ ମାଗାସେସେ ଏବଂ ଷ୍ଟକ୍ହୋମ୍ ପୁରସ୍କାର ପାଇ ଦେଶରେ ଗୌରବ ବଢ଼ାଇଛନ୍ତି । ନିକଟରେ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲାର ଖରସ୍ରୋତା ନଦୀକୁ ସୁରକ୍ଷିତ ରଖିବା ସହିତ ବୃହତ୍ତ ପାନୀୟ ଜଳ ପ୍ରକଳ୍ପ ବନ୍ଦ କରିବା ଦାବିରେ ଆଳି-କନିକାର ଖରସ୍ରୋତା ବଂଚାଓ ସଂଗ୍ରାମ ସମିତିର ଜନଆନ୍ଦୋଳନରେ ସେ ସାମିଲ ହୋଇଥିଲେ ।ଏହି ଅବସରରେ ତାଙ୍କୁ ଭେଟିଛନ୍ତି ବରିଷ୍ଠ ସାମ୍ବାଦିକ ଶୁଭ୍ରାଂଶୁ ସୂତାର ।
ଓଡ଼ିଶା ସରକାର ପାନୀୟ ଜଳ ପାଇଁ ଖରସ୍ରୋତା ନଦୀରୁ ପ୍ରକଳ୍ପ ନିର୍ମାଣ କରୁଛନ୍ତି, ହେଲେ ଏତେ ବିରୋଧ କାହିଁକି କ’ଣ କହିବେ?
ମୁଁ ଓଡ଼ିଶାର ସବୁ ନଦୀକୁ ବୁଲି ଦେଖିଛି । ଭଦ୍ରକ ଜିଲାରେ ମଧ୍ୟ ମିଠା ପାଣି ରହିଛି । ସାଳନ୍ଦୀରୁ କାହିଁକି ଏ ପ୍ରକଳ୍ପ କରାଯାଇପାରୁ ନାହିଁ । ଭଦ୍ରକ ଏମିତି ଜିଲା ସେଠାରେ ପାଣି ସମସ୍ୟା ନାହିଁ । ହେଲେ କେନ୍ଦ୍ରାପଡ଼ା ଜିଲାରେ ଯେଉଁ ଅଂଚଳରେ ଖରସ୍ରୋତା ନଦୀ ପ୍ରଭାବିତ ହେଉଛି । ସେହି ଲୋକମାନଙ୍କ ନଦୀ ଉପରେ ଅଧିକାର ରହିଛି । ନଦୀ ସେମାନଙ୍କର ଜୀବନ । ନଦୀ ବିନା ସେମାନେ ବଂଚିପାରିବେ ନାହିଁ । ହେଲେ ରାଜ୍ୟ ସରକାର ଲୋକମାନଙ୍କ ଅଧିକାରକୁ ଛଡ଼ାଇନେଉଛନ୍ତି । ଏହା ଠିକ୍ କଥା ନୁହେଁ । ସେଥିପାଇଁ ଜନଆନ୍ଦୋଳନ ହେଉଛି । ଦେଖନ୍ତୁ ସରକାର କହୁଛନ୍ତି ପାନୀୟ ଜଳ କିନ୍ତୁ ଭଦ୍ରକ ଜିଲାରେ କେଉଁ କମ୍ପାନୀକୁ ଏ ଜଳ ଦେବେନାହିଁ ବୋଲି କ’ଣ କୁହାଯାଉଛିକି ?
ଖରସ୍ରୋତା ନଦୀକୁ ନେଇ ହେଉଥିବା ଆନ୍ଦୋଳନରେ ଆପଣଙ୍କ କ’ଣ ଭୂମିକା ରହିବ ?
ମୁଁ ସାରା ପୃଥିବୀରେ ନଦୀ ଆନ୍ଦୋଳନରେ ଯୋଗଦେଇଛି । କାନଡ଼ା,ଆମେରିକା, ଲଣ୍ଡନ ଭଳି ଦେଶରେ ନଦୀର ସଂକଟ ସମୟରେ ଠିଆ ହୋଇଛି । ସେଠାକାର ଲୋକମାନଙ୍କୁ ସଂଗଠିତ କରାଇ ନଦୀ ବଂଚାଇବାରେ ସଫଳତା ପାଇଛି । ମୁଁ ୨୮ ହଜାର ଖଣି ବନ୍ଦ କରିପାରିଛି । ଆଜି ଭାରତର ଲୋକମାନେ ଖରସ୍ରୋତା ଆନ୍ଦୋଳନ ସହିତ ଜଡ଼ିତ ରହିଛନ୍ତି । ଚେନ୍ନଇରେ ଅନୁଷ୍ଠିତ ସର୍ବଭାରତୀୟ ସମ୍ମିଳନୀରେ ଦେଶର ପ୍ରମୁଖ ପରିବେଶବିତ୍ ମାନେ ଖରସ୍ରୋତା ପ୍ରସଙ୍ଗ ସଂପର୍କରେ ଅବଗତ ରହିଛନ୍ତି । ମୁଁ ଏ ଆନ୍ଦୋଳନରେ ସ୍ଥାନୀୟ ଲୋକମାନଙ୍କ ସହିତ ରହିଛି । ଆଉ ଶେଷ ପର୍ଯ୍ୟନ୍ତ ରହିବି । ଏଥିପାଇଁ ପ୍ରାଣବଳି ଦେବାକୁ ମୁଁ ପଛାଇବି ନାହିଁ ।
ଖରସ୍ରୋତାରେ ଜଳ ପ୍ରକଳ୍ପ ହେଲେ ଭିତରକନିକାକୁ ବିପଦ ସୃଷ୍ଟି କରିବ ବୋଲି ଭାବୁଛନ୍ତିକି ?
ଖରସ୍ରୋତା ନଦୀରେ ଏ ପ୍ରକଳ୍ପ ହେବାର ଆବଶ୍ୟକତା ନାହିଁ । ଓଡ଼ିଶାର ଭୃତଳଜଳସ୍ତର କମ୍ ରହୁଥିବା ଜିଲା ମଧ୍ୟରେ କେନ୍ଦ୍ରାପଡ଼ା ରହିଛି । ସହଜେ ଏଠି ଜଳସ୍ତର କମ୍ ରହିଛି, ସେଥିରୁ ଗୋଟିଏ ନଦୀର ସ୍ରୋତକୁ ଅପ୍ରାକୃତି ଭାବେ ବିଭାଜନ କରିବାର ଉଚିତ୍ ନୁହେଁ । ଏହି ନଦୀ ସହିତ ଭିତରକନିକା ଗଭୀର ସଂପର୍କ ରହିଛି । ପୁଣି ଭିତରକନିକା ପୂର୍ବ ଏଓିଆର ସବୁଠୁ ବଡ଼ ହେନ୍ତାଳ ବଣ । ଜୈବବିବିଧତା ରକ୍ଷା କରିବାରେ ଏହି ଖରସ୍ରୋତା ନଦୀ ପ୍ରମୁଖ ଭୂମିକା ଗ୍ରହଣକରୁଛି । ଏହି ପ୍ରକଳ୍ପ ହେଲେ ଭିତରକନିକାର ପରିବେଶ ଉପରେ ବହୁତ ଖରାପ ପ୍ରଭାବ ପଡ଼ିବ । ପ୍ରାକୃତିକ ବିଷମତା ସୃଷ୍ଟିକରିବ । ଏହା ଠିକ୍ ନୁହେଁ । ପ୍ରକୃତିର ଜଳ ସ୍ରୋତକୁ ରୋକାଯିବା ମଧ୍ୟ ଠିକ୍ ନୁହେଁ । ଏହାରର ପ୍ରଭାବ ନିଶ୍ଚୟ ପଡ଼ିବ । ଏହା ମାନବ ସହିତ ଜୀବଜଗତର ଜୀବନଧାରାରେ ବଡ଼ ସମସ୍ୟା ସୃଷ୍ଟି କରିବ । ଜଳସ୍ରୋତ କମି ଗଲେ ସମୁଦ୍ରରୁ ଲୁଣି ପାଣି ମାଡ଼ିଆସିବ । ମିଠା ପାଣି କମିଯିବ । ସମସ୍ୟା ମାଡ଼ିଆସିବ । ଖରସ୍ରୋତା ସୁଖିଯିବ । ପରିବେଶ ସୁରକ୍ଷା ଦିଗରେ ସରକାର ମିଛ କହୁଛନ୍ତି । ବିଧିବଦ୍ଧ ଭାବେ ଏହି ପ୍ରକଳ୍ପ କରିବାରେ ପରିବେଶ ସଂକ୍ରାନ୍ତରେ ତଦନ୍ତ ଆବଶ୍ୟକତା ରହିଥିଲା । ହେଲେ ପ୍ରକଳ୍ପ ପାଇଁ କାହିିଁକି ହାଇଦ୍ରାବାଦ୍ ଆଇଆଇଟି ରିପୋର୍ଟକୁ ଦର୍ଶାଉଛନ୍ତି ସରକାର । ହେଲେ ଓଡ଼ିଶାରେ ଆଇଆଇଟି ତ ରହିଛି । କାହିଁକି ହାଇଦ୍ରାବାଦ୍ ରିପୋର୍ଟ ଆଣିଲେ । ଯଦି ଓଡ଼ିଶାରେ ନଥାନ୍ତା ତେବେ ସେଠାରୁ ଅଣାଯାଇଥାନ୍ତା । ଏଥିରୁ ଜଣାଯାଉଛିଯେ, ଏହି ପ୍ରକଳ୍ପରେ ବଡ଼ ଦୁର୍ନୀତି ରହିଛି । ତାହା ହୋଇନଥିଲେ ଯେଣେ ତେଣେ ପ୍ରକାର ପ୍ରକଳ୍ପକୁ କରାଇବାରେ ରାଜ୍ୟ ସରକାର ଆଜି ଲାଗିପଡ଼ିନଥାନ୍ତେ ।
ମହାନଦୀ ବଂଚାଓ ଆନ୍ଦୋଳନ ଅଧୁରା ରହିବ କି?
ମହାନଦୀ ବଂଚାଓ ଆନ୍ଦୋଳନ ପ୍ରଥମ ଦିନରୁ ମୁଁ ଏଥିରେ ସଂଶ୍ଲିଷ୍ଟ ରହିଛି । ମୁଁ ଛତିଶଗଡ଼ର ମୁଖ୍ୟମନ୍ତ୍ରୀଙ୍କ ସହିତ କଥାବାର୍ତ୍ତା କରିଥିଲି । ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସହିତ ମଧ୍ୟ ଆଲୋଚନା କରି ମହାନଦୀକୁ କାବେରୀ ନଦୀ ଭଳି ନହେବାକୁ ଅନୁରୋଧ କରିଥିଲି । କିନ୍ତୁ ଭାରତ ସରକାର ଏବଂ ଓଡ଼ିଶା ସରକାର ଆଜି ମହାନଦୀକୁ କାବେରୀ ନଦୀ ସମସ୍ୟା ଭଳି ପରିଣତ କରିଦେଲେଣି । ଭାରତରେ ଆନ୍ତଃରାଜ୍ୟ ନଦୀ ବିଲ୍ ଆସିଥିଲା, ସେତେ ବେଳେ ମୁଁ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହାର କପି ଦେଇ କହିଥିଲିକି ଏହି ବିଲ୍କୁ ବନ୍ଦ କରିବା ଦରକାର । ଆପଣଙ୍କ ରାଜ୍ୟର ଅଧିକାର ପାଇଁ ଆପଣଙ୍କୁ ଠିଆହେବାକୁ ପଡ଼ିବ । ହେଲେ ମୁଖ୍ୟମନ୍ତ୍ରୀ ଏହି ବିଲ୍କୁ ବନ୍ଦ କରିବାକୁ ପ୍ରତିଶୃତି ଦେଇଥିଲେ । ହେଲେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଲ ଉପରେ କିଛି କଲେ ନାହିଁ । ଯାହାର ପ୍ରଭାବ ଆଜି ପଡ଼ିଛି । ଓଡ଼ିଶାର ବହୁତ କ୍ଷତି ସହିବାକୁ ପଡ଼ିବ । ମହାନଦୀର ଯେଉଁ ବିବାଦ ରହିଛି । ସତରେ ତାହା କାବେରୀ ବିବାଦ ଭଳି ଚାଲିଛି । ଓଡ଼ିଶାର ଲୋକମାନେ ସଂଗଠିତ ହେଲେ ବିବାଦ ତୁଟିବ । ଟ୍ରିବୁନାଲ ଠିକ୍ ଭାବରେ କାମ କରୁନାହିଁ । ଛତିଶଗଡ଼ ଯେଉଁ ବ୍ୟାରେଜ ନିର୍ମାଣ କରିଛି । ତାହା ଠିକ୍ ନୁହେଁ । ଓଡ଼ିଶାକୁ ତାର ଅଧିକାର ମିଳିବା ଦରକାର । ମହାନଦୀକୁ ବଂଚାଇବା ପାଇଁ ରାଜ୍ୟ ସରକାରଙ୍କ ଠାରୁ ମହାନଦୀ ବଂଚାଓ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |