ଡବଲିନ୍,୨୭/୦୬: ଘରୋଇ ଆୟର୍ଲାଣ୍ଡ ଓ ଭାରତ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଟି-ଟ୍ୱେଣ୍ଟିରେ ଭାରତ ୭ ୱିକେଟ୍ରେ ସହଜ ବିଜୟ ହାସଲ କରିଛି । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଆୟର୍ଲାଣ୍ଡ ନିର୍ଦ୍ଧାରିତ ୧୨ ଓଭରରେ ୪ ୱିକେଟ୍ ହରାଇ ୧୦୮ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଭାରତ ୯.୨ ଓଭରରେ ୩ ୱିକେଟ୍ ହରାଇ ୧୧୧ରନ୍ କରି ବିଜୟୀ ହୋଇଥିଲା । ଏହି ବିଜୟ ସହ ଭାରତ ୧-୦ରେ ସିରିଜ ଅଗ୍ରଣୀ ହାସଲ କରିଛି । ଭାରତୀୟ ସମୟ ରାତ୍ରି ୯.୦୦ଟା ବେଳେ ମ୍ୟାଚ୍ ଆରମ୍ଭ ହେବାର ଥିଲା । ହେଲେ ବର୍ଷା ହେବାରୁ ମ୍ୟାଚ୍ ଆରମ୍ଭରେ ବିଳମ୍ବ ଘଟିଥିଲା । ମ୍ୟାଚ୍କୁ ୧୨ ଓଭର ଭିତ୍ତିକ କରାଯାଇଥିଲା । ଏଥିରୁ ୪ ଓଭର ପାୱାର ପ୍ଲେ ରହିଥିଲା । ୩ଜଣ ବୋଲରଙ୍କୁ ୨ ଓଭର ଓ ୨ଜଣ ବୋଲରଙ୍କୁ ୩ ଓଭର ଲେଖାଏଁ ବୋଲିଂ କରିବାକୁ ଅନୁମତି ରହିଥିଲା । ଟସ୍ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ଓଭରରେ ଭୁବନେଶ୍ୱର କୁମାର ଓପନିଂ ଯୋଡି ଭାଙ୍ଗିଥିଲେ । ଅଧିନାୟକ ଆଣ୍ଡି ବାଲବରିନ ଖାତା ଖୋଲି ପାରି ନଥିଲେ । ପର ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟା ଅନ୍ୟ ଓପନର ପଲ ଷ୍ଟର୍ଲିଂ(୪)ଙ୍କୁ ଆଉଟ୍ କରିଥିଲେ । ପ୍ରଥମ ୱିକେଟ୍ର ପତନ ପରେ ବ୍ୟାଟିଂ ପାଇଁ ଆସିଥିବା ଗ୍ୟାରେଥ ଡେଲାନି(୮)ଙ୍କୁ ଅଭେଶ ଖାନ ପାଭିଲିୟନ ପଠାଇଥିଲେ । ୨୨ରନ୍ରେ ଆୟର୍ଲାଣ୍ଡ ୩ଟି ୱିକେଟ୍ ହରାଇଥିଲା । ୧୦୯ ରନ୍ ବିଜୟ ଲକ୍ଷ୍ୟ ନେଇ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା । ଦୁଇ ଓପନର ଦୀପକ ହୁଡ଼ା ଓ ଇଶାନ କିଷନ ପ୍ରଥମ ୱିକେଟ୍ରେ ୩୦ ରନ୍ ସଂଗ୍ରହ କରିଥିଲେ । ୧୧ଟି ବଲ୍ରୁ ୨୬(୩ଚୌକା, ୨ଛକା) ରନ୍ କରି କିଷନ ପ୍ରଥମେ ଆଉଟ୍ ହୋଇଥିଲେ । ପରବର୍ତ୍ତୀ ବ୍ୟାଟର ସୂର୍ଯ୍ୟକୁମାର ଯାଦବ ଖାତା ଖୋଲି ପାରି ନଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ହୁଡ଼ାଙ୍କ ସହ ମିଶି ସ୍ଥିତି ସୁଧାରିଥିଲେ । ଉଭୟ ଦଳୀୟ ସ୍କୋରକୁ ୯୪ରେ ପହଞ୍ଚାଇବା ପରେ ତୃତୀୟ ୱିକେଟ୍ର ପତନ ଘଟିଥିଲା । ବ୍ୟକ୍ତିଗତ ୨୪(୧ଚୌକା ୩ଛକା) ରନ୍ କରି ପାଣ୍ଡ୍ୟା ଆଉଟ୍ ହୋଇଥିଲେ । ହୁଡ଼ାଙ୍କ ସହ ଦିନେଶ କାର୍ତ୍ତିକ କ୍ରିଜ୍ରେ ଯୋଗ ଦେଇ ଦଳକୁ ବିଜୟୀ କରାଇଥିଲେ । ୧୬ଟି ବଲ୍ ବାକି ଥାଇ ଭାରତ ବିଜୟ ହାସଲ କରିଥିଲା । ହୁଡ଼ା ୨୯ଟି ବଲ୍ରୁ ୬ଚୌକା ଓ ୨ଛକା ବଳରେ ଅପରାଜିତ ୪୭ ରନ୍ କରିଥିଲେ । କାର୍ତ୍ତିକ ୫ ରନ୍ କରି ଅପରାଜିତ ରହିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |