ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା : ଆଜି ଆୟର୍ଲାଣ୍ଡକୁ ଭେଟିବ ଭାରତ

ଡବଲିନ,୨୬/୦୬: ଆଜି ଘରୋଇ ଆୟର୍ଲାଣ୍ଡ ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା ଖେଳାଯିବ ।   ଭାରତୀୟ ଦଳର ପ୍ରମୁଖ ଖେଳାଳି ଏହି ଶୃଙ୍ଖଳାରେ ଖେଳୁନଥିଲେ ହେଁ    ଆଇପିଏଲ୍‌ ତଥା ଦକ୍ଷିଣ ଆଫ୍ରିକା ଶୃଙ୍ଖଳାରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିଙ୍କ ନେତୃତ୍ବ ନେଉଛନ୍ତି ହାର୍ଦିକ ପାଣ୍ଡ୍ୟା। ଗତ ୮ ମାସରେ ହାର୍ଦିକ ଭାରତର ୬ଷ୍ଠ ଅଧିନାୟକ। ଦଳରେ ପ୍ରାୟ ସମସ୍ତ ଖେଳାଳି ଟ୍ବେଣ୍ଟି୨୦ ବିଶେଷଜ୍ଞ। ତେଣୁ ଘରୋଇ ପଡ଼ିଆରେ ଖେଳିବା ସତ୍ତ୍ବେ ଭାରତୀୟ ଦଳକୁ ହରାଇବା ଆୟରଲାଣ୍ଡ ପାଇଁ କଷ୍ଟକର ହୋଇପାରେ। କାରଣ ଭାରତ ଭଲ ଫର୍ମରେ ରହିଛି। ତଥାପି ଆୟରଲାଣ୍ଡକୁ ଦୁର୍ବଳ ମଣିବା ଠିକ୍‌ ହେବନାହିଁ। ଗତବର୍ଷ ଏହି ଦଳ ଦକ୍ଷିଣ ଆଫ୍ରିକାକୁ ଟି୨୦ରେ ପରାସ୍ତ କରିଥିଲା। ପ୍ରମୁଖ ଖେଳାଳିଙ୍କ ଅନୁପସ୍ଥିତିରେ ଭାରତୀୟ ଯୁବ ଖେଳାଳିଙ୍କୁ ଟି୨୦ ଦଳର ସ୍ଥାନ ନିଶ୍ଚିତ କରିବାକୁ ଏହା ଶ୍ରେଷ୍ଠ ସୁଯୋଗ। ଭାରତ ପାଇଁ ଈଶାନ୍ କିଷନ୍ ଓ ଋତୁରାଜ ଗାଏକ୍‌ୱାଡ ଓପ୍‌ନିଂ ସ୍ଥାନ ବଜାୟ ରଖିପାରନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଈଶାନ୍ ସର୍ବାଧିକ ଦେଢ଼ଶହରୁ ଅଧିକ ଷ୍ଟ୍ରାଇକ୍‌ରେଟ୍‌ରେ ୨୦୬ ରନ୍‌ କରିଥିଲେ। ୩ନଂ ସ୍ଥାନରେ ସୂର୍ଯ୍ୟକୁମାର ଯାଦବ ଖେଳିପାରନ୍ତି। ତାଙ୍କ ପଛକୁ ସଞ୍ଜୁ ସାମ୍‌ସନ, ହାର୍ଦିକ ପାଣ୍ଡ୍ୟା ଓ ଦିନେଶ କାର୍ତ୍ତିକ ବ୍ୟାଟିଂକରିବେ। ପେସ୍ ବୋଲିଂ ବିଭାଗରେ ଉପଅଧିନାୟକ ଭୁବନେଶ୍ବର କୁମାର ଖେଳିବା ନିଶ୍ଚିତ। ଅନ୍ୟ ୨ ପେସ୍ ବୋଲର ଭାବେ ହର୍ଷଲ ପଟେଲ ଓ ଉମ୍ରାନ୍ ମାଲିକ୍ ଖେଳିପାରନ୍ତି। ପେସ୍ ବୋଲର ଆଭେସ୍‌ ଖାଁ ଦଳରେ ଥିଲେ ହେଁ ଉମ୍ରାନ୍‌ ମାଲିକ୍‌ଙ୍କୁ ସୁଯୋଗ ଦେବା ସପକ୍ଷରେ ଅଛନ୍ତି ଅଧିନାୟକ ହାର୍ଦିକ ଓ ପ୍ରଶିକ୍ଷକ ଭିଭିଏସ୍‌ ଲକ୍ଷ୍ମଣ। ଯୁଜବେନ୍ଦ୍ର ଚହଲଙ୍କ ସହ ସ୍ପିନ୍ ବୋଲିଂ ଦାୟିତ୍ବ ସମ୍ଭାଳିବେ ରବି ବିଷ୍ଣୋଇ। ଏପରି ବି ହୋଇପାରେ ଯେ ବିଷ୍ଣୋଇଙ୍କ ସ୍ଥାନରେ ବ୍ୟାଟିଂ ଅଲ୍‌ରାଉଣ୍ଡର ଦୀପକ ହୁଡା ଖେଳିପାରନ୍ତି। ଗତଥର ଆୟରଲାଣ୍ଡ ଗସ୍ତରେ ଲେଗ୍‌ସ୍ପିନର ଚହଲ ୨ ଥର ୩ଟି ଲେଖାଏଁ ୱିକେଟ ନେଇଥିଲେ। ଭାରତ ପ୍ରଥମ ମ୍ୟାଚ୍‌ ଜିତିବା ପରେ ରାହୁଲ ତ୍ରିପାଠୀ ଓ ଅନ୍ୟ ଖେଳାଳିଙ୍କୁ ମଙ୍ଗଳବାର ୨ୟ ମ୍ୟାଚ୍‌ରେ ସୁଯୋଗ ମିଳିପାରେ। ଆୟରଲାଣ୍ଡ ଦଳରେ କିଛି ଭଲ ଷ୍ଟ୍ରୋକ୍ ଖେଳାଳି ଅଛନ୍ତି। ସେମାନେ ହେଲେ ପଲ୍‌ ଷ୍ଟର୍ଲିଂ, କର୍ଟିସ୍ କାମ୍ଫର, ଗାରେଥ୍‌ ଡେଲାନି ପ୍ରଭୃତି। ଅଫ୍‌ସ୍ପିନର ଆଣ୍ଡି ମ୍ୟାକ୍‌ବ୍ରାଇନ୍‌ଙ୍କୁ ନୂଆ ବଲ୍‌ ଦେଇ ଈଶନ୍ କିଷନ୍‌ଙ୍କୁ ରୋକିବାର ପ୍ରୟାସ କରିପାରନ୍ତି ଅଧିନାୟକ ଆଣ୍ଡି ବାଲ୍‌ବର୍ନି।

ଆୟର୍ଲାଣ୍ଡ ଦଳ: ପଲ ଷ୍ଟର୍ଲିଂ, ଆଣ୍ଡି ବାଲବରିନ(ଅଧିନାୟକ), ଗ୍ୟାରେଥ ଡେଲାନି, କର୍ଟିସ କାମ୍ଫର, ହ୍ୟାରୀ ଟେକ୍ଟର, ଲୋର୍କାନ ଟକର, ଜର୍ଜ ଡକରେଲ, ଆଣ୍ଡି ମ୍ୟାକବ୍ରାଇନ, ମାର୍କ ଆଡେୟର, କ୍ରେଗ ୟଙ୍ଗ, ଜୋସ ଲିଟଲ ।

ଭାରତୀୟ ଦଳ: ଋତୁରାଜ ଗାଏକୱାଡ୍‌,ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ସଞ୍ଜୁ ସାମସନ, ହାର୍ଦ୍ଦିକ ପାଣ୍ଡ୍ୟା(ଅଧିନାୟକ), ଦିନେଶ କାର୍ତ୍ତିକ, ଅକ୍ଷର ପଟେଲ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ, ଅଭେଶ ଖାନ, ୟୁଝବେନ୍ଦ୍ର ଚହଲ|

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: