ଭୁବନେଶ୍ୱର,୧୬/୬(ସରସିନୀ ସୁବୁଦ୍ଧି): କଟକଣାରେ କଟିଲା ରଜ ସଂକ୍ରାନ୍ତି। ମଙ୍ଗଳବାର ରଜର ଦ୍ବିତୀୟ ଦିନ ଅର୍ଥାତ ରଜ ସଂକ୍ରାନ୍ତି। ହେଲେ କୋଭିଡ କଟକଣା ମଧ୍ୟରେ ପହିଲି ରଜ ଭଳି ସଂକ୍ରାନ୍ତି ମଧ୍ୟ ଫିକା ପଡିଛି। ରାଜ୍ୟ ରାଜଧାନୀ ଭୁବନେଶ୍ୱରର ବସ୍ତି ଏବଂ ଏହାର ଉପକଣ୍ଠରେ ନିରାଡମ୍ବର ଭାବେ ପର୍ବ ପାଳନ ହୋଇଛି। ଲୁଡୁ, ତାସ୍, ପୁଚି ଦୋଳି ସାଙ୍ଗକୁ ପିଠା ମିଠାର ଆସର ଭିତରେ ନୂଆ ଅନଭୂତି ସାଉଁଟିଲେ ଲୋକେ। କୋଭିଡ କଟକଣା ମଧ୍ୟରେ ପାଳିତ ହେଲା ରଜ ସଂକ୍ରାନ୍ତି। କୋରୋନା କଟକଣାରେ ଖାଁ ଖାଁ ରଜ ମଉଜ। ହେଲେ ତଥାପି କମିନି ଜୋସ୍। ଭୁବନେଶ୍ବର ଡମଣାସ୍ଥିତ ବଣିଆ ସାହି ଅଞ୍ଚଳରେ କୁଆଁରୀ ଝିଅ, ବୋହୂ, ମହିଳା ମିଶି ସମୂହ ରଜ ପର୍ବ ପାଳନ କରିଛନ୍ତି। ସୀମିତ ସଂଖ୍ୟକ ଭିତରେ କୋଭିଡ ନିୟମ ଅନୁଯାଇ ରାଜଦୋଳି, ପୋଡପିଠା, ପାନ ଖାଇ ପରସ୍ପରକୁ ରଜ ଶୁଭେଚ୍ଛା ଜଣାଇଛନ୍ତି। ଏହା ସହ ରଜର ପରମ୍ପରା ଅନୁଯାୟୀ ପୁଚି ଆଉ ନାଚଗୀତ କରି ମଉଜ ପାଳନ କରିଛନ୍ତି। କୋଭିଡ ପୂର୍ବ ବର୍ଷ ଠାରୁ ଅନେକ ଫରକ ଥିଲେ ମଧ୍ୟ ପରିବାରବର୍ଗ ଓ ବନ୍ଧୁ ପରିଜନଙ୍କ ସହ ପର୍ବ ପାଳନ କରିଥିବା କହିଛନ୍ତି। ସେହିପରି ଡମଣା ସ୍ଥିତ ପାଇକ ନଗର ଅଞ୍ଚଳରେ ବିନା ଦୋଳିରେ ରଜ ପାଳିଛନ୍ତି କୁଆଁରୀ। ଆପାର୍ଟମେଣ୍ଟ ପରିସରର ଦୋଳି ମନା ହେତୁ ଛାତ ଉପରେ ଲୁଡୁ ତାସ୍ ଖେଳି ଖୁସି ବାଣ୍ଟିଛନ୍ତି। ଏହା ସହ ପିଠା ପାନ ଖାଇ ରଜ ଅଭିନନ୍ଦନ ଜଣାଇଛନ୍ତି। ସେହିପରି ବସ୍ତିରେ ମଧ୍ୟ ମଉଜ ଫିକା ପଡିନାହିଁ। ସାଲିଆ ସାହି ଶ୍ରୀରାମ ନଗରର କୁଆଁରୀ ସଜବାଜ ହୋଇ ରଜ ଗୀତ ଗାଇ ଦୋଳି ଖେଳି ମଜା ନେଇଛନ୍ତି। ରାତି ପାହିଲେ ସରିବ ରଜ ପର୍ବ। ଗତ ବର୍ଷ ଠାରୁ ଏଥର ଫିକା ଫିକା ନିରାଡମ୍ବରରେ ଭାବେ ମଉଜ ସରିବ। ତଥାପି ଅପେକ୍ଷା ରହିବା ଆର ବର୍ଷକୁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |