ମାଲକାନଗିରି, ୨୩/୫(ଶ୍ରୀନିବାସ ପଣ୍ଡା):- ମାଲକାନଗିରି ଜିଲ୍ଲାର ତିନି ସହ ସତୁରି ଫୁଟ ଉଚ୍ଚରେ ମୁଦୁଲି ପଡ଼ା ପଞ୍ଚାୟତ ମୁଖ୍ୟତଃ ବଣ୍ଡା ଜନଜାତି ଙ୍କର ବସତି। ବାହାର ଦୁନିଆଁ ଠାରୁ ଦୂରରେ ରହିବାକୁ ସେମାନେ ପସନ୍ଦ କରନ୍ତି। ପ୍ରଶାସନର ଉଦ୍ୟମ ଯୋଗୁ ଧୀରେ ଧୀରେ କିଛିଟା ପରିବର୍ତ୍ତନ ଦେଖାଯାଉଛି। ଦୀର୍ଘ ପନ୍ଦର ମାସ ପୂର୍ବରୁ କରୋନା ସମଗ୍ର ପୃଥିବୀକୁ ଗ୍ରାସ କରିଥିବା ବେଳେ ବଣ୍ଡା ଘାଟିର ବଣ୍ଡା ଜନଜାତିଙ୍କୁ ସ୍ପର୍ଶ କରିପାରିନଥିଲା। ତାର ଏକ ମାତ୍ର କାରଣ ସେମାନେ ବିଶେଷ କାମ ନଥିଲେ ସହରକୁ ଆସନ୍ତି ନାହିଁ। ଏବେ ବଣ୍ଡା ବସତିର କିଛି ଲୋକ କରୋନା ସଂକ୍ରମିତ ହେବା ଦେଖାଯାଇଛି। ଏ ଖବର ଗଣ ମାଧ୍ୟମରେ ପ୍ରକାଶ ପାଇବା ପରେ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରକାର ପଦକ୍ଷେପ ନେଉଥିବା ସୂତ୍ରରୁ ପ୍ରକାଶ। ନିଜେ ଜିଲ୍ଲାପାଳ ସିଡିଏମଓ ଙ୍କୁ ନେଇ ଘାଟିର ଲୋକ ମାନଙ୍କୁ କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପ୍ରତିକାର ବିଷୟରେ ବୁଝାଇବା ସହିତ ବଣ୍ଡା ଭାଷୀ ଲୋକଙ୍କ ଦ୍ୱାରା ସଚେତନ କରାଇବା ମହତ୍ୱପୂର୍ଣ୍ଣ ପଦକ୍ଷେପ। ବ୍ଲକ ପ୍ରଶାସନ ବଣ୍ଡାଘାଟିରେ ପହଞ୍ଚି ଲୋକଙ୍କୁ ମାସ୍କ ବଣ୍ଟନ ସହ ସାମାଜିକ ଦୂରତା ଏବଂ ହାତ ଧୋଇବା ସଂପର୍କରେ ବୁଝାଇବା କାର୍ଯ୍ୟକ୍ରମ ଚାଲୁରଖିଛି। ସେଠାରେ କାମ କରୁଥିବା ବିଭିନ୍ନ ଏନ୍ଜିଓ ମାନଙ୍କୁ ଦାୟୀତ୍ବ ପ୍ରଦାନ କରିବା ସହିତ ସମସ୍ତ ସରକାରୀ କଳ ସେଠାରେ ତତ୍ପରତାର ସହ କାମ କରିବାକୁ ପହଞ୍ଚି ଗଲେଣି। ଏବେ ବଣ୍ଡାଘାଟିରେ ଥିବା ୩୨ଟି ଗାଁରେ ପ୍ରଶାସନ ପହଞ୍ଚି ଲୋକଙ୍କର କରୋନା ଟେଷ୍ଟ କରିବା ସହିତ ନେଗେଟିଭମାନଙ୍କୁ କରୋନା ଟିକା ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରିଛି। ପ୍ରଶାସନ ସ୍ଥାନୀୟ ଲୋକଙ୍କ ସହିତ ମିଶି ଲୋକମାନଙ୍କୁ ବୁଝାଇବା ଫଳରେ ଅଧିବାସୀ ମାନେ ସ୍ୱଇଚ୍ଛାରେ ଟିକାପ୍ରତି ଅଗହି ହେବା ଦେଖାଯାଉଛି। ପ୍ରଶାସନ ତ୍ୱରିତ ପଦକ୍ଷେପ ନେବାଯୋଗୁ ନିଶ୍ଚିତ ଗୋଷ୍ଠୀ ସଂକ୍ରମଣ କୁ ରୋକାଯାଇପାରିଲା। ନଚେତ ଅବସ୍ଥା ଭୟଙ୍କର ହେଇଥାନ୍ତା। କାରଣ ବଣ୍ଡାମାନେ ଆଦିମ ଜନଜାତି ଶ୍ରେଣୀର। ସମସ୍ତ ରୋଗପାଇଁ ପାରଂପାରିକ ଚିକିତ୍ସା ପଦ୍ଧତିକୁ ଗୁରୁତ୍ୱ ଦିଅନ୍ତି। ପ୍ରଶାସନର ଉଦ୍ୟମ ଯୋଗୁ ମାସ୍କ ପିନ୍ଧିବା ଆରମ୍ଭ କଲେଣି। ପ୍ରଥମେ ୧୨ ଜଣ ସଂକ୍ରମିତ ହେଇଥିବା ବେଳେ ଏମାନଙ୍କ ମଧ୍ୟରୁ ୪ ଜଣ ସୁସ୍ଥ। ଆଜି ଅଣ୍ଡ୍ରାହାଲ ପଞ୍ଚାୟତର ଜଣେ ସଂକ୍ରମିତ ହୋଇଥିବା ଜଣାପଡିଛି। ଆଗକୁ ନିଷ୍ଠାର ସହ ଅଭିଯାନ ଚାଲୁ ରଖିଲେ ଗୋଷ୍ଠୀ ସଂକ୍ରମଣକୁ ନିଶ୍ଚିତ ଭାବେ ରୋକାଯାଇପାରିବ ଏଥିରେ ସନ୍ଦେହ ନାହିଁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |