ମହାକାଳପଡ଼ା,୨/୦୬ –ବାତ୍ୟା, ବନ୍ୟା, ଝଡ଼, ଘଡ଼ଘଡ଼ି ଇତ୍ୟାଦି ଆସିଲେ ବିଜୁଳି ବିଭାଗ ପାଇଁ ଇନ୍ସୁଲେଟର ବା ଶଙ୍ଖ ଚିନ୍ତା ବିଜୁଳି ବିଭାଗକୁ ଘାରୁଛି । ଯାହା ପାଇଁ ଅନେକ ସମୟରେ ବତାସ ଘଡ଼ଘଡ଼ି ସମୟରେ ଶଙ୍ଖ ଫାଟିବା, ବିଦ୍ୟୁତ୍ ସଂଯୋଗରେ ବାଧା ହେବା ଏକ ପ୍ରକାର ବିଜୁଳି ବିଭାଗର ସବୁଦିନିଆ ଉତର । ଗ୍ରାହକମାନଙ୍କ ପାଖରୁ ଫୋନ୍ ଗଲେ ବିଜୁଳି ବିଭାଗର ଅଧିକାରୀମାନେ ଉତର ଦିଅନ୍ତି, ଆଜ୍ଞା ଗୋପାଳପୁର ପାଖରେ ଶଙ୍ଖ ଫାଟିଯାଇଛି, ବିଜୟନଗର ପାଖରେ ଶଙ୍ଖ ପଂଚର ହୋଇଯାଇଛି, ଜମ୍ବୁ ପାଖରେ ଘଡ଼ଘଡ଼ିପଡ଼ି ଶଙ୍ଖ ଫାଟିଯାଇଛି । ଯଦୁପୁର ପାଖରେ ବନ୍ୟା ଆସିବା ଦ୍ୱାରା ବନ୍ୟାପାଣି ଶଙ୍ଖକୁ ଛୁଇଁଯିବ ତେଣୁ ଆମେ ଲାଇନ୍ କାଟି ଦେଇଛୁ । ଏପରିକି ଜୋରେ ପବନ ବହିଲେ ତାରକୁ ତାର ବାଡ଼େଇ ହୋଇ କେଉଁଠି ଶଙ୍ଖ ଫାଟି ଯାଉଛିତ କେଉଁଠି ତାର ଛିଡ଼ି ତଳେ ନଟିକି ଯାଉଛି । ବିଶେଷକରି ଶଙ୍ଖ ଫାଟିବା, ଶଙ୍ଖ ଭାଙ୍ଗିବା, ଶଙ୍ଖ ପଂକ୍ଚର ହେବା ବିଜୁଳି ସେବାର ମୁଖ୍ୟ ପ୍ରତିବନ୍ଧକ ସାଜିଛି ଓ ଉପକୂଳ ବାସୀଙ୍କୁ ହରକତ କରିଆସୁଛି । ତେବେ ଏହି ଦାଉରୁ ରକ୍ଷା କରିବା ପାଇଁ ଏବେ ଭୂତଳ କେବୁଲ୍ ସେବା ପାଇଁ ସରକାର ଚିନ୍ତା କରୁଥିବା ବେଳେ ମହାକାଳପଡ଼ା ଭଳି ବାତ୍ୟା ଅଂଚଳରେ ଅଗ୍ରାଧିକାର ଭିତିରେ ଅଂଚଳକୁ ହାତକୁନେବାକୁ ବିଜୁଳି ଗ୍ରାହକମାନଙ୍କ ପାଖରୁ ଦାବି ଜୋର ଧରିଲାଣି । ୧୯୯୯ ମସିହା ମହାବାତ୍ୟା ପରେ ଫାଇଲିନ୍, ହୁଡ଼ୁହୂଡ଼, ଫନି, ଅମ୍ଫାନ ଏପରିକି ବାତ୍ୟା ୟସ୍ରେ ମଧ୍ୟ ଅନେକ ଇନ୍ସୁଲେଟର ବା ଶଙ୍ଖ ଫାଟି ଯାଇଥିଲା । ତାରଛିଣ୍ଡିବା ଘଟଣାଟି ଲୋକଲୋଚନକୁ ଆସିଥିବା ବେଳେ ଶଙ୍ଖ ପଂକ୍ଚରହେବା ଯାହାକୁ ବିଜୁଳିବିଭାଗ ଧରିବା ପାଇଁ ଘଂଟା ଘଂଟା ସମୟ ଲାଗୁଛି । ଏପରିକି ଗୋଟିଏ ଖଂଟରେ ଯଦି ଗୋଟିଏ ଶଙ୍ଖ ପଂକ୍ଚର ହୋଇଯାଏ ତେବେ ସାରା ଅଂଚଳ ଅନ୍ଧାର ହୋଇଯାଏ । ସାଧାରଣତଃ ୪ ପ୍ରକାର ଇନ୍ସୁଲେଟର ବିଜୁ ବିଭାଗରେ ବ୍ୟବହୃତ ହୋଇଥାଏ । ୧୧ କେଭି, ୩୩ କେଭି ଓ ଏଲଟିରେ ପିନ୍ ଇନ୍ସୁଲେଟର ଲାଗିଥାଏ । ସେହିପରି ୧୧ କେଭି ଓ ୩୩ କେଭିରେ ଡିସ୍ ଇନ୍ସୁଲେଟର ଏବି ସୁଇଚ୍ରେ ପୋଷ୍ଟ ଇନ୍ସୁଲେଟର ଓ ଡିପିରେ ଲାଇଟିଂ ଆରେଷ୍ଟର ଲଗାଯାଇଥାଏ । ଏଗୁଡ଼ିକ ସବୁ ଚିନା ମାଟିରେ ତିଆରି । ଯାହାକୁ ଓଡ଼ିଆରେ ଲୋକେ କୁହନ୍ତି ଶଙ୍ଖ । ଟିପିସିଓଡିଏଲ୍ ମାଲିକାନାକୁ ମହାକାଳପଡ଼ା ଅଂଚଳ ଯିବା ପରେ କିଛି ମାତ୍ରାରେ ବିଦ୍ୟୁତ୍ ସେବାରେ ସୁଧାର ଆସିଛି । କିନ୍ତୁ ବାତ୍ୟା, ବନ୍ୟା ଓ ଘଡ଼ଘଡ଼ି ସମୟରେ ବିଦ୍ୟୁତ୍ ସରବରାହରେ ବାଧା ଆସେ । ପବନ ନଥିବ, ବର୍ଷା ହେଉଥିବ, ଯଦି ଘଡ଼ଘଡ଼ି ମାଇଲା ତେବେ ଇନ୍ସୁଲେଟର ଗୁଡ଼ିକର ବ୍ୟାପକ କ୍ଷୟକ୍ଷତି ହୁଏ । ୩୩ କେଭିରେ ୩୩ହଜାର ଭୋଲ୍ଟ, ୧୧ କେଭିରେ ୧୧ ହଜାର ଭୋଲ୍ଟ ସରବରାହ ଥିବା ବେଳେ ଯଦି ଘଡ଼ଘଡ଼ିମାରିଲା ତେବେ ଶଙ୍ଖକୁ ବିପଦ । ଯାହା ପାଇଁ ବିଜୁଳି ବିଭାଗ ଚାହିଁଲେ ମଧ୍ୟ ଏହାକୁ ରୋକିପାରେନି । ବିଶେଷକରି ବାତ୍ୟାଂଚଳ ମହାକାଳପଡ଼ା ଭଳି ଏକ ଦୁର୍ଗମ ଇଲାକାରେ ୧୧ କେଭି ପ୍ରାୟ ୬୦୦ କିଲୋମିଟର, ଏଲ୍ଟି ପ୍ରାୟ ୭୦୦ କିଲୋମିଟର ଓ ୩୩ କେଭି ପ୍ରାୟ ୪୪ କିଲୋମିଟର ରହିଛି । ମହାକାଳପଡ଼ା ଭଳି ଏକ ବିଶାଳ ବ୍ଲକର ୩୧ ଗୋଟି ପଂଚାୟତରେ ଏଭଳି ଏକ ବଡ଼ ବ୍ୟବସ୍ଥା ଅର୍ଥାତ୍ ଭୂତ କେବୁଲ୍ ସେବା ନିହାତି ଆବଶ୍ୟକତା ହୋଇପଡ଼ିଛି । ବାତ୍ୟାର ଗନ୍ତାଘର କୁହାଯାଉଥିବା ବଙ୍ଗୋପସାଗର କୂଳେ କୂଳେ ଏହି ପଂଚାୟତ ଗୁଡ଼ିକର ଅବସ୍ଥିତି । ଯଦି ଭୂତଳ କେବୁଲ୍ ସେବା ସରକାରଙ୍କର ଏକ ଦୀର୍ଘମିଆଦି ଯୋଜନା ଭଳି ମହତ କାର୍ଯ୍ୟକ୍ରମ ଆରମ୍ଭ ହେଉଛି, ତେବେ ବଙ୍ଗୋପସାଗର କୂଳରେ ଅବସ୍ଥିତ ଥିବା ମହାକାଳପଡ଼ା ବ୍ଳକର ୩୧ ଗୋଟି ପାଂଚୟତକୁ ବିଜୁଳିସେବା ନିରନ୍ତର ଯୋଗାଇ ଦେବାକୁ ହେଲେ ସରକାରଙ୍କର ଏହି ମହତ୍ୱାକାଂକ୍ଷି ଯୋଜନାରେ ଅଂଚଳର ସାମିଲ ହେବା ଜରୁରୀ । ବତୀଘର, ନିପାଣିଆ, କଜଳପାତିଆ, ଟୁବି, ଖୋଳା, ଖରିନାସୀ, ହରିଆବାଙ୍କ, ବାରନମ୍ବର, ଜମ୍ବୁ, କଣ୍ଡରାପାଟିଆ, ସୁନିତି, କଂସାରବଡ଼ଦାଣ୍ଡୁଆ, ବଗଗହଣ, ପଙ୍କପାଳ, କାଂସପାଳ, ସ୍କୁଲ ଘେରି ପ୍ରଭୃତି ଅଂଚଳକୁ ବର୍ତମାନର ସରକାର ସମୟରେ ବିଜୁଳି ସେବା ଦିଆଯିବା ଉପରେ ପ୍ରାଥମିକତା ଦେବା ସହ ଅନେକ ଉପାନ୍ତ ଅଂଚଳକୁ ବିଜୁଳିସେବା ପହଂଚା ଯାଉଛି । ଯାହା ପାଇଁ ବିଜୁଳିସେବାରୁ ସମସ୍ତେ ଉପକୃତ ହୋଇପାରୁଛନ୍ତି । ତେଣୁ ବର୍ତମାନ ସରକାର ମହାକାଳପଡ଼ାକୁ ପ୍ରାଥମିକତା ଦେଇ ଦୀର୍ଘମିଆଦି ଯୋଜନାରେ ସାମିିଲ କଲେ ସବୁ ବିଜୁଳି ଉପଭୋକ୍ତା ଏହାର ସୁଫଳ ପାଇପାରିବେ । (ଫଟୋ-୩)
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |