ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କଲେ ପୂର୍ବତନ ବିଧାୟକ

ରାଜକନିକା,୨୧/୯(ଓଡିଆନ ମିଡିଆ ): ରାଜକନିକା ବ୍ଲକ୍‌ର ବନ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିଛନ୍ତି ଆଳିର ପୂର୍ବତନ ବିଧାୟକ ତଥା ବିଜେପିର ବରିଷ୍ଠ ନେତା ଦୋଳଗୋବିନ୍ଦ ନାୟକ । ପୂର୍ବତନ ବିଧାୟକ ଶ୍ରୀନାୟକ ପଧାନପଡ଼ା ପଂଚାୟତରେ ଜଳବନ୍ଦୀ ଲୋକମାନଙ୍କୁ ଭେଟି ଜଳ ସମସ୍ୟା ସଂପର୍କରେ ପଚାରିବୁଝିଥିଲେ । ଏହା ସହିତ ରିଲିଫ୍ ଏବଂ ଚାଷର କ୍ଷୟକ୍ଷତି ସଂପର୍କରେ ମଧ୍ୟ ଆଲୋଚନା କରିଥିଲେ । ପୂର୍ବତନ ବିଧାୟକଙ୍କ ସହିତ ବିଜେପି ୨୮ ନମ୍ବର ଜୋନ୍ ସଭାପତି ଅନୁରାଧା ସାମଲ, ପଧାନପଡ଼ା ପଂଚାୟତର ପ୍ରାକ୍ତନ ସମିତି ସଭ୍ୟ ସୂର୍ଯ୍ୟମଣି ଦାସ ଏବଂ ବାମଦେବ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ଚଳିତ ବର୍ଷ ଲଘୁଚାପଜନିତ ଲଗାଣ ବର୍ଷା କାରଣରୁ ବ୍ରାହ୍ମଣୀ, ଖରସ୍ରୋତା ଓ ବୈତରଣୀ ନଦୀରେ ବନ୍ୟା ଜଳ ପ୍ରବାହିତ କାରଣରୁ ଆସନ୍ନ ବନ୍ୟା ରାଜକନିକା ବ୍ଲକ୍‌ର ଦୁଇଟି ଗ୍ରାମକୁ ଜଳବନ୍ଦୀ କରିଦେଇଥିଲା । ଚଳିତ ବନ୍ୟାରେ ରାଜକନିକା ବ୍ଲକ୍‌ର ୧୩ଟି ଗ୍ରାମ ପଂଚାୟତର ଲୋକେ ପ୍ରଭାବିତ ହୋଇଛନ୍ତି । ବାରାହାଦୋମୁଣ୍ଡା ଗ୍ରାମପଂଚାୟତର ଦୁଇଟି ଗ୍ରାମ କାଏମା କନପୁର ଏବଂ ବାରାହ କନପୁର ଗାଁକୁ ବନ୍ୟା ଜଳ ପ୍ରବେଶ କରିଥିଲା । ବାରାହା ଦୋମୁଣ୍ଡା, ପାରିନୂଆପଡ଼ା, ହାବଳଗଣ୍ଡ, ପଧାନପଡ଼ା, ଅବଦୁଲପୁର, ଚରପଡ଼ା, ହାଟସାହି ଏବଂ ସିକୋ ପ୍ରମୁଖ ପଂଚାୟତରେ ବନ୍ୟା ଜଳ ପ୍ରବେଶ କରିଥିଲା । ଶହଶହ ହେକ୍ଟର ଚାଷ ଜମିରେ ବନ୍ୟା ପାଣି ଜମି ରହିଛି । ବ୍ୟାପକ ସଫଲ କ୍ଷୟକ୍ଷତି ହେବା ନେଇ ଆଶଙ୍କା ଦେଖାଦେଇଛି । ଧୀରେ ଧୀରେ ବନ୍ୟା ପାଣି କମିବାରେ ଲାଗିଛି । ପ୍ରଶାସନ ପକ୍ଷରୁ ସୁଖିଲା ଖାଦ୍ୟ ଚୁଡ଼ା ବିସ୍କୁଟ୍‌, ଗୁଡ଼, ଗୋଖାଦ୍ୟ ଏବଂ ପାଣି ବୋତଲ ବନ୍ୟାବିପନ୍ନଙ୍କୁ ବଂଟନ କରାଯାଇଛି । ତୁରନ୍ତ ବନ୍ୟାବିପନ୍ନଙ୍କୁ କ୍ଷୟକ୍ଷତି ପ୍ରଦାନ ସହିତ ଚାଷଜମିରେ ହୋଇଥିବା କ୍ଷତିର ଆକଳନ କରିବାକୁ ପ୍ରଶାସନ ନିକଟରେ ଦାବି କରିଛନ୍ତି ପୂର୍ବତନ ବିଧାୟକ ଶ୍ରୀନାୟକ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: