ବଳରାମ ଯୋଜନା ସହାୟତା ରାଶି ପ୍ରଦାନ ମେଳାରେ ହିନସ୍ତା ହେଲେ ହିତାଧିକାରୀ

ମିଳିତ ଦେୟ ଗୋଷ୍ଠିଙ୍କ ସଂଖ୍ୟାରେ ରହୁନି ତାଳମେଳ

ରାଜକନିକା,୪/୯ : ରାଜକନିକା ବ୍ଲକ୍‌ରେ ବଳରାମ ଯୋଜନାର ସହାୟତା ରାଶି ପ୍ରଦାନ ମେଳାରେ ହିନସ୍ତା ହୋଇଛନ୍ତି ହିତାଧିକାରୀ । ଶନିବାର ମଧ୍ୟାହ୍ନରେ ବଳରାମ ଯୋଜନାର ଅର୍ନ୍ତଭୁକ୍ତ ମିଳିତ ଦେୟ ଗୋଷ୍ଠି ହିତାଧିକାରୀ ମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିଲା । ଏଥିପାଇଁ ରାଜକନିକା ପଂଚାୟତ ସମିତି ସଭା କକ୍ଷରେ ସଭାର ଆୟୋଜନ ବି ହୋଇଥିଲା । ପ୍ରାୟ ପାଂଚଶହରୁ ଅଧିକ ମହିଳାମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ମେଳାରେ କେତେ ଗୋଷ୍ଠିଙ୍କୁ ସହାୟତା ରାଶି ପ୍ରଦାନ କରାଗଲା ସେଥିରେ ତାଳମେଳ ରହୁନଥିବାରୁ ଏହି ଯୋଜନାର କାର୍ଯ୍ୟକାରିତା ଉପରେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଜି ଅନୁଷ୍ଠିତ ଏହି ମେଳାରେ ମାତ୍ର ୩୯ଟି ମିଳିତ ଦେୟ ଗୋଷ୍ଠି ହିତାଧିକାରୀ ମାନଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଥିବା ନେଇ କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କର ଶାଖା ପରିଚାଳକ ରବିନାରାୟଣ ସେନାପତି କହିଛନ୍ତି । ହେଲେ କନିକା ତହସିଲଦାର ପ୍ରେମାନନ୍ଦ ବେହେରା କହିଛନ୍ତିଯେ, ୪୫୦ଟି ଗୋଷ୍ଠିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ହେଲେ ସେଥିମଧ୍ୟରୁ ୪୨୭ ଟି ଗୋଷ୍ଠିର ହିତାଧିକାରୀ ମାନଙ୍କୁ ୪କୋଟି ୨୩ ଲକ୍ଷ ୮୯ ହଜାର ଟଙ୍କା ଗୋଷ୍ଠିର ହିତାଧିକାରୀଙ୍କୁ ବିଧାୟକ ଚେକ୍ ବଂଟନ କରିଛନ୍ତି । ଏହି ଦୁଇ ଅଧିକାରୀଙ୍କ କଥାରେ ତାଳମେଳ ରହୁନାହିଁ । ବ୍ୟାଙ୍କ ଆଗରେ ପ୍ରାୟ ଚାରିଶହ ମହିଳା ବସିରହିଥିବାର ଦେଖିବାକୁ ମିଳିଥିଲା । ସହାୟତା ରାଶି ଦେଇଥିବା ଶାଖା ପରିଚାଳକଙ୍କ କଥା ସତ ନାଁ ତହସିଲଦାରଙ୍କ କଥା ଠିକ୍ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଳିର ବିଧାୟକ ପ୍ରତାପ କେଶରୀ ଦେବ ମୁଖ୍ୟଅତିଥି ଭାବେ ଯୋଗେଦେଇ ବଳରାମ ଯୋଜନା ସଂପର୍କରେ ଆଲୋକପାତ୍ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଡ଼ିଓ ଅଶୋକ କୁମାର ମହାନ୍ତି, ବିଧାୟକଙ୍କ ପ୍ରତିନିଧି ବିକାଶ ଦାସ ପ୍ରମୁଖ ଯୋଗଦେଇଥିଲେ । ହେଲେ ରାଜକନିକା ବ୍ଲକ୍‌ର ଭୂମିହୀନ ଗରିବ ଲୋକାମାନଙ୍କୁ ସହାୟତା ରାଶି ପ୍ରଦାନରେ ହଟହଟା ହେବାକୁ ପଡ଼ିଥିଲା । ବିଶେଷ କରି ମହିଳାମାନେ ପ୍ରବଳ ଖରାରେ ଶୋଷରେ ଆଉଟୁ ପାଉଟୁ ହେଉଥିଲେ । ମହିଳାମାନେ ଛୋଟ ଛୋଟ ପିଲାମାନଙ୍କ ସହିତ ଆସି ପାଣି ଟୋପାଏ ପାଇପାରିନଥିଲେ । ବିଧାୟକଶ୍ରୀଦେବ ବଳରାମ ଯୋଜନାର ଅର୍ନ୍ତଭୁକ୍ତ ମିଳିତ ଦେୟ ଗୋଷ୍ଠି ହିତାଧିକାରୀ ମହିଳମାନଙ୍କୁ କିଛି ପାସ୍ ବୁକ୍ ଏବଂ ଚେକ୍ ବଂଟନ କରିଦେଇଥିଲେ । ହେଲେ ଏହି ମେଳାରେ ହିତାଧିକାରୀମାନଙ୍କୁ ସହାୟତା ରାଶି ଅର୍ଥ ଦିଆଯାଇନଥିଲା । ଏହି କାରଣକୁ ନେଇ ମହିଳାମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା । ଦୂରଦୂରାନ୍ତରୁ ସକାଳୁ ଆସିଥିବା ଶହଶହ ମହିଳାମାନେ ଭୋକ ଓପାସରେ ସନ୍ଧ୍ୟା ପାଂଚଟା ପର୍ଯ୍ୟନ୍ତ କଟକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଆଗରେ ଭିଡ଼ ଲଗାଇଥିବାର ଦେଖିବାକୁ ମିଳିଥିଲା । ଅନେକ ମହିଳା ଆର୍ଥିକ ସହାୟତା ରାଶି ନପାଇ ଫେରିଯିବାକୁ ବାଧ୍ୟ ହୋଇଥିବାର ଜଣାପଡ଼ିଛି । ସେବତୀ ମଳିକ, ମନୋରମା ଦାସ, ସରସ୍ୱତୀ ବାରିକ, ସନ୍ଧ୍ୟାରାଣୀ ବେହେରା ପ୍ରମୁଖ ହିତାଧିକାରୀ ଅଭିଯୋଗ କରିଛନ୍ତିଯେ, ମେଳା କରୁଥିବା ସ୍ଥାନରେ ଆର୍ଥିକ ସହାୟତା ରାଶି ନଦେଇ ଆମକୁ ଦୁଇ କିଲୋମିଟର ପର୍ଯ୍ୟନ୍ତ ଚାଲିବା ପରେ ବ୍ୟାଙ୍କରେ ଲମ୍ବାଧାଡ଼ିରେ ଠିଆହେବାକୁ କୁହାଯାଇଥିଲା । ପ୍ରବଳ ଖରାରେ ଆମେ ଭୋକ ଓପାସରେ ଚାଲି ଚାଲି ବ୍ୟାଙ୍କରେ ପହଂଚିବାକୁ ପଡ଼ିଥିଲା । ରାତି ପର୍ଯ୍ୟନ୍ତ ରହି ସହାୟତା ରାଶି ନେବାକୁ ପଡ଼ିଲା ବୋଲି ଅଭିଯୋଗ କରିଛନ୍ତି । ଏହି ଘଟଣା ସଂପର୍କରେ ବ୍ୟାଙ୍କର ଶାଖା ପରିଚାଳକଙ୍କୁ ପଚାରିବାରୁ ସେ କହିଛନ୍ତିଯେ, ଆମେ କଣ କରିବୁ ଏତେ ଲୋକ ସହାୟତା ରାଶି ପ୍ରଦାନ କରିବା ବେଳେକୁ ସନ୍ଧ୍ୟା ପାଂଚଟା ବାଜିଗଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: