ଭୁବନେଶ୍ଵର ୨୪।୦୫: ଭୀଷଣ ରୂପ ଧରି ମୁହାଁଉଛି ସାମୁଦ୍ରିକ ଝଡ ‘ୟସ୍’। ଗତକାଲି ଅବପାତରେ ପରିଣତ ହୋଇ ଆଜି ବ୍ୟାତାର ରୂପ ନେଇ ସାରିଛି ବାତ୍ୟା ୟସ୍। ୨୬ ତାରିଖ ସନ୍ଧ୍ୟାରେ ବାତ୍ୟା ସ୍ଥଳଭାଗ ଛୁଇଁବ। ପାରାଦୀପ-ସାଗର ଦ୍ଵୀପ ମଝିରେ ବାଲେଶ୍ଵର ପାଖାପାଖି ବାତ୍ୟା ଲ୍ୟାଣ୍ଡଫଲ୍ କରିବ। ବାତ୍ୟା ଏବଂ ପର ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜୋରସୋର ଚାଲିଛି। ଆମକୁ ଗୋଟିଏ ସମୟରେ ଦୁଇଟି ବିପଦର ମୁକାବିଲା କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରି କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି, ବାତ୍ୟା ଆମ ପାଇଁ ନୂଆଁ ନହେଲେ ବି ଆମକୁ ସତର୍କ ରହିବାକୁ ପଡିବ। ଗତ ବର୍ଷ ଆମେ କୋଭିଡ୍ ସହ ଅମ୍ପନ ବାତ୍ୟାକୁ ସାମ୍ନା କରିଥିଲେ। ସାମାନ୍ୟ ଅବହେଳା ଆମ ପାଇଁ ବଡ ବିପଦ ସୃଷ୍ଟି କରିପାରେ। ବାତ୍ୟା ଓ କୋଭିଡର ମୁକାବିଲା କରିବାକୁ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ। ଏମିତି ସମୟରେ ଆପଣଙ୍କ ସହଯୋଗ ଏକାନ୍ତ ଆବଶ୍ୟକ। ବାତ୍ୟା ମୁକାବିଲାରେ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ।
ମୁଖ୍ୟମନ୍ତ୍ରୀ କହିଛନ୍ତି ୪ କୋଟି ଓଡିଶାବାସୀ ମୋର ପରିବାର। ମୋ ପରିବାରର ନିରାପତ୍ତା ମୋର ବଡ ପ୍ରାଥମିକତା। ଲୋକଙ୍କୁ ନିରାପଦ ସ୍ଥାନରେ ପହଞ୍ଚାଇବା ଆମ କାମ। ସମସ୍ତଙ୍କୁ ପକ୍କା ଘର ବା ନିରାପଦ ସ୍ଥାନକୁ ଚାଲିଯିବାକୁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି। ବାତ୍ୟା ମୁକାବିଲାରେ ପ୍ରଶାସନକୁ ସହଯୋଗ କରନ୍ତୁ।
ସଂପ୍ରତି ମାନବଜାତି କଷ୍ଟକର ସମୟ ଦେଇ ଗତି କରୁଛି। କୋଭିଡ୍ ବିରୋଧରେ ଆମ ଲଢେଇ ଜାରି ରହିଥିବା ବେଳେ ଏହି ସମୟରେ ବାତ୍ୟା ୟସ୍ ଆମ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏକ ସମୟରେ ଆମକୁ ଦୁଇଟି ବଡ ବିପଦର ମୁକାବିଲା କରିବାକୁ ହେବ। ଗତବର୍ଷ କୋଭିଡ୍ ସହ ଅମ୍ପାନର ମୁକାବିଲା କରିଥିଲୁ। ତେଣୁ ବାତ୍ୟା ଓଡିଶା ପାଇଁ ନୂଆ ନୁହେଁ। ତଥାପି ଆମକୁ ସାବଧାନ ହେବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ, ବାତ୍ୟା ୟସ୍ରେ ରାଜ୍ୟର ଚାରୋଟି ଜିଲ୍ଲା ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲା ଅଧିକ ପ୍ରଭାବିତ ହେବେ। ଏହି ସାମୁଦ୍ରିକ ଝଡ ବାଲେଶ୍ଵର ପାଖାପାଖି ସ୍ଥଳଭାଗ ଛୁଇଁବା ନେଇ ଭୁବନେସଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସ୍ଥିତି ମୁକାବିଲା ପାଇଁ ଏନଡିଆରଏଫ ଓ ଓଡ୍ରାଫଙ୍କୁ ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳକୁ ପଠାଯାଇଛି। ନୌସେନା ଓ ବାୟୁସେନା ମଧ୍ୟ ବିପଦର ମୁକାବିଲା ପାଇଁ ଅଣ୍ଟା ଭିଡିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |