ବାତ୍ୟା କ୍ଷୟକ୍ଷତି ଓ ପୁନରୁଦ୍ଧାର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର,୨/୬:ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବାତ୍ୟା ୟାସର କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରି ବାତ୍ୟା ସମୟରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ତଥ୍ୟ ସଂଗ୍ରହ କରି ଉତ୍ତମ ଭାବରେ ଡକୁମେଣ୍ଟେସନ୍‌ କରିବା ପାଇଁ ପରାମର୍ଶ ଦେଇଛନ୍ତି ।ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ବିଭିନ୍ନ ସଂପୃକ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ବାତ୍ୟା ସମୟରେ ଉଲ୍ଲେଖନୀୟ ପଦର୍ଶନ କରି ଲୋକଙ୍କ ଜୀବନ ସୁରକ୍ଷା କରିଛନ୍ତି । ବାତ୍ୟା ପରେ ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ଅତି କମ୍‌ ସମୟ ମଧ୍ୟରେ କରାଯାଇପାରିଛି । ସେଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ସମସ୍ତ କାର୍ଯ୍ୟର ଡକୁମେଣ୍ଟେସନ କରିବାର ଆବଶ୍ୟକତା ସଂପର୍କରେ କହିଥିଲେ । ବାତ୍ୟାର ଲ୍ୟାଣ୍ଡ ଫଲ୍‌ର ପୂର୍ବବର୍ତ୍ତୀ ସମୟର ପ୍ରସ୍ତୁତି, ସ୍ଥାନାନ୍ତର ଏବଂ ପରବର୍ତ୍ତୀ ସମୟରେ ବିଭିନ୍ନ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ଡକୁମେଣ୍ଟେସନ କରାଗଲେ, ଏହା ଆଗାମୀ ଦିନରେ ଆମକୁ ବାତ୍ୟା ପରିଚାଳନାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବୈଠକରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ବାତ୍ୟାରେ ସମୁଦାୟ ୧୫୦ଟି ଗାଁରେ ଜଳମଗ୍ନ ହୋଇଥିଲା । ସାମୁଦ୍ରିକ ଲୁଣିପାଣି ଯୋଗୁ ଫସଲ ମଧ୍ୟ କ୍ଷତି ହୋଇଛି ବୋଲି ସେ କହିଥିଲେ । ବାତ୍ୟା ପରବର୍ତ୍ତୀ ସମୟରେ ଲୋକଙ୍କୁ ବିଜୁଳି ଓ ପିଇବା ପାଣି ଯୋଗାଇବା ପାଇଁ ୧୦୦୦ଟି ଡିଜି ସେଟ୍‌, ଟ୍ୟାଙ୍କର ଓ ପିଭିସି ଟ୍ୟାଙ୍କ ଆଦି ନିୟୋଜିତ କରାଯାଇଥିଲା । ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ପି.କେ. ଜେନା ବାତ୍ୟାର କ୍ଷୟକ୍ଷତି ଓ ପୁନରୁଦ୍ଧାର ସଂପର୍କରେ ସୂଚନା ଦେଇ କହିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରଶାସନ ଜିରୋ କାଜୁଆଲ୍‌ଟି ଲକ୍ଷ୍ୟ ନେଇ କାମ କରିଥିଲା ଏବଂ ଏଥିରେ ପ୍ରାୟତଃ ସଫଳ ହୋଇଛି । ସେ କହିଥିଲେ ଯେ ଏଥିରେ ୧୧ ହଜାର ଗ୍ରାମର ୬୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ବାତ୍ୟାରେ ୫୨୦ କୋଟି ଟଙ୍କାର ସରକାରୀ ଭିତ୍ତିଭୂମି ଓ ୯୦ କୋଟି ଟଙ୍କାର ବ୍ୟକ୍ତିଗତ ସଂପତ୍ତିର କ୍ଷତି ହୋଇଛି । ସମୁଦାୟ କ୍ଷତିର ପରିମାଣ ୬୧୦ କୋଟି ଟଙ୍କା । ରିଲିଫ ପାଇଁ ୬୬ କୋଟି ଟଙ୍କା ଆବଶ୍ୟକ ବୋଲି ସେ କହିଥିଲେ।ବୈଠକରି ବାଲେଶ୍ବର, ଭଦ୍ରକ, ମୟୁରଭଂଜ ଓ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ଆବଶ୍ୟକତା ସଂପର୍କରେ ଦୃଷ୍ଟି ଆକର୍ଣଣ କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: