ବାବୁଲି ମହାରଣାଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ୫ଗିରଫ,ସାମ୍ବାଦିକ ସମ୍ମିଳନୀରେ ଏସପିଙ୍କ ନୋ କମେଣ୍ଟକୁ ନେଇ ଚର୍ଚ୍ଚା

କେନ୍ଦ୍ରାପଡ଼ା,୨୭ା୭: କେନ୍ଦ୍ରାପଡା ଧର୍ମଜାଗରଣ ସେନାର ଯୁଗ୍ମ ସଂଯୋଜକ ତଥା ତିନିମୁହାଣି ବଜାର କମିଟିର ସଭାପତି ବାବୁଲି ଓରଫ ବିବେକାନନ୍ଦ ମହାରଣାଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ କେନ୍ଦ୍ରାପଡା ସଦର ଥାନା ପୋଲିସ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛନ୍ତି । କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବାରିମୂଳ ଉପକାରାଗାରକୁ ପଠାଇ ଦିଆଯାଇଛି । ଏସମ୍ପର୍କରେ କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକର ସଦର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ଆହୂତ କରିଥିଲେ । ଏହି ସମ୍ମିଳନୀରେ ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ନଦେଇ ଏସପି କେବଳ ନୋ କମେଣ୍ଟସ ବୋଲି କହିଥିଲେ । ଏଭଳି ଉତ୍ତର ନଦେବା ଓ ନୋ କମେଣ୍ଟସ ଏସପି କହିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସେହି ସମ୍ମିଳନୀରେ ଏସପି ସୂଚନା ଦେଇଥିଲେ ଯେ ଚଳିତବର୍ଷ ଜୁଲାଇ ୧୪ତାରିଖରେ ବାବୁଲି ମହାରଣାଙ୍କୁ କେନ୍ଦ୍ରାପଡା – ଇନ୍ଦୁପୁର ରାସ୍ତାରେ ଥିବା ବାବୁଲିର “ସ୍ୱରାଜ” ଟ୍ରାକ୍ଟର ସୋରୁମରେ ଥିବା ବେଳେ ୨ଜଣ ଅଜଣା ଯୁବକ ତାଙ୍କୁ ଦେଖା କରିବାକୁ ଆସିଥିଲେ । କିନ୍ତୁ ବାବୁଲିର ନିରାପତ୍ତାରକ୍ଷୀ ତାଙ୍କୁ ସନ୍ଦେହ କରି ସୋରୁମ ଫାଟକ ପାଖରେ ଅଟକାଇ ସେମାନେ କାହିଁକି ବାବୁଲିକୁ ଦେଖା କରିବାକୁ ଚାହୁଁଛନ୍ତି ତାହା ଜାଣିବାକୁ ଚାହିଁଥିଲେ । ଏଥିରେ କ୍ଷୁବ୍ଧ ହୋଇ ସେହି ଦୁଇଜଣ ଯୁବକ ନିରାପତ୍ତାରକ୍ଷୀକୁ ଠେଲାପେଲା କରିବା ସହ ନିରାପତ୍ତାରକ୍ଷୀଙ୍କ ଉପରକୁ ସେମାନଙ୍କ ମଧ୍ୟରୁ ଜଣେ ନିଜ ପାଖରେ ଥିବା ବନ୍ଧୁକରୁ ଗୁଳି ଚଳାଇବାକୁ ଉଦ୍ୟମ କରିବାରେ ନିରାପତ୍ତାରକ୍ଷୀ ସେମାନଙ୍କ ଉପରେ ପାଲଟା ଗୁଳି ଚଳାଇଥିଲେ । ଗୋଟିଏ ଗୁଳି ଜଣେ ଅଭିଯୁକ୍ତଙ୍କ ଦେହରେ ବାଜିଥିଲା । ତେଣୁ ସେଠାରୁ ସେମାନେ ଯେଉଁ ବାଇକରେ ଆସିଥିଲେ ସେଥିରେ ପଳାଇଯାଉଥିବା ବେଳେ ବାବୁଲିକୁ ପରିଣତି ଭୋଗ କରିବାକୁ ପଡିବ ବୋଲି ଧମକ ଦେଇଯାଇଥିଲେ । ସୂଚନା ଯୋଗ୍ୟ ଯେ ୨୦୧୯ମସିହାରେ ବାବୁଲି ମହାରଣା ଉପରେ ଗୁଲନଗର ଦଣ୍ଡାମୁଣ୍ଡ ଛକ ନିକଟରେ କେତେକ ଦୁର୍ବୁତ ଗୁଳିକରି ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ବାବୁଲିକୁ ଗୁରୁତ୍ତର ଆହତ ଅବସ୍ଥାରେ ପ୍ରଥମେ କେନ୍ଦ୍ରାପଡା ଜିଲ୍ଲା ମୁଖୟ ଚିକିତ୍ସାଳୟ ଓ ପରେ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେହି ମାମଲାରେ ୧୦ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ତାପର ଠାରୁ ପୋଲିସ ପକ୍ଷରୁ ବାବୁଲିକୁ ଜଣେ ନିରାପତ୍ତାରକ୍ଷୀ ଯୋଗାଇ ଦିଆଯାଇଥିଲା । ଜୁଲାଇ ୧୪ତାରିଖ ମାମଲାକୁ କେନ୍ଦ୍ରାପଡା ଏସଡିପିଓ ରାଜୀବଲୋଚନ ପଣ୍ଡାଙ୍କ ନେତୃତ୍ୱରେ ଗଠିତ ପୋଲିସର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ପକ୍ଷରୁ ତଦନ୍ତ କରାଯିବା ପରେ ଆଜି ସୁଦ୍ଧା ୫ଜଣଙ୍କୁ ଗିରଫ କରାଯାଇଛି । ସେହି ଗ୍ୟାଙ୍ଗର ଅନ୍ୟମାନଙ୍କୁ ଗିରଫ କରାଯିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି । ଅଭିଯୁକ୍ତମାନଙ୍କ ଠାରୁ ଗୋଟିଏ ବନ୍ଧୁକ, ଗୋଟିଏ ମାରୁତି କାର, ଗୋଟିଏ ବୋଲେରୋ, ଗୋଟିଏ ଆପାଚି ବାଇକ, ଗୋଟିଏ ପଲସର ବାଇକ ସମେତ ୭ଟି ମୋବାଇଲ ଜବତ କରାଯାଇଥିବା ସୂଚନା ଦିଆଯାଇଛି । ଜଣେ ଅଭିଯୁକ୍ତ ନିରାପତ୍ତାରକ୍ଷୀର ଗୁଳିମାଡରେ ଆହତ ହୋଇ ଅସୁରେଶ୍ୱରସ୍ଥିତ ସାହା ଘରୋଇ ହସପିଟାଲରେ ଚିକିତ୍ସିତ ହୋଇଥିବାରୁ ଏବଂ ସଂପୃକ୍ତ ହସପିଟାଲ ଏ ସମ୍ପର୍କରେ ପୋଲିସକୁ ଜଣାଇନଥିବାରୁ ସେହି ଡାକ୍ତରଖାନାକୁ ପୋଲିସ ପକ୍ଷରୁ ସିଲ କରିଦିଆଯାଇଥିବା ସୂଚନା ଦିଆଯାଇଛି । ସାମ୍ବାଦିକମାନେ ପ୍ରଶ୍ନ କରିଥିଲେ ଯେ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛନ୍ତିକି, ଆଉ କେତେ ଜଣ ଅଭିଯୁକ୍ତଙ୍କୁ ଗିରଫ ହୋଇନାହାନ୍ତି, ଗୁଳି ବାଜିଥିବା ଅଭିଯୁକ୍ତ ଗିରଫ ହୋଇଛନ୍ତି କି ନାହିଁ, ବାବୁଲି ମହାରଣାଙ୍କୁ ବାରମ୍ବାର ହତ୍ୟା ଉଦ୍ୟମ ପଛରେ କାରଣ କଣ ? କିନ୍ତୁ ଏସବୁ ପ୍ରଶ୍ନକୁ ଏସପି ଏଡାଇ ଯାଇ କେବଳ ନୋ କମେଣ୍ଟସ ବୋଲି କହିଥିଲେ । ଏହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: