ବାର ବର୍ଷର ବାଳୁତର ଜୀବ ଦୟା

ଜୀବ ହତ୍ୟା ବନ୍ଦ ପାଇଁ ରୁଦ୍ରଙ୍କ ଲୋତକଭରା ନିବେଦନ

ରାଜକନିକା,୧୩/୬ : ହେ ମଣିଷ ସମାଜ, ଆଉ ନିର୍ଦ୍ଦୟ ହୁଅ ନାହିଁ । ଜୀବ ପ୍ରତି ଦୟା କର । କୋମଳ ଜୀବ ମାନଙ୍କୁ ହତ୍ୟା ବନ୍ଦ କର । ଛେଳି ଛୁଆର ବି ତା’ ମା’ ଅଛି । ହେଲେ ଛେଳି ମାନଙ୍କୁ ମାରି ମଣିଷ ଖାଉଛି । ମଣିଷ ଜୀବନ ଶ୍ରେଷ୍ଠ, ହେଲେ ସେ ଆଜି ଅମଣିଷ ହୋଇଯାଇଛି । ଜୀବ ମାନଙ୍କୁ ମାରି ତାର ମାଂସ ଖାଉଛି । ମୋତେ ଭାରି କଷ୍ଟ ହେଉଛି, ଆଉ ଗୋମାତାର ହତ୍ୟା ବନ୍ଦ କର । ନହେଲେ ମୁଁ ଶାନ୍ତିିରେ ରହିପାରିବି ନାହିଁ । ଏହା ବନ୍ଦ ନକଲେ ଆମ ସମାଜ ଭଲରେ ରହିବ ନାହିଁ । ଏହା କୌଣସି ସଂଳାପ ନୁହେଁ । ଜଣେ ୧୨ ବର୍ଷର ବାଳୁତ ପିଲାର ଲୋତକ ଭରା କେଇପଦ କଥା । ରାଜକନିକା ବ୍ଲକ୍ କଣ୍ଟପଡ଼ା ବଜାରରେ ଜଣେ ୧୨ ବର୍ଷର ପିଲା ରାସ୍ତା କଡ଼ରେ ଛୋଟ ଛେଳି ଛୁଆକୁ ବଂଚାଇବା ପାଇଁ କାନ୍ଦି କାନ୍ଦି ସମସ୍ତଙ୍କୁ ଆକୂଳ ନିବେଦନ କରିଥିଲା । ଏଥି ପାଇଁ ନିଜ ମା’ ଠାରୁ ମାଡ଼ ଖାଇବାକୁ ବି ପଛାଇନଥିଲା । ଏଭଳି ଦୃଶ୍ୟ ଶହଶହ ଲୋକମାନଙ୍କୁ ଚକିତ କରିଦେଇଥିଲା । ରବିବାର ଅପରାହ୍ଣରେ କଣ୍ଟପଡ଼ା ବଜାର ନିଜ ଘର ନିକଟରେ ଅନନ୍ତ ନାରାୟଣ ରଥଙ୍କ ପୁଅ ରୁଦ୍ର ନାରାୟଣ ରାସ୍ତ କଡ଼ରେ କଟା ହେବାକୁ ରହିଥିବା ଗୋଟିଏ ଛେଳି ଛୁଆକୁ ଆଇଁସି ତାଙ୍କୁ ନବାରିମାବୁ ଖାସି ମାଂସ ବିକ୍ରେତାଙ୍କୁ ନିବେଦନ କରିଥିଲା । ଏହା ସହିତ ସେଠାରେ ମାଂସ ନେବାକୁ ଅପେକ୍ଷା କରିଥିବା ଲୋକମାନଙ୍କୁ କାନ୍ଦି କାନ୍ଦି ଜୀବ ହତ୍ୟା ନକରିବାକୁ କରିଥିଲା । ଛୋଟ ଛୁଆର ମାଂସ ନଖାଇବାକୁ ସମସ୍ତଙ୍କୁ କହିଥିଲା । ଏକଥାକୁ କେହି ନଶୁଣିବାରୁ ରୁଦ୍ର ଛେଳି ଛୁଆଟିକୁ ଫିଟାଇ ନିଜ ଘରକୁ ନେଇଯାଇଥିଲା । ବହୁ ଖୋଜା ଖୋଜି ପରେ ଛେଳିକୁ ତାଙ୍କ ଘରୁ ମାଂସ ବେପାରୀ ପୁଣି ମାରିବାକୁ ଆଣିଥିଲା । କାହିଁକି ଛୋଟ ଛେଳି ଛୁଆକୁ ମାରିଦେଉଛ ବୋଲି ସେ ପ୍ରଶ୍ନ କରିଥିଲା । ହେଲେ ତ’ କଥା କେହି ଶୁଣିନଥିଲେ । ପୁର୍ନବାର ରୁଦ୍ର ମାଂସ ଦୋକାନ ଆଗରେ ଆକୂଳ ନିବେଦନ କରିଥଲା । କାନ୍ଦି କାନ୍ଦି ଛେଳି ଛୁଆକୁ ନମାରିବାକୁ ନେହୁରା ହୋଇଥିଲା । ପୁଅକୁ ଘରକୁ ନେବାକୁ ତା’ ମା ସେଠାରେ ପହଂଚିଥିଲା । ହେଲେ ରୁଦ୍ର ନିଜ ଜିଦ୍‌ରେ ଅଟଳ ରହିଥିଲା । ଏହି କାରଣରୁ ସେ ମା’ଙ୍କ ଠାରୁ ମାଡ଼ ଖାଇବାକୁ ପଛାଇନଥିଲା । ତାଙ୍କ ମା’ ରୁଦ୍ରଙ୍କୁ ଘରକୁ ଆଣିଥିଲେ ମଧ୍ୟ ଜୀବ ହତ୍ୟା ବନ୍ଦ କରିବାକୁ କାନ୍ଦି କାନ୍ଦି ନେହୁରା ହୋଇଥିଲା । ବାଘବୁଦା ନୋଡ଼ାଲର ସପ୍ତମ ଶ୍ରେଣୀର ଛାତ୍ର ରୁଦ୍ର । ପିଲାବେଳୁ କୁକୁର ମାନଙ୍କୁ ଖାଇବାକୁ ଦେବା ସହିତ ବୁଲା ଗାଈ ଗୋରୁ ଷଣ୍ଢ ମାନଙ୍କୁ ମଧ୍ୟ ଗୋଖାଦ୍ୟ ଦେଉଛନ୍ତି । ସେମାନଙ୍କ ସେବା ଯତ୍ନ କରୁଛନ୍ତି । ଏତେ ଛୋଟ ବୟସରୁ ଜୀବ ଦୟା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହୋଇପଡ଼ିଛନ୍ତି । ଜୀବ ମାନଙ୍କ ହତ୍ୟା ବନ୍ଦ କରିବାକୁ ସେ ଜୀବନ ସାରା ସମସ୍ତଙ୍କୁ ନିବେଦନ କରିବାକୁ କହିଛନ୍ତି । ଏହା ସହିତ ଜୀବ ଜନ୍ତୁଙ୍କ ସୁରକ୍ଷା ପାଇଁ ଭବିଷ୍ୟତରେ ଗୋଟିଏ ଦଳ ଗଠନ କରିବାକୁ ଇଛା କରିଛନ୍ତି । ଅବହେଳିତ ଜୀବଜନ୍ତୁ ରକ୍ଷା କରିବାକୁ କହିଛନ୍ତି । ବିଶେଷ କରି ସେ କହିଛନ୍ତି ଯେ,ଯେଉଁ ପଶୁ ମାଲିକ ମାନଙ୍କ ଦ୍ୱାରା ବୟସ ଅଧିକ ହୋଇଗଲେ ବାହାର କରିଦେଉଛନ୍ତି, ସେମାନଙ୍କୁ ରକ୍ଷା କରିବା ସହିତ ଆଶ୍ରୟ ଦେବାବୁ ସେ ଇଛା କରିଛନ୍ତି । ସବୁ ମଣିଷମାନେ ଏହି ଚିନ୍ତାଧାରା ରଖିବାକୁ ସେ କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!