ଭୁବନେଶ୍ବର ୨୬।୫: ବାତ୍ୟା ‘ୟାସ୍’ର ଲ୍ୟାଣ୍ଡଫଲ୍ । ବାହାନଗା-ରେମୁଣା ମଧ୍ୟରେ ବରଜଧଉଳି ଗାଁ ନିକଟରେ ଲ୍ୟାଣ୍ଡଫଲ୍ କରିଛି ବାତ୍ୟା ‘ୟାସ୍’ । ବରଜଧଉଳି ଗାଁ ନିକଟରେ ପବନର ଝଟକା ରହିଛି । ଧାମରାର ଉତ୍ତର, ବାଲେଶ୍ବର ବାହାନଗା ନିକଟରେ ସକାଳ ୯ଟାରେ ଆରମ୍ଭ ହୋଇଥିଲା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଦିନ ୧ଟା ଯାଏଁ ଚାଲିବ ବୋଲି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ।
ବର୍ତ୍ତମାନ ପବନର ବେଗ ଘଣ୍ଟାପ୍ରତି ୧୩୦ରୁ ୧୪୦ କି.ମି. ରହିଛି । ୫ରୁ ୬ ଘଣ୍ଟା ପରେ ମୟୂରଭଞ୍ଜ ଆଡକୁ ଯିବ ବାତ୍ୟା ‘ୟାସ୍’ । ମଧ୍ୟରାତ୍ର ସୁଦ୍ଧା ବାତ୍ୟା ଝାଡଖଣ୍ଡ ଚାଲିଯିବ ବୋଲି ପ୍ରଦୀପ ଜେନା କହିଛନ୍ତି । ବାତ୍ୟା ଲ୍ୟାଣ୍ଡଫଲ୍ ସମୟରେ ଗୋଟିଏ ଦଲକାରେ ସବୁ ପବନ ଯାଏନାହିଁ । ପବନର ବେଗ ଟିକେ ସ୍ଥିର ହୋଇଯାଇପାରେ । ପରେ ବଡ ଧରଣ ଦଲକା ପବନ ଆସିବ । ଏଣୁ ଏହି ସମୟରେ ବାତ୍ୟା ସରଗଲା ଭାବି କେହିଁ ବାହାରକୁ ବାହାରନ୍ତୁ ନାହିଁ ବୋଲି ଏସଆରସି କହିଛନ୍ତି ।
ବାତ୍ୟା ‘ୟାସ୍’ ପ୍ରଭାବରେ ୯ଟି ଜିଲ୍ଲାରେ ଅତି ପ୍ରବଳ ଓ ୫ଟି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ବାଲେଶ୍ବର, ମୟୂରଭଞ୍ଜ, କଟକ, ଢେଙ୍କାନାଳ, କେନ୍ଦୁଝର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଓ ଅନୁଗୋଳ, ଦେବଗଡ, ଖୋର୍ଦ୍ଧା, ପୁରୀ, ସୁନ୍ଦରଗଡ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |