ଭୁବନେଶ୍ୱର,୭ା୯(ସରଶ୍ୱିନୀ ସୁବୁଦ୍ଧି):ମଙ୍ଗଳବାର ଖରସ୍ରୋତା ବଂଚାଅ ସଂଗ୍ରାମ ସମିତି ପକ୍ଷରୁ ବିଧାନସଭା ଘେରାଉ କରାଯାଇଛି । ସଂଗ୍ରାମ ସମିତିକୁ ସମର୍ଥନ ଜଣାଇ ଏକାଠି ହୋଇଛନ୍ତି, ନେତା, ଜନତା ଆଉ ଚାଷୀ ଶତାଧିକ ମହିଳା, ଯୁବକ ଏବଂ ଛାତ୍ର । ସରକାରଙ୍କ ଉପରେ ଗର୍ଜି ଉଠିଛନ୍ତି । ବିଭିନ୍ନ ଦଳର ନେତା, ସଂଗଠନ ପକ୍ଷରୁ ସମର୍ଥନ କରି ଘେରାଉରେ ସାମିଲ ହୋଇଛନ୍ତି । କଟକ-ବାରବାଟୀ ବିଧାୟକ ମହମଦ୍ ମୋକିମ୍, ପ୍ରାକ୍ତନ ମନ୍ତ୍ରୀ ପଂଚାନନ କାନୁନ୍ଗୋ, ପ୍ରାକ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା, ସଂଗ୍ରାମୀ ଅଭୟ ସାହୁ, ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟ, ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକ, ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, ପ୍ରାକ୍ତନ ବିଧାୟକ ରାଧାକାନ୍ତ ସେଠୀ, ପ୍ରାକ୍ତନ ବିଧାୟକ ଅଂଶୁମାନ ମହାନ୍ତି, ପ୍ରାକ୍ତନ ବିଧାୟକ ଚିନ୍ନୟ ବେହୁରା, ଆଇନ୍ଜୀବୀ ଧରଣୀଧର ନାୟକ, ସଂଗ୍ରାମ ସମିତିର ସଭାପତି ଦୁର୍ଯ୍ୟେଧନ ମହାନ୍ତି, ସଂପାଦକ ବିଧାନ ଦାସ, କୋଷାଧ୍ୟକ୍ଷ ହଳଧର ମଲ୍ଲିକ, ଯୁବନେତା ମଙ୍ଗୁଳି ଚରଣ ବେହେରା, ପ୍ରଦୀପ୍ ପଣ୍ଡା, ସବିତା ବରଜ ଏବଂ ଶରତ ରାଉତଙ୍କ ସହିତ ଶତାଧିକ ଚାଷୀ ବିଧାନସଭା ଘେରାଇ କରିଛନ୍ତି ।
ମାଷ୍ଟରକ୍ୟାଣ୍ଟିନ ଛକ ନିକଟରୁ ଏକ ଶୋଭାଯାତ୍ରାରେ ବିଧାନସଭା ଯାଇ ଘେରାଉ କରଛନ୍ତି । ଏହା ସହିତ କଟକ ଏବଂ ଭୁବନେଶ୍ୱରରେ ରହୁଥିବା ଆଳି ଏବଂ ରାଜକନିକା ଅଂଚଳର ପ୍ରବାସୀ ସଂଗ୍ରାମ ସମିତିକୁ ସମର୍ଥନ ଜଣାଇ ଘେରାଉରେ ସାମିଲ ହୋଇହାଇଛନ୍ତି । ପ୍ରକାଶଥାଉକି ଦୀର୍ଘ ଦୁଇ ବର୍ଷ ଧରି ଖରସ୍ରୋତା ନଦୀରୁ ଭଦ୍ରକ ଜିଲାକୁ ଯାଉଥିବା ବୃହତ୍ତ ପାନୀୟ ଜଳ ପ୍ରକଳ୍ପକୁ ଖରସ୍ରୋତା ବଂଚାଅ ସଂଗ୍ରାମ ସମିତି ବିରୋଧ କରି ଆସୁଛି । ହେଲେ ରାଜ୍ୟ ସରକାର ପ୍ରକଳ୍ପ କାର୍ଯ୍ୟକୁ ପୁଲିସ ବଳୟ ମଧ୍ୟରେ ଚଳାଇଛନ୍ତି । ହେଲେ ଦୀର୍ଘ ଦୁଇ ବର୍ଷ ଧରି ମାନବ ଶୃଙ୍ଖଳ, ମହିଳାଙ୍କ ଜଳସତ୍ୟାଗ୍ରହ, ଖରସ୍ରୋତା ନଦୀ ବନ୍ଦାପନା, ଗଣଧାରଣା, ଗଣ ସମାବେଶ, ଗାଁକୁ ଗାଁ ବୁଲି ପ୍ରଥପ୍ରାନ୍ତ ସଭା, ରାସ୍ତାରୋକ ସହିତ ପ୍ରକଳ୍ପ କାମକୁ ବନ୍ଦ କରିବାକୁ ଆସି ଗଣ୍ଡଗୋଳ ପର୍ଯ୍ୟନ୍ତ ଘଟଣା ଘଟି ୨୪ ଜଣ ଗିରଫ ହୋଇ ଜେଲ ଯାଇଛନ୍ତି । ହେଲେ ଆନ୍ଦୋଳନରୁ ଓହରିଯାଇନାହାଁନ୍ତି ସଂଗ୍ରାମ ସମିତି । ଏହା ସହିତ ପ୍ରକଳ୍ପ ଭଙ୍ଗାରୁଜା ଘଟଣା ପରେ ଅଚ୍ୟୁତ୍ପୁର ଠାରେ ପୁର୍ନବାର ଗଣଧାରଣା ଦେଇଛି ସଂଗ୍ରାମ ସମିତି । ସଂଗ୍ରାମ ସମିତିର ଆନ୍ଦୋଳନକୁ ସମର୍ଥନ ଜଣାଇ, ରାଜ୍ୟ ବିଜେପି ଏବଂ ରାଜ୍ୟ କଂଗ୍ରେସ ଦଳର ପ୍ରତିନିଧି ଦଳଙ୍କ ଠାରୁ ବରିଷ୍ଠ ନେତା ବିଜୟ ମହାପାତ୍ର, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପର୍ଯ୍ୟନ୍ତ ରାଜନେତାମାନେ ରାଜକନିକା ଆସିଛନ୍ତି ।
ଯୁବ ପରିବେଶବିତ୍ ଶ୍ରୀକାନ୍ତ ନାୟକ କେନ୍ଦ୍ରାପଡ଼ାରୁ ଆରମ୍ଭ କରି କଟକ ବଡ଼ ଡ଼ାକ୍ତରଖାନା ପର୍ଯ୍ୟନ୍ତ ଆମରଣ ଅନଶନରେ ବସିଛନ୍ତି । ବିଶେଷ କରି ଭାରତର ଜଳ ପୁରୁଷ ଡ଼କ୍ଟର ରାଜେନ୍ଦ୍ର ସିଂ ମଧ୍ୟ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ରାଜକନିକାକୁ ଆସି ପ୍ରକଳ୍ପ ବନ୍ଦ କରିବାକୁ ଦାବି କରିଛନ୍ତି । ରାଜକନିକାରୁ ରାଜଧାନୀ ଭୁବନେଶ୍ୱର ପର୍ଯ୍ୟନ୍ତ ମଧ୍ୟ ଆନ୍ଦୋଳନ ପହଂଚିଛି । ଭୁବନେଶ୍ୱର ଠାରେ ଖରସ୍ରୋତା ବଂଚାଅ ଆନ୍ଦୋଳନର ମହିଳାମାନେ ମୁଣ୍ଡରେ କଳସ ଧରି ଅଭିନବ ଉପାୟରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏତେ ଆନ୍ଦୋଳନ ସହିତ ଜାତୀୟସ୍ତରରୁ ସମର୍ଥନ ପରେ ମଧ୍ୟ ରାଜ୍ୟ ସରକାର ଏହି ପ୍ରକଳ୍ପ କାର୍ଯ୍ୟକୁ ଜାରି ରଖିଛନ୍ତି । ବିଧାନସଭା ଘେରାଉ ପରେ ରାଜ୍ୟ ସରକାର ପ୍ରକଳ୍ପ କାର୍ଯ୍ୟକୁ ସ୍ଥଗିତ ରଖିବେ ନାଁ ଆନିକଟ ନିର୍ମାଣ କରିବା ପାଇଁ ଅଂଟା ଭିଡ଼ିବେ ତାହାକୁ ଚାହିଁ ରହିଛନ୍ତି କେନ୍ଦ୍ରାପଡ଼ା ଜିଲାବାସୀ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |