ରୋମ, ୨୨/୬: ଦୀର୍ଘ ୧୦ ବର୍ଷ ପରେ ମୁଖ୍ୟମନ୍ତ୍ରୀ ବିଦେଶ ଗସ୍ତରେ ଯାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରୋମ୍ର ଭାଟିକାନ ସିଟିରେ ପୋପ୍ଙ୍କୁ ଭେଟିଛନ୍ତି । ଭାଟିକାନସିଟିରେ ପୋପ୍ ଫ୍ରାନ୍ସିସଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ରୋମରେ ରହଣି ସମୟରେ ଆଜି ପୋପ୍ ଫ୍ରାନ୍ସିସଙ୍କୁ ଭେଟିଛନ୍ତି। ଖ୍ରୀଷ୍ଟିୟାନମାନଙ୍କ ସର୍ବୋଚ୍ଚ ଧର୍ମଗୁରୁ ପୋପଙ୍କୁ ଭେଟିବା ପରେ ଟୁଇଟ୍ କରି ଆନନ୍ଦ ଜାହିର କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି କି ଭାଟିକାନ୍ ସିଟିରେ ପରମପାବନ ପୋପଙ୍କୁ ଭେଟି ମୁଁ ବହୁତ ଖୁସୀ। ସାକ୍ଷାତ ଲାଗି ତାଙ୍କୁ ବହୁତ ବହୁତ ଧନ୍ୟବାଦ ଓ ତାଙ୍କ ସୁସ୍ଥ ଏବଂ ଦୀର୍ଘଜୀବନ କାମନା କରୁଛି। ଏହି ସାକ୍ଷାତ ସମୟରେ ମୁଖ୍ୟମନ୍ତ୍ରୀ ପୋପଙ୍କୁ ଏକ ପଟ୍ଟଚିତ୍ର ଉପହାର ଦେଇଥିଲେ। ଏହି ପଟ୍ଟଚିତ୍ରରେ ‘ଜୀବନ ବୃକ୍ଷ’ର ଚିତ୍ରାୟନ କରାଯାଇଛି। ଏହାପରେ ପୋପ୍ ମୁଖ୍ୟମନ୍ତ୍ରୀଙ୍କୁ ଏକ ଉପହାର ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସହ ବ୍ୟକ୍ତିଗତ ସଚିବ (୫-ଟି) ଭିକେ ପାଣ୍ଡିଆନ୍ ଉପସ୍ଥିତ ରହିଥିଲେ । ମୁଖ୍ୟମନ୍ତ୍ରୀ ୨୪ ତାରିଖ ଯାଏ ରୋମ୍ରେ ରହିବେ । ଏହା ଭିତରେ ରୋମ୍ରେ ଆୟୋଜିତ ଜାତିସଂଘ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ଯୋଗ ଦେବେ । ପୋପ୍ଙ୍କୁ ଭେଟିବାରେ ନବୀନ ଦେଶର ପ୍ରଥମ ମୁଖ୍ୟମନ୍ତ୍ରୀ ।୨୪ରେ ସେ ରୋମ୍ରୁ ୟୁରୋପ ଯିବେ । ୨୬ରେ ମୁଖ୍ୟମନ୍ତ୍ରୀ ଦୁବାଇ ଗସ୍ତ କରିବେ । ୨୯ ତାରିଖରେ ଭାରତ ସରକାର ଓ ଫିକିର ମିଳିତ ଆନୁକୂଲ୍ୟରେ ଆୟୋଜିତ ଓଡ଼ିଶା ଇନଭେଷ୍ଟର୍ସ ମିଟ୍ରେ ସେ ଯୋଗ ଦେବେ। ୩୦ ତାରିଖ ଅପରାହ୍ନ ୩ଟା ୨୫ରେ ଦୁବାଇରୁ ନୂଆଦିଲ୍ଲୀ ଅଭିମୁଖେ ଆସିବେ। ସେହିଦିନ ରାତିରେ ହିଁ ସେ ଭୁବନେଶ୍ବର ଫେରିଆସିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ ସମୟରେ ଦୁବାଇରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଭେଟିବାର କାର୍ଯ୍ୟକ୍ରମ ଅଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |