ଭାରତରେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା

ନୂଆଦିଲ୍ଲୀ,୨୦ା୩: ପ୍ରତିରକ୍ଷା ଓ ନିରାପତ୍ତା, ବାଣିଜ୍ୟ ଓ ବିନିଯୋଗ ଏବଂ ଉଚ୍ଚ ପ୍ରଯୁକ୍ତି ସମେତ ଅନେକ କ୍ଷେତ୍ରରେ ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି କରିବା ଲାଗି ଆଜି ସକାଳେ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ନୂଆଦିଲ୍ଲୀରେ ପହଞ୍ଚିଛନ୍ତି।ବିମାନ ବନ୍ଦରରେ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜି.କିଷନ ରେଡ୍ଡୀ ଏବଂ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ତାଙ୍କୁ ସ୍ବାଗତ କରିଛନ୍ତି। ‘ଜି୨୦’ରେ ଭାରତର ଅଧ୍ୟକ୍ଷତା ଏବଂ ‘ଜି୭’ରେ ଜାପାନର ଅଧ୍ୟକ୍ଷତାର ଗୁରୁତ୍ବ ପ୍ରସଙ୍ଗରେ ଆଜି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଆଲୋଚନା କରିବେ।ଏହି ଗସ୍ତକାଳରେ ସେ ଭାରତ-ଜାପାନ ଦ୍ବିପାକ୍ଷିକ ପ୍ରସଙ୍ଗରେ ବିଭିନ୍ନ ଆଲୋଚନା କରିବେ। ଏହା ସହିତ କେତେକ ବୈଶ୍ବିକ ପ୍ରସଙ୍ଗରେ ମଧ୍ୟ କଥାବାର୍ତ୍ତା କରିବେ। ତେବେ କିସିଦାଙ୍କ ଗସ୍ତର ମୁଖ୍ୟସୂଚୀରେ ରହିଛି ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ନେଇ ଆୟୋଜିତ ୪୧ତମ ସାପ୍ରୁ ହାଉସ୍ ଆଲୋଚନାଚକ୍ରରେ ଯୋଗଦାନ। କିସିଦା ତାଙ୍କ ଗସ୍ତ କାଳରେ ଦିଲ୍ଲୀର ବୁଦ୍ଧ ଜୟନ୍ତୀ ପାର୍କର ବୋଧି ବୃକ୍ଷକୁ ପରିଦର୍ଶନ କରିବେ। ଏହି ବୋଧି ବୃକ୍ଷର ସ୍ବତନ୍ତ୍ର ମହତ୍ତ୍ବ ରହିଛି। ଭଗବାନ ଗୌତମ ବୁଦ୍ଧ ଯେଉଁ ବୋଧି ବୃକ୍ଷ ତଳେ ତପସ୍ୟା କରି ନିର୍ବାଣ ପ୍ରାପ୍ତି ହୋଇଥିଲେ ସେହି ବୋଧି ଗଛରୁ ସୃଷ୍ଟି ଚାରା ଦିଲ୍ଲୀ ବୁଦ୍ଧ ଜୟନ୍ତୀ ପାର୍କରେ ରୋପଣ କରାଯାଇଥିଲା। ୧୯୬୪ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଏହି ଚାରାକୁ ରୋପଣ କରିଥିଲେ। ଏହି ବୋଧି ଚାରାକୁ ଶ୍ରୀଲଙ୍କାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶିରିମାଭୋ ବନ୍ଦରାନାଇକେ ଉପହାର ଆକାରରେ ଶାସ୍ତ୍ରୀଙ୍କୁ ଦେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!