ନୂଆଦିଲ୍ଲୀ,,୧୫/୦୫: ଥୋମାସ କପ୍ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଇତିହାସ ରଚିଛି ଭାରତ । ପ୍ରଥମ ଥର ପାଇଁ ଫାଇନାଲରେ ବିଜୟ ହାସଲ କରି ସ୍ୱର୍ଣ୍ଣ ପଦକ ଜିତିଛି । ଭାରତ ଫାଇନାଲରେ ୧୪ ଥର ଚାମ୍ପିଅନ ଇଣ୍ଡୋନେସିଆକୁ ପରାସ୍ତ କରିଛି । ୭୩ ବର୍ଷର ଥୋମାସ କପର ଇତିହାସରେ ପୁର୍ବରୁ ୫ ଦେଶ ଏହି ଟୂର୍ଣ୍ଣାମେଣ୍ଟରେ ବିଜୟ ହାସଲ କରିଛନ୍ତି । ରବିବାର ଭାରତୀୟ ବ୍ୟାଡମିଣ୍ଟନ ପାଇଁ ଐତିହାସକ ଦିନ। ପ୍ରଥମ ଥର ଫାଇନାଲରେ ପ୍ରବେଶ କରିଥିବା ଭାରତୀୟ ଟିମ ଥୋମାସ କପ ଚାମ୍ପିୟନ ହୋଇଛି । ଟାଇଟଲ ମୁକାବିଲାରେ ଭାରତ ଶକ୍ତିଶାଳୀ ଇଣ୍ଡୋନେସିଆ ଟିମକୁ ୩-୦ରେ ପରାଜିତ କରି ବିଜୟ ମୁକୁଟ ପିନ୍ଧିଛି| ଭାରତର ଲକ୍ଷ୍ୟ ସେନ, ସାତ୍ୱିକସାଇରାଜ ରଙ୍କରେଡ୍ଡୀ, ଚିରାଗ ସେଟ୍ଟୀ ଏବଂ କିଦାମ୍ୱୀ ଶ୍ରୀକାନ୍ତ ଦଳକୁ ଚାମ୍ପିୟନ କରାଇଛନ୍ତି। ପ୍ରଥମ ମ୍ୟାଚରେ ପୁରୁଷ ଏକକ ବର୍ଗରେ ବିଶ୍ୱର ୯ ନମ୍ୱର ସଟଲର ଲକ୍ଷ୍ୟ ସେନ ବିଶ୍ୱର ୪ ନମ୍ୱର ଖେଳାଳି ଏନ୍ଥନୀ ସିନିସୁକା ଗିନଟିଙ୍ଗଙ୍କୁ ପରାସ୍ତ କରିଥିଲେ। ଦ୍ୱିତୀୟ ମ୍ୟାଚରେ ପୁରୁଷ ଯୁଗଳ ବର୍ଗରେ ସାତ୍ୱିକସାଇରାଜ ଏବଂ ଚିରାଗଙ୍କ ଯୋଡି ଇଣ୍ଡୋନେସିଆର କେଭିନ ସଞ୍ଜାୟା ଏବଂ ମୋହମ୍ମଦ ଅହସାନଙ୍କ ଯୋଡିକୁ ପରାସ୍ତ କରିଥିଲେ। ସାତ୍ୱିକସାଇରାଜ ଏବଂ ଚିରାଗଙ୍କ ଯୋଡି ୧୮-୨୧, ୨୩-୨୧ ଏବଂ ୨୧-୧୯ରେ ଇଣ୍ଡୋନେସିଆର ଯୋଡିକୁ ହରାଇଥିଲେ। ଏହି ବିଜୟ ସହ ଭାରତ ୨-୦ରେ ଇଣ୍ଡୋନେସିଆକୁ ପଛରେ ପକାଇଥିଲା । ଏହାପରେ ଭାରତର ଅନୁଭବୀ ସଟଲର କିଦାମ୍ୱୀ ଶ୍ରୀକାନ୍ତ ବିଶ୍ୱର ୮ ନମ୍ୱର ଖେଳାଳି ଜୋନାଥନ କ୍ରିଷ୍ଟିଙ୍କୁ ସିଧା ଗେମରେ ୨୧-୧୫, ୨୩-୨୧ରେ ହରାଇ ଭାରତକୁ ପ୍ରଥମ ଥର ପାଇଁ ଥୋମାସ କପ ଚାମ୍ପିୟନ କରାଇଥିଲେ। ସେମିଫାଇନାଲରେ ଡେନମାର୍କକୁ ୩-୨ ହରାଇ ପ୍ରଥମ ଥର ପାଇଁ ଥୋମାସ କପର ଫାଇନାଲରେ ପ୍ରବେଶ କରିଥିଲା ଟିମ ଇଣ୍ଡିଆ। ଥୋମାସ କପର ୭୩ ବର୍ଷର ଇତିହାସରେ ଭାରତ କେବେ ବି ଫାଇନାଲରେ ପହଞ୍ଚି ପାରି ନଥିଲା। ଶେଷ ଥର ପାଇଁ ୧୯୭୯ ମସିହାରେ ପ୍ରକାଶ ପାଦୁକୋନ ଏବଂ ସୟଦ ମୋଦୀ ଟୁର୍ଣ୍ଣାମେଣ୍ଟରେ ପଦକ ଜିତିଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |