ନୂଆଦିଲ୍ଲୀ, ୧୦ ।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ତ୍ରିପୁରାରେ ଅନେକଗୁଡ଼ିଏ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି । ସେ ଭାରତ-ବାଂଲାଦେଶ ମଧ୍ୟରେ ନିର୍ମିତ ‘ମୈତ୍ରୀ ସେତୁ’ ପୋଲକୁ ଉଦ୍ଘାଟନ କରିଥିଲେ । ଫେନି ନଦୀ ଉପରେ ୧୩୩ କୋଟି ଟଙ୍କା ବିନିମୟରେ ନିର୍ମିତ ୧.୯ କିମି ଦୀର୍ଘ ଏହି ପୋଲ ଯୋଗୁ ତ୍ରିପୁରାର ଦକ୍ଷିଣ ଭାଗ ସବରୁମ୍ରୁ ବାଂଲାଦେଶ ରାମଗଡ଼ ଯାଏ ପହଞ୍ଚିବା ସହଜ ହୋଇଯିବ । ଏହାଯୋଗୁ ମାଲ୍ ଓ ଯାତ୍ରୀ ପରିବହନରେ ସୁବିଧା ହେବ । ‘ମୈତ୍ରୀ ସେତୁ’ ଦ୍ୱାରା ପୂର୍ବୋତ୍ତର ରାଜ୍ୟର ଉତ୍ପାଦକୁ ନୂଆ ବଜାର ମିଳିବ ବୋଲି ଆଶା କରାଯାଉଛି । ସେହିପରି ପ୍ରଧାନମନ୍ତ୍ରୀ ସବରୁମ୍ ଇଣ୍ଟିଗ୍ରେଟେଡ୍ ଚେକ୍ପୋଷ୍ଟ ପାଇଁ ଶିଳାନ୍ୟାସ କରିଛନ୍ତି । ଏହାଛଡ଼ା ଅଗଲତାଲା ସ୍ମାର୍ଟ ସିଟି ମିଶନ୍ ଅଧୀନରେ ନିର୍ମିତ ହୋଇଥିବା ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ସହ ଅନ୍ୟ କିଛି ପ୍ରକଳ୍ପର ଉଦ୍ଘାଟନ ବି କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଡବଲ ଇଞ୍ଜିନ୍ ସରକାରର ରିପୋର୍ଟ କାର୍ଡ ବି ଉପସ୍ଥାପନ କରିଥିଲେ । ସେ କହିଥିଲେ, ‘ତ୍ରିପୁରା ଏବେ ୩୦ ବର୍ଷର ପୁରୁଣା ସରକାର ଓ ୩ ବର୍ଷର ଡବଲ୍ ଇଞ୍ଜିନ ସରକାରରେ ଆସିଥିବା ପରିବର୍ତ୍ତନକୁ ସ୍ପଷ୍ଟ ଭାବେ ଅନୁଭବ କରୁଛି । ଯେଉଁଠାରେ କମିଶନ ଓ ଦୁର୍ନୀତି ବିନା କାମ ହେବା କଷ୍ଟକର ଥିଲା, ସେଠାରେ ଏବେ ସରକାରୀ ଯୋଜନାର ଲାଭ ଲୋକଙ୍କ ବ୍ୟାଙ୍କ୍ ଏକାଉଣ୍ଟରେ ସିଧାସଳଖ ପହଞ୍ଚୁଛି । କର୍ମଚାରୀମାନେ ଯେଉଁଠାରେ ପୂର୍ବରୁ ଠିକ୍ ସମୟରେ ଦରମା ପାଇବା ନେଇ ଚିନ୍ତିତ ଥିଲେ, ସେମାନେ ଏବେ ୭ମ ବେତନ କମିଶନ ଅନୁସାରେ ତାହା ପାଉଛନ୍ତି । ହରତାଳ ପରମ୍ପରା ଯୋଗୁ ଯେଉଁ ତ୍ରିପୁରା ଦୀର୍ଘ ବର୍ଷ ହେଲା ପଛରେ ପଡ଼ିଥିଲା, ତାହା ଏବେ ଇଜ୍ ଅଫ୍ ଡୁଇଙ୍ଗ ବିଜନେସ୍ ପାଇଁ କାମ କରୁଛି । ଏହା ଏବେ ନୂଆ ଉଦ୍ୟୋଗ, ନୂଆ ନିବେଶ ପାଇଁ ସ୍ଥାନ ପାଲଟି ଯାଇଛି । ୨୦୦୯-୨୦୧୪ ମଧ୍ୟରେ ତ୍ରିପୁରା କେନ୍ଦ୍ର ସରକାରଙ୍କଠାରୁ ୩୫୦୦ କୋଟି ଟଙ୍କା ବିକାଶମୂଳକ କାମ ପାଇଁ ପାଇଥିବାବେଳେ ପରବର୍ତ୍ତୀ ୫ ବର୍ଷରେ ୧୨ ହଜାର କୋଟି ଟଙ୍କା ପାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |