ଭୁବନେଶ୍ବର, ୦୪/୧୧: ଭୁବନେଶ୍ବର ଏମ୍ସରୁ ୧୨ ଦଲାଲ ଗିରଫ ହୋଇଛନ୍ତି । ଖଣ୍ଡଗିରି ଥାନା ପୋଲିସ ଏହି ଦଲାଲ୍ମାନଙ୍କୁ ଗିରଫ କରିଛି । ବିଭିନ୍ନ ଆଳରେ ବାହାର ଜିଲ୍ଲାରୁ ଆସୁଥିବା ରୋଗୀ ଓ ସମ୍ପର୍କୀୟଙ୍କୁ ଠକି ଏମାନେ ଟଙ୍କା ନେଉଥିଲେ । ଟିକେଟ, ଆଡମିଶନ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ କହି ସେମାନଙ୍କୁ ଲୁଟୁଥିଲେ । ତେବେ ବ୍ରହ୍ମପୁର ଓ କଟକ ଏସସିବି ମେଡିକାଲ୍ରୁ ଦଲାଲ ଧରାପଡ଼ିବା ପରେ ଏବେ ଏମସ୍ରୁ ୧୨ ଜଣ ଦଲାଲଙ୍କୁ ଗିରଫ କରିଛି ଖଣ୍ଡଗିରି ପୋଲିସ । ହସ୍ପିଟାଲକୁ ଦଲାଲ ମୁକ୍ତ କରିବାକୁ ଚାଲିଥିବା ସ୍ପେଶାଲ ଡ୍ରାଇଭ୍ ପରେ ଏମାନଙ୍କୁ ଗିରଫ କରାଯାଇଛି । ଏସବୁ ବ୍ୟକ୍ତି ରୋଗୀଙ୍କୁ ସହାୟତା ଆଳରେ ଠକୁଥିବା ଅଭିଯୋଗ ରହିଛି । ଭୁବନେଶ୍ୱରସ୍ଥିତ ଏମସ୍ ଏକ ଜାତୀୟ ସ୍ତରର ହସ୍ପିଟାଲ ହୋଇଥିବା ବେଳେ ଏଠାରେ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଥାଏ। ଏଠାରେ ଚିକିତ୍ସିତ ହେବାକୁ ଦୂରଦୂରାନ୍ତରୁ ରୋଗୀ ଆସିଥାନ୍ତି । ଟିକେଟ ଖଣ୍ଡେ ପାଇ ଡାକ୍ତରଙ୍କ ପରାମର୍ଶ କରିବା ନିମନ୍ତେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଖୁବ୍ ସଂଘର୍ଷ କରିବାକୁ ପଡ଼ିଥାଏ । ଏହାର ଫାଇଦା ନେଇଥାନ୍ତି ଦଲାଲ ସେମାନେ କାଉଣ୍ଟରରେ ଛିଡ଼ା ହୋଇ ବିନା ମୂଲ୍ୟରେ ସଂଗ୍ରହ କରୁଥିବା ଟିକେଟକୁ ରୋଗୀଙ୍କ ସମ୍ପର୍କୀୟଙ୍କୁ ଚଢ଼ା ଦରରେ ବିକ୍ରି କରିଥାନ୍ତି। ଏପରିକି ଟିକେଟ ପିଛା ୪ରୁ ୫ ହଜାର ଟଙ୍କା ଆଦାୟ କରିଥାନ୍ତି। ଫଳରେ ହନ୍ତସନ୍ତ ହୋଇଥାନ୍ତି ଦୂରଦୂରାନ୍ତରୁ ଆସୁଥିବା ରୋଗୀ । ଏପରିକି ଜମିବାଡ଼ି ବିକ୍ରି କରିକି ଚିକିତ୍ସା ପାଇଁ ଆଣିଥିବା ଟଙ୍କାକୁ ଦଲାଲଙ୍କୁ ଦେବାକୁ ବାଧ୍ୟ ହୋଇଥାନ୍ତି। ଅଭିଯୋଗ ହେବା ପରେ ଖଣ୍ଡଗିରି ପୋଲିସ୍ ବହୁ ଦିନ ହେବ ଚଢ଼ଉ ନିମନ୍ତେ ଯୋଜନା ପ୍ରସ୍ତୁତ କରିଥିଲା। ଏଥିନିମନ୍ତେ ଆରମ୍ଭ କରିଥିଲା ସ୍ପେଶାଲ ଡ୍ରାଇଭ । ଖଣ୍ଡଗିରି ପୋଲିସ୍ ସଦଳବଳେ ଆଜି ହସ୍ପିଟାଲ ଉପରେ ଚଢ଼ାଉ କରିଥିବା ବେଳେ ୧୩ ଦଲାଲଙ୍କୁ ଗିରଫ କରିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |