ମାଲକାନଗିରି,୭/୩ (ଶ୍ରୀନିବାସ ପଣ୍ଡା):ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା ଆଜି ପନିପରିବା ଉତ୍ପାଦନ କରି, ଜିଲ୍ଲାର ଚାହିଦା ମେଣ୍ଟାଇବା ସହିତ ପଡୋଶୀ ରାଜ୍ୟ ମାନଙ୍କୁ ରପ୍ତାନୀ କରିବାରେ ସକ୍ଷମ ହେଇପାରିଛି। ଜିଲ୍ଲାର ଅଧିକାଂଶ ଅଞ୍ଚଳ ପାହାଡିଆ ହେଇଥିବାରୁ ଜଳସେଚନ ହେବା ଅସମ୍ଭବ। ପ୍ରତିକୂଳ ପରିସ୍ଥିତିକୁ ସମ୍ନାକରି ମାଲକାନଗିରି ଚାଷୀକୁଳ ଅନବରତ ପ୍ରୟାସ କରିଚାଲିଛି କୃଷିକୁ ଲାଭଜନକ ବୃତ୍ତିରେ ପରିଣତ କରିବା ପାଇଁ। ଯେପରି ପାରମ୍ପରିକ ପଦ୍ଧତି ଛାଡି, କୃତ୍ରିମ ଉପାୟରେ ପୋଟଳର ପରାଗ ସଙ୍ଗମ କରି ଲାଭକୁ ତ୍ରିଗୁଣିତ କରାଇବା। ଯାହା ଓଡ଼ିଶାରେ କୌଣସି ସ୍ଥାନରେ ଦେଖିବାକୁ ମିଳେନାହିଁ। ସେଥିପାଇଁ ମାଲକାନଗିରି କୃଷିବିଜ୍ଞାନ କେନ୍ଦ୍ରର କୃଷିବିଜ୍ଞାନୀ ମାନଙ୍କର ଭୂମିକା କମନୁହଁ। ସୀମିତ କର୍ମଚାରୀଙ୍କୁ ଧରି ପାରୁପର୍ଯ୍ୟନ୍ତ ଲାଗିପଡିଛନ୍ତି ଚାଷୀମାନଙ୍କୁ ନୂତନ ଜ୍ଞାନକୌଶଳ ଯୋଗାଇବାରେ। ବିଭିନ୍ନ ପ୍ରକାର ଲାଭଜନକ କୃଷିକୁ ଆକୃଷ୍ଟ କରାଇବା ପାଇଁ, ଚାଷୀ ମାନଙ୍କୁ ତାଲିମ ପ୍ରଦାନ ସହିତ କ୍ଷେତ୍ର ପରିଦର୍ଶନ କରି ପ୍ରତ୍ୟେକ କ୍ଷେତ୍ରରେ ସହଯୋଗ କରୁଛନ୍ତି। ସ୍ୱଳ୍ପଦିନିଆଁ ଚାଷ ମଧୁର ମକାକୁ ବ୍ୟାପକ ଭାବରେ କରାଇବା ପାଇଁ ବିଗତ ଦିନରେ ଚାଷୀ ମାନଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲାର ଅନେକ ଗ୍ରାମରେ ଚାଷୀମାନେ ଉକ୍ତ ଚାଷକୁ ବ୍ୟବସାୟିକ ଭିତ୍ତିରେ ଚାଷକରି ଲାଭବାନ ହେବା ଦେଖିବାକୁ ମିଳିଛି। ଏମ ଭି – ୨ ଗ୍ରାମର ଚାଷୀ ଆଶୁତୋଷ ମଣ୍ଡଳଙ୍କ କହିବା ଅନୁଯାୟୀ ଏକ ଏକର ମଧୁର ମକା ଚାଷକରି ୨୪ ହଜାର ଟଙ୍କା ଲାଭ କରି ପାରିଛନ୍ତି। ସମୁଦାୟ ଚାଷରେ ତିନି ହଜାର ଟଙ୍କା ଖର୍ଚ୍ଚ କରି ଚବିଶ ହଜାର ଟଙ୍କା ସୋଳ୍ପ ସମୟ ମଧ୍ୟରେ ରୋଜଗାର ହେଇ ପାରୁଥିବାରୁ,ଆଖ ପାଖ ଗ୍ରାମର ଚାଷୀମାନେ ଖାଦ୍ୟପ୍ରାଣରେ ଭରପୁର ମଧୁର ମକା ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏଠାରେ ପ୍ରକାଶ କରୁକି ମାଲକାନଗିରି ଜିଲ୍ଲାର କୃଷିବିଜ୍ଞାନ କେନ୍ଦ୍ର ୨୦୦୬ ମସିହାରୁ କାର୍ଯ୍ୟକରି ଆସୁଛି। କିନ୍ତୁ ଆଜି ପର୍ଯ୍ୟନ୍ତ କେନ୍ଦ୍ରର ସରୁରୀ ଭାଗ ପଦବୀ ଖାଲି।ଛଅଗୋଟି କୃଷିବିଜ୍ଞାନୀ ପଦବୀ ମଧ୍ୟରୁ ତିନୋଟି ପଦବୀ ପୂରଣ ହେଇ ପାରିଛି। ଆଧୁନିକ ଯନ୍ତ୍ରପାତିର ଅଭାବ। ରାଜ୍ୟ ସରକାର ଆଦିବାସୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଗଣ୍ଡା ଗଣ୍ଡା ଯୋଜନା ଆଦିବାସୀଙ୍କ ନାଁରେ ଘୋଷଣା କରୁଛନ୍ତି କିନ୍ତୁ ତାର ସୁଫଳ ମିଳି ପାରୁନାହିଁ। ଅନ୍ତଃତ ଅବହେଳିତ କୃଷିବିଜ୍ଞାନ କେନ୍ଦ୍ରର ସମସ୍ତ ପଦବୀ ପୂରଣ କରିବା ସହିତ, ଆବଶ୍ୟକ ଯନ୍ତ୍ରପାତି ଯୋଗାଇ ଦେଲେ କୃଷିବିଜ୍ଞାନୀ ମାନେ ଅଧିକ ଉତ୍ସାହିତ ହେବା ସହ ଅଞ୍ଚଳର ଚାଷୀ ମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା ଦ୍ୱାରା, ଚାଷୀ ମାନଙ୍କର ଆର୍ଥିକ ମାନଦଣ୍ଡ ନିଶ୍ଚିତ ଭାବେ ଉନ୍ନତି ହୁଅନ୍ତା।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |