ନୂଆଦିଲ୍ଲୀ: ଆଜି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୧ ତମ ଜନ୍ମ ବାର୍ଷିକୀ | ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସକାଳେ ରାଜଘାଟରେ ପହଞ୍ଚି ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ ପ୍ରଧାନମନ୍ତ୍ରୀଙ୍କ ସମେତ ରାଷ୍ଟ୍ରପତି ରାମନାଥ କୋବିନ୍ଦ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସମେତ ଅନେକ ବିଶିଷ୍ଟ ନେତା ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।ପ୍ରଧାନମନ୍ତ୍ରୀ ମୋଦୀ ଏଠାରେ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବା ବେଳେ ଜୟନ୍ତୀ ଅବସରରେ ଏକ ଭଜନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଥିବା ଜଣାପଡ଼ିଛି।ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜୟ ଘାଟରେ ପହଞ୍ଚି ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆଜି ହେଉଛି ଲାଲ ବାହାଦୂର ଶାସ୍ତ୍ରୀଙ୍କ ୧୧୬ତମ ଜନ୍ମଦିବସ। ରାଜଘାଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ମଧ୍ୟ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଟୁଇଟରେ ପ୍ରଧାନମନ୍ତ୍ରୀ ମୋଦୀ ଲେଖିଥିଲେ ଯେ, ଗାନ୍ଧୀ ଜୟନ୍ତୀ ଅବସରରେ ଆମେ ପ୍ରିୟ ବାପୁଙ୍କୁ ପ୍ରଣାମ ଜଣାଉଛୁ। ତାଙ୍କ ଜୀବନ ଏବଂ ମହାନ ଚିନ୍ତାଧାରାରୁ ଅନେକ କିଛି ଶିଖିବାର ଅଛି | ବାପୁଙ୍କ ଆଦର୍ଶ ଆମକୁ ଏକ ସମୃଦ୍ଧ ତଥା କରୁଣାମୟ ଭାରତ ସୃଷ୍ଟି କରିବାରେ ମାର୍ଗଦର୍ଶକ ସାଜିବା ଜାରି ରଖିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |