ଗାନ୍ଧୀଙ୍କ ସହ ପୂଜା ପାଇଲେ ରଘୁନାଥ
ରାଜକନିକା,୨ା୧୦: ଗାନ୍ଧୀ ଏବଂ ରଘୁନାଥଙ୍କ ଜୀବନାଦର୍ଶ ଆମ ଅଗାମୀ ପିଢ଼ି ପାଇଁ ଏକ ଆହ୍ୱାନ । ଜଣେ ମହାତ୍ମା ଆଉ ଜଣେ ତାଙ୍କ ସେବକ । ବଗିଚାର ମାଳି । ଯେଉଁ ବଗିଚାରେ ପ୍ରତିଦିନ ପ୍ରାର୍ଥନା ସଭା କରୁଥିଲେ ଗାନ୍ଧୀ । ଜୀବନର ଶେଷ ସମୟରେ ହିଁ ଓଡ଼ିଆ ପୁଅ ରଘୁଙ୍କ କୋଳରେ ଜାତିର ପିତା ଶେଷ ନିଶ୍ୱାସ ନେଇଥିଲେ । ଏହା ସହିତ ଗାନ୍ଧୀ ହତ୍ୟାର ଓଡ଼ିଆ ସାକ୍ଷୀ ଥିଲେ । ତେଣୁ ମହାତ୍ମା ଗାନ୍ଧୀ ଏବଂ ରଘୁନାଥଙ୍କ ସଂପର୍କ ଓଡ଼ିଆ ଜାତିକୁ ଯୁଗ ଯୁଗ ଧରି ପ୍ରେରଣା ଯୋଗାଇ ବୋଲି ଜାଗୁଳାଇପଡ଼ା ଠାରେ ଗାନ୍ଧୀ ଜୟନ୍ତୀ ପାଳନ ଅବସରରେ ମୁଖ୍ୟଅତିଥି ଭାବେ ଯୋଗଦେଇ ରାଜକନିକା ବିଡ଼ିଓ ଅଶୋକ କୁମାର ମହାନ୍ତି ମତବ୍ୟକ୍ତ କରିଛନ୍ତି । ବିଡ଼ିଓ ଶ୍ରୀମହାନ୍ତି କହିଥିଲେଯେ, ଜାତିରପିତା ମହାତ୍ମା ଗାନ୍ଧୀଙ୍କ ଜୀବନ ସହିତ ଜଡ଼ିତ ଓଡ଼ିଆ ଜାତିର ପୁଅ ରଘୁନାଥଙ୍କୁ ମିଳିତ ଭାବେ ପୂଜା କରିବାର ଗୌବର ନିଆରା ବୋଲି କହିଥିଲେ । ଭାରତରେ ଗାନ୍ଧୀ ଏବଂ ତାଙ୍କ ସେବକ ରଘୁଙ୍କ ଏକାଠି ପ୍ରତିମୂର୍ତ୍ତି କେବଳ ଏଇଠି ରହିଛି । ଏହା ଏକ ବିରଳ ସଂଯୋଗ । ଆମେ ଏହି ଦୁଇ ମହାନ ପୁରୁଷଙ୍କ ଆଦର୍ଶକୁ ନେଇ ଜୀବନ ଅତିବାହିତ କରିବା ଦରକାର ବୋଲି କହିଥିଲେ । ରାଜକନିକା ବ୍ଲକ୍ର ଜାଗୁଳାଇପଡ଼ାରେ ରହିଥିବା ଗାନ୍ଧୀ ଏବଂ ଗାନ୍ଧୀ ସେବକ ରଘୁଙ୍କ ମିଳିତ ପ୍ରତିମୂର୍ତ୍ତିରେ ନିହାରା ଢ଼ଙ୍ଗରେ ଗାନ୍ଧୀରଘୁ ସ୍ମୃତି କମିଟି, ଗ୍ରାମବାସୀ ଏବଂ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଜାତିରପିତା ମହାତ୍ମାଙ୍କ ୧୫୨ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି । ଗାନ୍ଧୀ ଓ ରଘୁଙ୍କ ମିଳିତ ପ୍ରତିମୂର୍ତ୍ତିରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ସହିତ ଅତିଥିମାନେ ପୁଷ୍ଫମାଲ୍ୟ ଅର୍ପଣ କରିଥିଲେ । ଗାନ୍ଧିଜୀଙ୍କ ପ୍ରିୟ ଭଜନ ରଘୁପତି ରାଘବ ରାଜା ରାମକୁ ଛାତ୍ର ଛାତ୍ରୀ ମାନେ ଗାନ କରିଥିଲେ । ଗାନ୍ଧୀ ରଘୁ ସ୍ମୃତି କମିଟିର ସଂପାଦକ ଶୁଭ୍ରାଂଶୁ ସୂତାରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ରାଜକନିକା ବ୍ଲକ୍ ଅତିରିକ୍ତ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ସାହୁ, ରାଜକନିକା ବ୍ଲକ୍ ପ୍ରଗତୀ ସହାୟକ ସ୍ମାରକ ରଞ୍ଜନ ମହାନ୍ତି, ଜାଏମାଳବ ନୋଡ଼ାଲ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସେଫାଳୀ କୁମାରୀ ନାୟକ, ଶିକ୍ଷୟତ୍ରୀ ସ୍ନିଗ୍ଧାମୟୀ ନାୟକ, ଦିପାରାଣୀ ସେଠୀ, ମମତା ଦାସ, ଅଙ୍ଗନୱାଡ଼ି କର୍ମୀ ଜ୍ୟୋତ୍ସାରାଣୀ ମଲ୍ଲିକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦିଲ୍ଲିପ କୁମାର ମହାପାତ୍ର, ଅବସରପ୍ରାପ୍ତ ସୈନିକ ଅକ୍ଷୟ କୁମାର ନାଥ ଏବଂ ଅକ୍ସଫୋର୍ଡ଼ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ମିସ୍ ଡ଼ଲି ଯୋଗଦେଇ ଗାନ୍ଧୀ ଏବଂ ରଘୁଙ୍କ ଜୀବନାଦର୍ଶ ସଂପର୍କରେ ଆଲୋକପାତ୍ କରିଥିଲେ । ଗାନ୍ଧୀ ଓ ରଘୁଙ୍କ ସଂପର୍କ ସହିତ ଗାନ୍ଧୀହତ୍ୟାର ଏକମାତ୍ର ସାକ୍ଷୀ ରଘୁଙ୍କ ସ୍ମୃତିପୀଠ ଅବହେଳିତ ହୋଇପଡ଼ିଥିବା ଦେଖି ତୁରନ୍ତ ରାଜକନିକା ବିଡ଼ିଓ ଶ୍ରୀମହାନ୍ତି ଏହାର ମରାମତି ସହିତ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟକୁ ତୁରନ୍ତ କରିବା ନେଇ ପ୍ରତିଶୃତି ଦେଇଥିଲେ । ପ୍ରକାଶଥାଉକି ଆତତାୟୀ ନାଥୁରାମର ବନ୍ଧୁକ ଗୁଳିରେ ଟଳିପଡ଼ିଥିଲେ ଗାନ୍ଧୀ । ଆଉ ସେହି ସମୟରେ ବିରଳାଭବନର ମାଳି ଓଡ଼ିଆ ପୁଅ ରଘୁ ନାୟକ ବୀରତ୍ୱର ସହିତ ନାଥୁରାମଙ୍କୁ କାବୁ କରି ପୁଲିସର ଜିମା ଦେଇଥିଲେ । ଗାନ୍ଧିଜୀଙ୍କୁ ତତ୍କାଳ କୋଳକୁ ଟେକିନେଇଥିଲେ, ରଘୁ । ଗାନ୍ଧୀ ସେବକ ରଘୁ ନାୟକଙ୍କ କୋଳରେ ମଥା ରଖି ‘ହେ-ରାମ’କହି ଏ ଜାତିର ଚିର ନମସ୍ୟ ମହାତ୍ମା ଗାନ୍ଧୀ ତ୍ୟାଗ କରିଥିଲେ ଶେଷ ନିଃଶ୍ୱାସ । ରଘୁଙ୍କ ବୀରତ୍ୱ ଓ ସାହାସିକତା ପାଇଁ ତତ୍କାଳୀନ ରାଷ୍ଟ୍ରପତି ଡ଼ଃ ରାଜେନ୍ଦ୍ର ପ୍ରସାଦଙ୍କ ଠାରୁ ମିଳିଥିଲା ୫୦୦ଟଙ୍କାର ପୁରସ୍କାର ସହିତ ଏକ ସନନ୍ଦପତ୍ର । ଏହା ଭିତରେ ବିତିଯାଇଥିଲା ଅନେକ ବର୍ଷ । ସେ ବିରଳା ଭବନର ମାଳି ଥିଲେ । ହେଲେ ରଘୁ ନାଥଙ୍କୁ ଜୀବିତ ଅବସ୍ଥାରେ ଓଡ଼ିଆ ଜାତି ଦେଇପାରିଲାନି ସମ୍ମାନ । ଆର୍ଥିକ ଅନଟନ ମଧ୍ୟରେ ୧୩ ଅଗଷ୍ଟ ୧୯୮୩ ମସିହାରେ ୭୨ ବର୍ଷ ବୟସରେ ରୋଗଶର୍ଯ୍ୟାରେ ପଡ଼ି ପଡ଼ି ତାଙ୍କର ମୃତ୍ୟୁହୋଇଥିଲା । ୨୦୦୫ ମସିହାରେ ଏକ ଖବର କାଗଜରେ ଅବହେଳିତ ରଘୁଙ୍କ ସଂପର୍କରେ ପାଠ କରି ଜର୍ମାନୀର ଏକ ଅଟୋମୋବାଇଲ କମ୍ପାନୀ ଡ଼ାମଲରଖ୍ରୀସଲରର ମୁଖ୍ୟ ବର୍ଣ୍ଣ ଆଡ୍ଲର ରଘୁଙ୍କ ଜନ୍ମସ୍ଥାନ ଓଡ଼ିଶାର କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକ୍ର ଜାଗୁଳାଇପଡ଼ା ଗ୍ରାମରେ ପହଞ୍ଚିଥିଲେ । ବିଦେଶୀ ଗାନ୍ଧୀପ୍ରେମୀ ଜାଗୁଳାଇପଡ଼ା ଗ୍ରାମରେ ଗାନ୍ଧୀ-ରଘୁଙ୍କ ମିଳିତ ପ୍ରତିମୂର୍ତ୍ତ ପ୍ରତିଷ୍ଠା କରିଥିଲେ । ରଘୁଙ୍କ ସ୍ତ୍ରୀ ମନ୍ଦୋଦରୀଙ୍କ ଦୟନୀୟ ଜୀବନ ବିତାଉଥିବାର ଖବର ‘ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍କାଳ ୪୦ ହଜାର ଟଙ୍କା ସହିତ ପରିବାରକୁ ଆବାସ ଯୋଜନାରେ ଘର, ସଂପର୍କୀୟଙ୍କୁ ଭତ୍ତା ଯୋଗାଇ ଦେଇଥିଲେ । ଏହା ପରେ ରାଜ୍ୟ ସଚିବାଳୟରେ ମନ୍ଦୋଦରୀଙ୍କୁ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିବା ସହିତ ସମ୍ବର୍ଦ୍ଧିତ କରିଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |