ମୁମ୍ବାଇ,୧୨ ।୧୨ : ମହାରାଷ୍ଟ୍ରରେ କୌଣସି ସରକାରୀ କର୍ମଚାରୀ ଅଫିସ୍କୁ ଜିନ୍ସ, ଟି-ସାର୍ଟ କିମ୍ବା ସ୍ଲିପର ପିନ୍ଧି ଆସିପାରିବେ ନାହିଁ । ଗତ ୮ ତାରିଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ଏହା କୁହାଯାଇଛି । ଏଥିସହ ସବୁ କର୍ମଚାରୀମାନେ ଶୁକ୍ରବାର କେବଳ ଖଦୀ ପୋଷାକ ପିନ୍ଧିବେ । ଏହା ଦ୍ୱାରା ଖଦୀ ବସ୍ତ୍ରର ପ୍ରଚାର ପ୍ରସାର ଘଟିବା ସହ ଏହା ଉପରେ ନିର୍ଭର କରି ଚଳୁଥିବା ପରିବାର ବିଶେଷ ଭାବେ ଉପକୃତ ହୋଇପାରିବେ । ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଅଫିସ୍ର ଅଧିକାଂଶ କର୍ମଚାରୀ ବିଶେଷକରି ଚୁକ୍ତିଭିତ୍ତିକ କର୍ମଚାରୀ ଓ ସରକାରୀ କାର୍ଯ୍ୟ ପାଇଁ ନିୟୋଜିତ ପରାମର୍ଶଦାତାମାନେ ଜଣେ ସରକାରୀ କର୍ମଚାରୀଙ୍କୁ ସୁହାଇବା ଭଳି ଉପଯୁକ୍ତ ପୋଷାକ ପିନ୍ଧି ଅଫିସ୍ ଆସୁନାହାନ୍ତି । ଫଳରେ ସର୍ବସାଧାରଣରେ ସରକାରୀ କର୍ମଚାରୀଙ୍କ ଛବି ଖରାପ ହେଉଛି । ଯଦି ପୋଷାକ ଅନୁପଯୁକ୍ତ ଓ ଅପରିଷ୍କାର ହୋଇଥିବ, ତାହା ଜଣେ କର୍ମଚାରୀଙ୍କ କାର୍ଯ୍ୟ କରିବା ଉପରେ ପରୋକ୍ଷରେ ପ୍ରଭାବ ପଡିବ । ତେଣୁ ପୋଷାକ ମାର୍ଜିତ ଓ ପରିଷ୍କାର ହେବା ଦରକାର । ପୁରୁଷମାନେ ସାର୍ଟ-ପ୍ୟାଣ୍ଟ କିମ୍ବା ଟ୍ରାଉଜର-ପ୍ୟାଣ୍ଟ ପିନ୍ଧି ଅଫିସ୍ ଆସିବେ । ଗାଢ଼ ରଙ୍ଗ କିମ୍ବା ଏମ୍ବ୍ରଡୋରୀ ପୋଷାକ ଚଳିବ ନାହିଁ । ଏଥିସହ ସେମାନେ ଜୋତା କିମ୍ବା ସାଣ୍ଡାଲ ପିନ୍ଧି ଆସିବାକୁ କୁହାଯାଇଛି । ସେହିଭଳି ମହିଳା କର୍ମଚାରୀମାନେ ଶାଢ଼ି, ସାଲୱାର/ଚୁଡିଦାର କୁର୍ତ୍ତା, ଟାଉଜର ପ୍ୟାଣ୍ଟ ଓ ସାର୍ଟ ପିନ୍ଧି ଆସିବେ । ଦୁପଟା ମଧ୍ୟ ବ୍ୟବହାର କରିପାରିବେ । ସେମାନେ ଚପଲ, ସାଣ୍ଡାଲ କିମ୍ବା ଜୋତା ପିନ୍ଧିପାରିବେ ବୋଲି ଉକ୍ତ ବିଜ୍ଞପ୍ତିରେ କୁହାଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |