ମାଲକାନଗିରି , ୧୫/୦୭: ମାଲକାନଗିରି ଜିଲ୍ଲାରେ ବର୍ଷା ଜାରି ରହିଛି। ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । ସିଲେରୁ ଓ ସାବେରୀ ନଦୀରେ ଜଳ ସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ମୋଟୁ ଓ ଆନ୍ଧ୍ର ସିମାନ୍ତରେ ଥିବା କାଲେରୁ ଗାଁ ନିକଟ ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ଗତ ୬ ଦିନ ଧରି ୮ ଫୁଟ ଉଚ୍ଚରେ ପ୍ରବାହିତ ହେଉଛି ବନ୍ୟା ଜଳ । ଫଳରେ ମାଲକାନଗିରି ଜିଲ୍ଲାର ମୋଟୁ ସହ ଆନ୍ଧ୍ର, ତେଲେଙ୍ଗାନା ଓ ଛତିଶଗଡ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ରହିଛି। ମୋଟୁ ସିମାନ୍ତରେ ଶହ ଶହ ଯାନ ବାହାନ ଅଟକି ରହିଛି।ଗୋଦାବରୀ ନଦୀରେ ତୃତୀୟ ବିପଦ ସଂକେତ ୫୩ ଫୁଟ ରହିଥିବା ବେଳେ ବତ୍ତର୍ମାନ ସେଠାରେ ଜଳସ୍ତର ୬୫ ଫୁଟ ରହିଛି । ଫଳରେ ମାଲକାନଗିରି ଜିଲ୍ଲାର ମୋଟୁରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ବାରିବାଞ୍ଛା, ବିନାୟକପୁର, ଆଲମା ଓ ମୁରଲିଗୁଡା ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଛି । ମୁଗି ପଏଣ୍ଟ ଓ ପୁରୁଣା ମୋଟୁରେ ଅନେକ ଲୋକଙ୍କ ଘର ବନ୍ୟା ପାଣିରେ ବୁଡ଼ି ଯାଇଛି । ସାବେରୀ ନଦୀ କୂଳରେ ଥିବା ପଡିଆ ବ୍ଳକର ୩ଟି ଗାଁ ବଜାଗୁଡା,ଏମଭି୫୭ ଓ ଗିରକାନପାଲି ଗ୍ରାମର ୮୪ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ମୋଟୁ ଅଞ୍ଚଳର ଅନେକ ଲୋକେ ନିଜ ନିଜର ଘର ଦ୍ଵାର ଛାଡ଼ି ଉଚ୍ଚ ସ୍ଥାନରେ ଆଶ୍ରୟ ନେଇଛନ୍ତି । ପରିସ୍ଥିତି ଉପରେ ନଜର ରଖିବା ଲାଗି ମାଲକାନଗିରି ଜିଲ୍ଲାପାଳ ବିଡିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ତେଣୁ ଏମ୍ଭି-୫୬ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହୋଇ ଯୋଗାଯୋଗ ଠପ୍ ହୋଇଯାଇଛି। ଏହି ପୋଲ ଉପରେ ପ୍ରାୟ ୨ରୁ ୩ ଫୁଟ୍ ଉଚ୍ଚରେ ବନ୍ୟାଜଳ ଚାଲିଥିବାରୁ ଏମଭି-୫୬, ସଂଗେଲ, ଏମ୍ପିଭି-୧୧୮, ଉସକାପାଲୀ, କେରିଆଗୁଡ଼ା ଆଦି ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି। ଧୀରେ ଧୀରେ ଜଳସ୍ତର ଅଧିକ ବୃଦ୍ଧି ପାଉଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। କାରଣ ଗତକାଲି ଠାରୁ ଆଜି ସକାଳ ପର୍ଯ୍ୟନ୍ତ କାଲିମେଳାରେ ୯୫ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ସେହିପରି ମାଲକାନଗିରି-ଆନ୍ଧ୍ର ୩୨୬ନମ୍ବର ଜାତୀୟ ରାଜପଥର ଅନେକ ସ୍ଥାନରେ ରାସ୍ତା ବୁଡ଼ିରହିଛି। ମୋଟୁ-ଚିନ୍ତୁର ମଧ୍ୟରେ ରହିଥିବା କୁଇଗୁର ପୋଲ ଉପରେ ଆଜି ମଧ୍ୟ ପ୍ରାୟ ୬ରୁ୭ ଫୁଟ୍ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଥିଲା। ତିନି ଦିନ ହେଲା ଏହି ପୋଲ ସଂପୂର୍ଣ୍ଣ ବୁଡ଼ି ରହିଥିବାରୁ ଆନ୍ଧ୍ରକୁ ଯାତାୟାତ ବନ୍ଦ ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |