ମାଲକାନଗିରି କୃଷି ବିଜ୍ଞାନ କେନ୍ଦ୍ରର ଆଉ ଏକ ବିରଳ ସଫଳତା

ମାଲକାନଗିରି,୧୩/୯/୨୧( ଶ୍ରୀନିବାସ ପଣ୍ଡା ):- ଆଦିମ ଜନଜାତି ଭରା ମାଲକାନଗିରି ଜିଲ୍ଲାର ଅଧିକାଂଶ ଜମି ଦୁର୍ଗମ ପାହାଡ ପର୍ବତ ଏବଂ ଘଞ୍ଚ ଜଙ୍ଗଲ ବେଷ୍ଟିତ। ଜିଲ୍ଲାର ବୃଷ୍ଟିପାତ ଅନ୍ୟାନ୍ୟ ଜିଲ୍ଲା ଠାରୁ ଯଥେଷ୍ଟ କମ ଅନୁଭୂତ ହୁଏ। ଜନସଂଖ୍ୟା ଅନୁଯାଇ ଚାଷଜମି ପର୍ଯ୍ୟାପ୍ତ ନଥିବାରୁ ପଡୋଶୀ ରାଜ୍ୟରେ ଦାଦନ ଖଟିବାକୁ ଯିବା ଏଠିକାର ଯୁବବର୍ଗଙ୍କୁ ବାଧ୍ୟ କରିଥାଏ। କୋଟି କୋଟି ଟଙ୍କାର ସରକାରୀ ଯୋଜନା ଏଠି ଫଳଶୂନ୍ୟ। ବେବିକେ ଯୋଜନା ଆରମ୍ଭ ହେବା ଠାରୁ ଆଜି ପର୍ଯ୍ୟନ୍ତ ହଜାର ହଜାର କୋଟି ସରକାରୀ ଅନୁଦାନ ଯଦି ନିଷ୍ଠା ପୂର୍ବକ କାର୍ଯ୍ୟକାରୀ ହେଇଥାନ୍ତା ଜିଲ୍ଲାର ଅବସ୍ଥା ଆଜି ନିଶ୍ଚିତ ଭାବେ ବଦଳି ଯାଇଥାନ୍ତା, ଏଥିରେ ସନ୍ଦେହ ନାହିଁ। ବିଳମ୍ବ ହେଲେ ମଧ୍ୟ କିଛି କିଛି ବିଭାଗର ଯୁବ ଅଧିକାରୀ ମାନଙ୍କ ପ୍ରଚେଷ୍ଟାରୁ ଅବସ୍ଥାର ସୁଧାର ଆସୁଛି। ଯାହା ଫଳରେ ଜନ ସାଧାରଣଙ୍କର ପ୍ରଶାସନ ଉପରେ ଭରଷା କରିବା ଦେଖା ଯାଉଛି।ଯେପରି କୃଷି ବିଜ୍ଞାନ କେନ୍ଦ୍ର। ଦୀର୍ଘବର୍ଷ ପୂର୍ବରୁ ସ୍ଥାପିତ କୃଷି ବିଜ୍ଞାନ କେନ୍ଦ୍ର ସ୍ଥାପନା ହେଇଥିଲେହେଁ ପୂର୍ଣ୍ଣ ମାତ୍ରାରେ କାର୍ଯ୍ୟକ୍ଷମ ହେଇପାରିନାହିଁ। ଅନେକ ବିଶେଷଜ୍ଞ ପଦବୀ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଇଛାଶକ୍ତି ଅଭାବରୁ ଖାଲି। କର୍ମଚାରୀଙ୍କର ଅଭାବ। କୃଷି ଗବେଷଣା କେନ୍ଦ୍ର ଅଧୀନରେ ଥିବା ଚାଷ ଜମି ଆଜି ପର୍ଯ୍ୟନ୍ତ ପାଚେରୀରେ ଆବଦ୍ଧ ହେଇପାରିନାହିଁ। କେନ୍ଦ୍ର ଆରମ୍ଭରୁ ଆସିଥିବା କୃଷି ଯନ୍ତ୍ରପାତି ମରାମତି ଅଭାବରୁ ପଡିରହିଛି। କିଛି କରିବାର ମନୋବୃତ୍ତି ଥିଲେବି ସୀମିତ କର୍ମଚାରୀଙ୍କୁ ନେଇ ଠିକ ଭାବେ କାର୍ଯ୍ୟକ୍ଷମ କରାଇବା ଅସମ୍ଭବ ହେଉଥିବା ପରିଲକ୍ଷିତ ହୁଏ। କିନ୍ତୁ ଦୃଢ଼ ଇଛାଶକ୍ତି ଆଗରେ ହାର ମାନିଛି ଅବ୍ୟବସ୍ଥା। ଏବେ ମତ୍ସ୍ୟ ବିଶେଷଜ୍ଞ ପଦବୀଟି ପୂରଣ ହେବା ପରେ ମତ୍ସ୍ୟ ବିଶେଷଜ୍ଞ ଆତିଷ ମାନେ,କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ସମୀର ରଞ୍ଜନଙ୍କ ସହଯୋଗରେ ଆରମ୍ଭ କରିଛନ୍ତି ଦେଶୀ ମାଗୁର ଯାଆଁଳା ପ୍ରକଳ୍ପ।
WhatsApp Image 2021 09 13 at 6.12.20 PM
ମାଲକାନଗିରି ଅଞ୍ଚଳରେ ପ୍ରକଳ୍ପ ପାଇଁ ଆବଶ୍ୟକ ମାଈ ଏବଂ ଅଣ୍ଡିରା ମାଛ ନମିଳିବା ଫଳରେ ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ହେଇଥିବା ପ୍ରକାଶ। ଅନେକ ଚେଷ୍ଟା ତଥା ସଚେତନତା କାର୍ଯ୍ୟକ୍ରମ ଚାଲୁ ରଖିବା ଦ୍ୱାରା ଏମଭି ୪୫ ଗ୍ରାମର ଆନନ୍ଦ ମଲାକାର ମତ୍ସ୍ୟ ବିଶେଷଜ୍ଞ ଆତିଶ ମାନେଙ୍କ ଦ୍ୱାରା ପ୍ରଭାବିତ ହେଇ ନିଜ ପୋଖରୀରେ ମାଗୁର ମାଛ ଯାଆଁଳ ପ୍ରକଳ୍ପ କରିବା ପାଇଁ ମନ ବଳେଇଥିଲେ। ମଲାକାର ନିଜସ୍ୱ ଉଦ୍ୟମରେ ମାଗୁର ମାଛ ଯୋଗାଡ଼ କରିବା ପରେ ମତ୍ସ୍ୟ ବିଶେଷଜ୍ଞ ଆତିଶ ମାନେ ସଂକଳ୍ପବଦ୍ଧ ଭାବରେ ଯାଆଁଳ ପ୍ରକଳ୍ପ କାର୍ଯ୍ୟକୁ ପ୍ରତ୍ୟେକ୍ଷ ଭାବେ ସହଯୋଗ କରୁଛନ୍ତି। ଅନେକ ଥର ନିରାଶ ହେବାପରେ ଏବେ ଯୋଜନା ସମ୍ପୂର୍ଣ୍ଣ ଭାବେ ଫଳପ୍ରଦ ହେଇଛି। ବର୍ତ୍ତମାନ ମଲାକାରଙ୍କ ପାଖରେ ଏକ ଲକ୍ଷ ମାଗୁର ଯାଆଁଳ ବିକ୍ରିପାଇଁ ଉପଲବ୍ଧ ଥିବା ଜଣାପଡିଛି। ବୋଧହୁଏ କଟକ ବ୍ୟତୀତ ମାଗୁର ମାଛ ଯାଆଁଳ ଓଡ଼ିଶାର ଅନ୍ୟ କେଉଁଠି ମିଳିବା ସମ୍ଭାବନା କମ। ପାହାଡିଆ ଅଞ୍ଚଳ ହେଇଥିବାରୁ ମାଲକାନଗିରି ଜିଲ୍ଲାରେ ଜଳର ଉତ୍ସ ନଗଣ୍ୟ। ସେସବୁ ଦୃଷ୍ଟିରୁ ଅଳ୍ପ ପାଣିରେ ଏବଂ ସ୍ୱଳ୍ପ ସମୟ ମଧ୍ୟରେ ବିକ୍ରିଯୋଗ୍ୟ ହେଇପାରୁଥିବା ଦେଶୀ ମାଗୁର ମାଛ ଚାଷ ନିଶ୍ଚିତ ଭାବେ ଲାଭପ୍ରଦ ସାବ୍ୟସ୍ତ ହେବ। ମାଲକାନଗିରି ଜିଲ୍ଲାର ବେକାର ଯୁବକ ଯୁବତୀ କରୋନା ମାଡରେ ପ୍ରାୟ ଘରେ ବସିଛନ୍ତି। ଏପରି ସ୍ଥଳେ ଛୋଟ ଛୋଟ ପୋଖରୀରେ କମ ପୁଞ୍ଜିରେ ଦେଶୀ ମାଗୁର ମାଛ ଚାଷ ପ୍ରତି ନିଶ୍ଚିତ ଭାବେ ଆକୃଷ୍ଟ ହେବେ ଏଥିରେ ସନ୍ଦେହ ନାହିଁ। ବର୍ତ୍ତମାନ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ବାୟୋଫ୍ଲୋକ ପ୍ରଣାଳୀରେ ମାଛ ଚାଷ ଆରମ୍ଭ ହେଲାଣି। ବାୟୋଫ୍ଲୋକ ପ୍ରଣାଳୀରେ କେବଳ ମାଗୁର ସିଙ୍ଗି ଜାତୀୟ ମାଛ ଲାଭଜନକ ହେଉଥିବାରୁ ଆଗାମୀ ଦିନରେ ଅନେକ ଚାଷୀ ମାଗୁର ମାଛ ଚାଷ ପ୍ରତି ଆକୃଷ୍ଟ ହେବେ ଏଥିରେ ସନ୍ଦେହ ନାହିଁ। ଏହିପରି ନିଷ୍ଠାର ସହ କାର୍ଯ୍ୟଧାରା ଚାଲୁ ରହିଲେ ଆଗାମୀ ଦିନରେ ମାଲକାନଗିରି ଜିଲ୍ଲା ଦେଶୀ ମାଗୁର ମାଛ ଯାଆଁଳ ଉତ୍ପାଦନର ଓଡ଼ିଶାର ମୁଖ୍ୟ କେନ୍ଦ୍ର ହେବ।
WhatsApp Image 2021 09 13 at 7.24.54 PM

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: