ମେଧାବୀ ତଥା ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ଚାକିରି ପାଇଁ ‘ସୁଦକ୍ଷ’ କାର୍ଯ୍ୟକ୍ରମର ଶୁଭାରମ୍ଭ

ସୁନ୍ଦରଗଡ଼,୨/୨ : ସୁନ୍ଦରଗଡ଼ ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀଙ୍କୁ ମାଗଣାରେ ନିଯୁକ୍ତି ଉପଯୋଗୀ କୋଚିଂ ଦେବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ‘ସୁଦକ୍ଷ’ କାର୍ଯ୍ୟକ୍ରମ। ମଙ୍ଗଳବାର ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏହାର ଶୁଭାରମ୍ଭ କରିଛନ୍ତି। ସୁନ୍ଦରଗଡ଼ ସହରର ପତ୍ରାପାଲିଠାରେ ଉଦଘାଟିତ ହୋଇଥିବା ‘ସୁଦକ୍ଷ’ କେନ୍ଦ୍ରରେ ପ୍ରାର୍ଥୀମାନଙ୍କର କୋଚିଂ ଆରମ୍ଭ ହୋଇଛି। ଏହି ସପ୍ତାହରେ ରାଉରକେଲା ଏବଂ ବଣାଇଁଠାରେ ଆଉ ଦୁଇଟି କେନ୍ଦ୍ର ଉଦଘାଟିତ ହେବାକୁ ଯାଉଛି। ଜିଲ୍ଲାର ବହୁ ମେଧାବୀ ତଥା ଗରିବ ଶ୍ରେଣୀର ଛାତ୍ରଛାତ୍ରୀ ଚାକିରି ପାଇଁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଦେଇ ଅନେକ ସମୟରେ ସଫଳତା ପାଇପାରୁ ନାହାନ୍ତି। ତେଣୁ ସେମାନଙ୍କୁ ମାଗଣାରେ ଆବଶ୍ୟକ କୋଚିଂ ଓ ଆନୁଷଙ୍ଗିକ ସହଯୋଗ ଯୋଗାଇ ଦେଇ ସେମାନଙ୍କ କ୍ୟାରିୟର ସ୍ବପ୍ନକୁ ସଫଳ କରାଇବା ପାଇଁ ଏକ ଅଭିନବ ପଦକ୍ଷେପ ହେଉଛି ‘ସୁଦକ୍ଷ’ କାର୍ଯ୍ୟକ୍ରମ। ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଏହି କାର୍ଯ୍ୟକ୍ରମ ପାଇଁ ଆର୍ଥିକ ସହାୟତା ଦେଉଥିବା ବେଳେ ନିୟତି ଫାଉଣ୍ଡେସନ ସହଯୋଗୀ ସଂସ୍ଥା ଭାବେ ଏହାର ପରିଚାଳନା ଦାୟିତ୍ୱ ନେଇଛି।‘ସୁଦକ୍ଷ କାର୍ଯ୍ୟକ୍ରମ ଅଧୀନରେ +୨ ଓ +୩ ପାସ୍ କରିଥିବା ତଥା ନିଯୁକ୍ତି ଆଶାୟୀ ଯୁବକ ଯୁବତୀଙ୍କୁ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ଲାଗି କୋଚିଂ ଦିଆଯିବ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ବିଶେଷକରି ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକ, ଅନୁସୂଚିତ ଜାତି ଓ ଜନଜାତି, ଗରିବ ତଥା ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଏହି କାର୍ଯ୍ୟକ୍ରମ ବିଶେଷ ସହାୟକ ହେବ’’, କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: