ବଲାଙ୍ଗୀର, ୧୩।୩: ମୋବାଇଲ ଦେଲେନି ବୋଲି ସ୍ବାମୀଙ୍କୁ ପନିକିରେ ଆକ୍ରମଣ କରିଛନ୍ତି ସ୍ତ୍ରୀ। ଗୁରୁତର ଅବସ୍ଥାରେ ସ୍ବାମୀଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏପରି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲା ପୁଇଁତଲା ଥାନା କେଶେରକେଲା ଗାଁରେ। ଗତ ଛଅ ବର୍ଷ ତଳେ କେଶେରକେଲା ଗାଁର ଗଣେଶ୍ୱର ସୁନା ଛତିଶଗଡ ବିଳାସପୁରର ଈଶ୍ବରୀ କୁମାରୀଙ୍କୁ ବିବାହ କରିଥିଲେ। ସେମାନଙ୍କର ଚାରି ବର୍ଷର ଝିଅଟିଏ ମଧ୍ୟ ଅଛି। ବିଭିନ୍ନ ସମୟରେ ସ୍ବାମୀ-ସ୍ତ୍ରୀଙ୍କ ଭିତରେ କଳହ ଲାଗି ରହିଥିଲା।
ସୂଚନାଯୋଗ୍ୟ, ରବିବାର ଈଶ୍ବରୀ ଗଣେଶ୍ୱରଙ୍କୁ ମୋବାଇଲ ମାଗିଥିଲେ। ଡାଟା ଶେଷ ହୋଇଯିବ କହି ସ୍ତ୍ରୀକୁ ମୋବାଇଲ ଦେଇ ନ ଥିଲେ ଗଣେଶ୍ୱର। ଫଳରେ ବିଳମ୍ବିତ ରାତିରେ ସ୍ବାମୀ ଶୋଇଥିବା ଅବସ୍ଥାରେ ହଠାତ ଈଶ୍ବରୀ ପନିକି ଆଣି ତାଙ୍କ ମୁଣ୍ଡରେ ଆକ୍ରମଣ କରିଥିଲେ। ଗଣେଶ୍ୱର ପ୍ରତିରୋଧ କରିବାରୁ ତାଙ୍କ ହାତକୁ ମଧ୍ୟ ଆକ୍ରମଣ କରିଥିଲେ। ସ୍ବାମୀଙ୍କୁ ଲହୁଲୁହାଣ କରି ଝିଅ ସହ ଫେରାର ହୋଇଯାଇଛନ୍ତି ସ୍ତ୍ରୀ। ସ୍ଥାନୀୟ ଲୋକେ ଗଣେଶ୍ୱରକୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲରେ ଭର୍ତ୍ତି କରିଥିଲେ। ମେଡିକାଲରେ ଥିବାରୁ ଗଣେଶ୍ୱର ଏନେଇ ପୁଇଁତଲା ଥାନାରେ କୌଣସି ଲିଖିତ ଅଭିଯୋଗ କରିନାହାନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |