ଯାଜପୁରରେ ୩୧ ଚୋରା ମୂର୍ତ୍ତି ଉଦ୍ଧାର

ଯାଜପୁର  ,୪ା୩: ଯାଜପୁର ଜିଲାର ବିଭିନ୍ନ ମନ୍ଦିରରୁ ଚୋରି ହୋଇଥିବା ୩୧ଟି ମୂର୍ତ୍ତି ଉଦ୍ଧାର ହୋଇଛି। ଏହି ଚୋରି କାରବାରରେ ସମ୍ପୃକ୍ତ ୪ ଜଣଙ୍କୁ ପୋଲିସ ଗିରଫ କରି   କୋର୍ଟଚାଲାଣ କରିଛି। ସେମାନେ ହେଲେ ଉତ୍ତରପ୍ରଦେଶର ଅରବିନ୍ଦ କୁମାର ସିଂ(୪୩), ବାବର ଓରଫ୍‌ ଜାଭେଦ(୪୦), ବିଜୟ କୁମାର ଶୁକ୍ଲା(୫୧) ଏବଂ ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳର ଶଶିଧର ନାଏକ(୪୯) ବୋଲି ଯାଜପୁର ଏସ୍‌ପି ଭିନିତ୍‌ କୁମାର ଅଗ୍ରୱାଲ ସୂଚନା ଦେଇଛନ୍ତି। ଗତ ୨ ଦଶନ୍ଧି ହେଲା ଜିଲାରେ ମୂର୍ତ୍ତି ଚୋରି କାରବାର ସକ୍ରିୟ ଥିବାବେଳେ ଏହାର ଚେର ଉତ୍ତରପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଥିବା ସ୍ପଷ୍ଟ ହୋଇଛି। ନୀଳଗିରି ଅଞ୍ଚଳର ଶଶିଧର ଇନ୍‌ଫର୍ମର ଭାବେ କାର୍ଯ୍ୟ କରୁଥିଲେ ବୋଲି ଜଣାପଡ଼ିଛି। ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ପିସ୍ତଲ ଓ ନମ୍ବର ବିହୀନ ବାଇକ ଜବତ ହୋଇଛି। ଅନ୍ୟପକ୍ଷରେ ମୂର୍ତ୍ତି ଚୋରି କାରବାରରେ କେଉଁମାନଙ୍କ ସମ୍ପୃକ୍ତି ରହିଛି ତାହା ଏଯାଏ ଜଣାପଡ଼ିନାହିଁ। ଏଠାରୁ ଚୋରି ହେଉଥିବା ମୂର୍ତ୍ତିଗୁଡ଼ିକୁ ଦେଶ ବାହାରକୁ ଚାଲାଣ ହେଉଥିବା ସନ୍ଦେହ କରାଯାଉଛି। ମୂର୍ତ୍ତି ଚୋରି କାରବାରର ମାଷ୍ଟରମାଇଣ୍ଡଙ୍କୁ ଧରାଗଲେ ଏନେଇ ଅଧିକ ତଥ୍ୟ ଜଣାପଡ଼ିବ ବୋଲି କୁହାଯାଉଛି।
ଏସ୍‌ପି ଅଗ୍ରୱାଲଙ୍କ ସୂଚନାକ୍ରମେ ଗତ ଫେବୃୟାରୀ ୨୦ ଓ ୨୧ ରାତିରେ ଜେନାପୁର ଥାନା ଅନ୍ତର୍ଗତ କୃଷ୍ଣଚନ୍ଦ୍ରପୁର ମନ୍ଦିରରୁ ୪ଟି ମୂର୍ତ୍ତି ଚୋରି ହୋଇଥିଲା। ଏନେଇ ଜେନାପୁର ଥାନାରେ ଆଇପିସି ଦଫା ୪୫୭, ୩୮୦ ଅନୁଯାୟୀ ମାମଲା (୪୮/୨୩) ରୁଜୁ ହୋଇଥିଲା। ସେହିପରି ଫେବୃୟାରୀ ୨୯ ଓ ୨୦ ରାତିରେ ଯାଜପୁର ଟାଉନ ରଘୁନାଥ ଜୀଉ ମନ୍ଦିରରୁ ୧୯ଟି ମୂର୍ତ୍ତି ଚୋରି ହୋଇଥିଲା। ଏନେଇ ଯାଜପୁର ଟାଉନ ଥାନାରେ ମାମଲା (୬୦/୨୩) ରୁଜୁ ହୋଇଥିଲା। ଏହାପୂର୍ବରୁ ଗତ ନଭେମ୍ବର ୧୧ରେ ଧର୍ମଶାଳା ଥାନା ଅଧୀନ ପାଟପୁର ବଳଦେବ ଜୀଉ ମନ୍ଦିରରୁ ବହୁ ମୂଲ୍ୟବାନ ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଥିଲା। ଏହାପରେ ଯାଜପୁର ପୋଲିସ ଏକ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଗଠନ କରି ଚୋରି ମାମଲାଗୁଡ଼ିକର ଅନୁଧ୍ୟାନ କରିଥିଲା। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୋଲିସ ଟିମ୍‌ ଚଢ଼ାଉକରି ମୂର୍ତ୍ତି ଜବତ କରିବା ସହ ଅଭିଯୁକ୍ତମାନଙ୍କୁ ଗିରଫ କରିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!