ଯାଜପୁର,୨୩/୦୬ : ଯାଜପୁର ତହସିଲର ୪ କୋଟି ୯୪ ଲକ୍ଷ ଟଙ୍କାର ଆର୍ଥିକ ହେରଫେର ମାମଲାରେ ଭିଜିଲାନ୍ସ ଆଜି ଆଉ ଜଣେ ସରକାରୀ କର୍ମଚାରୀଙ୍କୁ ନିଜ ହେପାଜତକୁ ନେଇଛି। ଯାଜପୁର ଭିଜିଲାନ୍ସ ଡିଏସ୍ପି ସୁଶୀଲ କୁମାର ଏକ୍କାଙ୍କ ଉପସ୍ଥିତିରେ ଏକ ଟିମ୍ ଚଢ଼ଉ କରି ବିଂଝାରପୁର ତହସିଲରେ କାର୍ଯ୍ୟରତ ସେକ୍ସନ ଅଫିସର ଅଜୟ କୁମାର ସାହୁଙ୍କୁ ଗିରଫ କରିଛି।ଶ୍ରୀ ସାହୁ ବିଞ୍ଝାରପୁର ତହସିଲରେ ସେକ୍ସନ ଅଫିସର ଭାବେ କାର୍ଯ୍ୟରତ ଅଛନ୍ତି । ପୂର୍ବରୁ ସେ ଯାଜପୁର ତହସିଲରେ ମୁଖ୍ୟ କିରାଣୀ ଭାବେ କାର୍ଯ୍ୟ କରୁଥିଲେ । ପୂର୍ବରୁ ସେହି ଘଟଣାର ମୁଖ୍ୟ କାର୍ପଟଦାର ରଜତ ରାଉତରାୟଙ୍କୁ କିଛି ଦିନ ପୂର୍ବରୁ ଭିଜିଲାନ୍ସ ଗିରଫ କରିଥିଲା । ଯାଜପୁର ତହସିଲ ୪କୋଟି ୯୫ ଲକ୍ଷ ଟଙ୍କା ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ପୂର୍ବତନ ନାଜିର ରଜତ କୁମାର ରାଉତରାୟଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଥିଲା ।ବୁଧବାର ପୂର୍ବାହ୍ନରେ ସେକ୍ସନ ଅଫିସର ଅଜୟ କୁମାର ସାହୁ ବିଂଝାରପୁର ତହସିଲ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଠିକ୍ ଏତିକିବେଳେ ଯାଜପୁର ଭିଜିଲାନ୍ସ କାର୍ଯ୍ୟାଳୟର ଅଧିକାରୀମାନେ ୨ଟି ଗାଡ଼ିରେ ସେଠାରେ ପହଞ୍ଚିଥିଲେ। ତେବେ, କେହି କିଛି ଜାଣିବା ପୂର୍ବରୁ ଭିଜିଲାନ୍ସ ଅଧିକାରୀମାନେ ଅଜୟଙ୍କୁ ନିଜ ଗାଡ଼ିରେ ବସାଇ ନେଇଯାଇଥିଲେ। ପୂର୍ବରୁ ଶ୍ରୀ ସାହୁ ଯାଜପୁର ତହସିଲରେ ମୁଖ୍ୟ କିରାଣି ଭାବେ କାର୍ଯ୍ୟ କରିଥିଲେ। ଅଡିଟ ରିପୋର୍ଟ ଅନୁସାରେ, ତାଙ୍କ ସମୟରେ ୩ କୋଟି ୭୬ ଲକ୍ଷ ୬୧ ଟଙ୍କା ହେରଫେର ସାମ୍ନାକୁ ଆସିଥିଲା। ଏହି ଘଟଣାରେ ଜିଲ୍ଲା ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଦୃଷ୍ଟାନ୍ତମୂଳକ ହୋଇନଥିବାବେଳେ ସମାଜସେବୀ ସର୍ବେଶ୍ବର ବେହୁରା ୨୦୧୯ ରେ କେସ ନଂ ୩୭୧/୨୦୧୯ଜରିଆରେ ଲୋକାୟୁକ୍ତଙ୍କ ଦ୍ବାରସ୍ଥ ହୋଇଥିଲେ। ସମସ୍ତ ତଥ୍ୟକୁ ବିଚାର କରି ଲୋକାୟୁକ୍ତ ୨୦୨୦ ମାର୍ଚ୍ଚ ୨୦ ରେ ଏହି ଘଟଣାକୁ ନେଇ ଭିଜିଲାନ୍ସକୁ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଇଥିଲେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |