ପୁଲିସ ଆଉ ପ୍ରଶାସନ ନିରବଦ୍ରଷ୍ଟା
ରାଜକନିକା,୩୧ା୫:କରୋନା ମହାମାରୀକୁ ନେଇ ରାଜ୍ୟ ସରକାର ତାଲା ବନ୍ଦକୁ ବୃଦ୍ଧି କରି ଜୁନ୍ ମାସ ୧୭ ପର୍ଯ୍ୟନ୍ତ ବଳବତ୍ତର ରଖିଛନ୍ତି । ହେଲେ କେନ୍ଦ୍ରାପଡ଼ା ଜିଲାର ରାଜକନିକା ବ୍ଲକ୍ରେ ତାଲା ବନ୍ଦ ପ୍ରହସନ ପାଲଟିଥିବାର ଚିତ୍ର ଦେଖିବାକୁ ମିଳିଛି । ଲୋକମାନେ ବିନା ବାଧାରେ ଶହଶହ ଗାଡ଼ି ମଟର ସହିତ ଦୋକାନ ବଜାରରେ କିଣାବିକା କରିବା ସହିତ ଯାତାୟତ କରିବାର ଦୃଶ୍ୟ ବେଶ୍ ଆଶ୍ଚଯ୍ୟ ଚକିତ କରିଛି । ଅମାନିଆ ଲୋକମାନଙ୍କୁ ନାଁ ପୁଲିସର ଭୟ ନାଁ ସ୍ଥାନୀୟ ପ୍ରଶାସନକୁ । ବିନା ତୁଣ୍ଡିରେ ଦିନ ରାତି ଯାଆସ କରୁଛନ୍ତି ଲୋକେ । କିଣାବିକା ଚାଲିଛି । ରାସ୍ତା ବି ଜାମ୍ ହେଉଛି । ହେଲେ ଦେଖିବାକୁ କେହି ନାହିଁ । ଏପଟେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହା ସହିତ ପ୍ରତିଦିନ ଥଣ୍ଡା ଜ୍ୱରରେ ଶହଶହ ରୋଗୀଙ୍କ ସ୍ୱାସ୍ଥ୍ୟକେନ୍ଦ୍ରରେ ଭିଡ଼ ଦେଖିବାକୁ ମିଲୁଛି । କରୋନାରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବାର ଜଣାପଡ଼ିଥିବା ବେଳେ ଏବେବି ଅନେକ ମୃତ୍ୟୁ ସହିତ ସଂଗ୍ରାମ କରୁଛନ୍ତି । ହେଲେ ଲୋକେ ଏଭଳି ଘଟଣାକୁୂ ଜାଣି ଚେତୁନ ଥିବାର ମଧ୍ୟ ଜଣାପଡ଼ିଛି । ସୋମବାର କଣ୍ଟପଡ଼ା ହାଟ ପାଇଁ ରାସ୍ତା ଉପରେ ଏକ ପ୍ରକାର ଜନଗହଳି ଲାଗିରହିଥିଲା । ଶହଶହ ଲୋକମାନେ କିଣବିକା କରୁଥିବାର ଦେଖିବାକୁ ମିଳିଥିଲା । ହେଲେ ଏମାନଙ୍କୁ ବାରଣ କରିବାକୁ ଜଣେ ହେଲେ ପୁଲିସ ଅଧିକାରୀ ନଥିବା ବେଳେ ତୁଣ୍ଡି ପିନ୍ଧିନଥିବା ଲୋକମାନଙ୍କୁ ତହସିଲଦାରଙ୍କ ପକ୍ଷରୁ ତଣ୍ଡ ଆଦାୟ କରିବାକୁ ମଧ୍ୟ ଜଣେ ହେଲେ କର୍ମଚାରୀଙ୍କ ଦେଖା ମିଳିନଥିଲା । ଏହି କାରଣରୁ ଖୁଲମ ଖୁଲା ଲୋକମାନେ ବୁଲାବୁଲି କରି ଅସମ୍ଭବ ଭିଡ଼ ଲଗାଇଥିଲେ । ସେହିଭଳି ଓଳାଭର, କଣ୍ଡିଆହାଟ, ଆୟତନ, ଅଶୋକ ବଜାର, କାଟଣାବଣିଆଁ, ଜୟନଗର, ବରାଡ଼ିଆ, ଭାରିଗଦା, ବରୁଣାଡ଼ିଆରେ ସ୍ୱଭାିବକ ରହିଛି । ତାଲା ବନ୍ଦ ବୋଲି ଲୋକେ ଭୁଲିଯାଇଥିବାର ଜଣାପଡ଼ିଛି । ଏହି କାରଣକୁ ନେଇ ବୃଦ୍ଧିଜିବୀ ମହଲରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି । ତୁରନ୍ତ କେନ୍ଦ୍ରାପଡ଼ା ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |