ରାଜକନିକା ବ୍ଳକ୍ କଂଗ୍ରେସର ଚେତାବନୀ,ଗରିବଙ୍କୁ ମିଳୁନି ଗହମ ଚାଉଳ କାର୍ଯ୍ୟାନୁଷ୍ଠାନ ନହେଲେ ଆନ୍ଦୋଳନ

ରାଜକନିକା,୧୪ା୩ : ରାଜକନିକା ବ୍ଳକ୍‌ରେ ଗରିବଙ୍କୁ ମିଳୁଥିବା ମାଗଣା ଏବଂ ଏକ ଟଙ୍କା ମୂଲ୍ୟର ଗହମ, ଚାଉଳ ମାସ ମାସ ଧରି ହରିଲୁଟ୍ ହେଉଥିବାର ମଙ୍ଗଳବାର ରାଜକନିକା ବ୍ଳକ୍ କଂଗ୍ରେସ ଅଭିଯୋଗ କରିଛି । ଶତାଧିକ କଂଗ୍ରେସ କର୍ମୀମାନେ ରାଜକନିକା ବିଡ଼ିଓଙ୍କୁ ଘେରାଉ କରି ତୁରନ୍ତ ଗରିବ ଲୋକମାନଙ୍କୁ ଗହମ, ଚାଉଳ ଯୋଗାଇବାକୁ ଦାବି କରିଛନ୍ତି । ଏହା କରାନଗଲେ କଂଗ୍ରେସ ପକ୍ଷରୁ ଜନଆନ୍ଦୋଳନର ଡ଼ାକରା ଦେବାକୁ କଂଗ୍ରେସ ଚେତାବନୀ ଦେଇଛି । ରାଜକନିକା ବ୍ଲକ୍ କଂଗ୍ରେସ ସଭାପତି ମଙ୍ଗୁଳି ଚରଣ ବେହେରାଙ୍କ ନେତୃତ୍ୱରେ ଆଳିର ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା, କେନ୍ଦ୍ରାପଡ଼ା ଜିଲା କଂଗ୍ରେସ ନେତା ବାବୁରାମ ଜେନା, ବରିଷ୍ଠ ନେତା ଦୁର୍ଯ୍ୟୋଧନ ମହାନ୍ତି, ଶରତ ରାଉତ, ସର୍ମିଷ୍ଠା ଦାସ, ଅମିତ୍ ନାୟକ, ଗଙ୍ଗାଧର ବେହେରା, ଲକ୍ଷ୍ମୀପ୍ରିୟା ନାୟକ, ଗୌତମ ବାରିକ୍‌, ପ୍ରଫୁ୍‌ଲ୍ଳ କରଣ, ଶୁଭାଶିଷ ରାଉତରାୟ, ପ୍ରମୋଦ ପତି ଏବଂ କୃତିବାସ ପରିଡ଼ା ପ୍ରମୁଖ ବିଡ଼ିଓଙ୍କୁ ଘେରାଉ କରିଥିଲେ । କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛିଯେ, ରାଜକନିକା ବ୍ଲକ୍‌ରେ ଅନେକ ଗ୍ରାମ ପଞ୍ଚାୟତରେ ତିନିରୁ ୪ମାସ ହେବ ଗରିବ ଲୋକମାନଙ୍କୁ ରାସନ ସାମଗ୍ରୀ ବଣ୍ଟନ କରାଯାଉନାହିଁ । ଡ଼ିଲରମାନେ ଗରିବ ଲୋକମାନଙ୍କର ତିନି ଚାରି ମାସର ଚାଉଳକୁ ରହିଲୁଟ୍ କରିଚାଲିଛନ୍ତି । ବିଚରା ଗରିବ ଲୋକମାନେ ହିସାବ ରଖିନପାରି ଡ଼ିଲର ଦେଉଥିବା ଚାଉଳକୁ ବାଧ୍ୟ ହୋଇ ଆଣୁଛନ୍ତି । ହରିଲୁଟ୍ କରୁଥିବା ଡ଼ିଲର ମାନଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାର କୁହାଯାଉଛି । ଲକ୍ଷ ଲକ୍ଷ ଟଙ୍କାର ଗରିବ ଲୋକମାନଙ୍କ ଚାଉଳକୁ ବିକ୍ରି କରାଯାଉଛି । ଗତ କିଛି ମାସ ମଧ୍ୟରେ ଅନେକ ପଞ୍ଚାୟତରେ ଲୋକେ ଚାଉଳ ପାଇନଥିବାର ଅଭିଯୋଗ କରିଛନ୍ତି । ଏମିତିକି ଲୋକେ ୪ରୁ ୬ ମାସ ଚାଉଳ ପାଇନଥିବାର କହିଛନ୍ତି । ଏହା ସହିତ ପାରିନୂଆପଡ଼ା ଗ୍ରାମପଞ୍ଚାୟତରେ ଗରିବ ଲୋକମାନଙ୍କୁ ଆବାସ ଯୋଜନାରେ ଘର ମିଳୁନଥିବାର ଅଭିଯୋଗ ହୋଇଛି । ତିନି ତାଲା କୋଠାଘର ଥିବା ଲୋକମାନଙ୍କୁ ଆବାସ ଯୋଜନା ମିଳୁଥିବା ବେଳେ ଗରିବ ଲୋକମାନଙ୍କୁ ମଳୁନଥିବାର ଅଭିଯୋଗ ହୋଇଛି । ରାଜକନିକା ବିଡ଼ିଓ ରବିନାରାୟଣ ଆଚାର୍ଯ୍ୟ ଦଶ ଦିନ ମଧ୍ୟରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶୃତି ଦେଇଥିଲେ । ବିଡ଼ିଓ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ କଂଗ୍ରେସ ଦଳ ପକ୍ଷରୁ ଗରିବ ଲୋକମାନଙ୍କ ପାଇଁ ଆନ୍ଦୋଳନକକୁ ଓହ୍ଲାଇବ ବୋଲି ପୂର୍ବତନ ବିଧାୟକଶ୍ରୀ ଶର୍ମା କହିଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!