ଭୁବନେଶ୍ୱର ୦୭।୦୩: ରାଜଧାନୀ ସିଆରପିଏଫ ଛକରେ ହତ୍ୟା ମାମଲାରେ ୨ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଗିରଫ ଅଭିଯୁକ୍ତମାନେ ହେଲେ ସାଗର ପୃଷ୍ଟି, ସୁଧୀର ପୃଷ୍ଟି ବୋଲି ଜଣାପଡିଛି । ଗିରଫ ଅଭିଯୁକ୍ତ ସଂପର୍କରେ ଭାଇ । ସେହିପରି ଅଭିଯୁକ୍ତ ୨ ଭାଇଙ୍କୁ ମାଡ଼ ଓ PCR ଭଙ୍ଗାରୁଜା ଘଟଣାରେ ଆକ୍ସନ । ଘଟଣାରେ ୫ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଗଣମାଧ୍ୟମରେ ପ୍ରସାରିତ ଫୁଟେଜ ଆଧାରରେ ଏମାନଙ୍କୁ ଗିରଫ କରାଯାଇଛି । ଶନିବାର ପୂର୍ବାହ୍ନ ପ୍ରାୟ ସାଢ଼େ ୧୧ ଟା ବେଳେ ପାଣିଟାଙ୍କି ଛକରେ ସୁଧୀର ଓ ଟୁକୁନାଙ୍କ ମଧ୍ୟରେ ପୁଣି ଯୁକ୍ତିତର୍କ ଲାଗିଥିଲେ । କଥା ହାତାହାତି ପର୍ଯ୍ୟନ୍ତ ଯାଇଥିଲା । ଏହି ସମୟରେ ଟୁକୁନା ଅଣ୍ଟାରେ ଖୋସିଥବା କାତିରେ ସୁଧୀରକୁ ଆକ୍ରମଣ କରିଥିଲା । ସୁଧୀରକୁ ରକ୍ତାକ୍ତ ଅବସ୍ଥାରେ ଦେଖି ତାଙ୍କ ଘରେ ଚହଳ ପଡ଼ି ଯାଇଥିଲା । ବଡ଼ ଭାଇର ଏଭଳି ଅବସ୍ଥା ଦେଖି ସାଗର ପୁଲିସ୍କୁ ଫୋନ୍ କରିବା ସହ ଟୁକୁନାକୁ କାବୁ କରି ନିକ ପିକ୍ଅପ୍ ଗାଡି(ଓଡି୦୨ବିଏନ୍୧୨୩୧)ରେ ବସାଇ ଥାନାକୁ ନେଉଥିଲେ । ଥାନାକୁ ନେବା ସମୟରେ ୨ ଭାଇ ଭାବିଥିଲେ ଟୁକୁନାର ସହଯୋଗୀମାନେ କାଳେ ଆଇଡି ମାର୍କେଟ୍ ଛକରେ ସେମାନଙ୍କୁ ଅଟକାଇବେ ସେଥିପାଇଁ ଭିଆଇପି କଲୋନୀ ଓ ସିଆରପି ଛକ ଦେଇ ଗାଡ଼ି ଥାନାକୁ ନେଉଥିଲେ । ପିକ୍ଅପ୍ ଭ୍ୟାନ୍ ଚଳାଉଥିଲେ ଡ୍ରାଇଭର । ଡାଲାରେ ଠିଆ ହୋଇଥିଲେ ସୁଧୀର । ଡ୍ରାଇଭରଙ୍କ ବାମ ପାଖ ସିଟ୍ରେ ଟୁକୁନାକୁ ଧରି ବସିଥିଲେ ସାଗର । ନୂଆପଲ୍ଳୀ ଭିଆଇପି କଲୋନୀ ଛକ ନିକଟରେ ଟୁକୁନା ତା’ ଅଣ୍ଟାରୁ ଏକ ଛୁରି ବାହାର କରି ସାଗରକୁ ଆକ୍ରମଣ କରିଥିଲା । ଏହା ଦେଖି ଡ୍ରାଇଭର ଗାଡ଼ି ରାସ୍ତା କଡ଼ରେ ଥୋଇ ଚମ୍ପଟ ମାରିଥିଲା । ଗାଡ଼ି ଭିତରେ ଭାଇର ଚିତ୍କାର ଶୁଣି ପିକ୍ଅପ୍ ଡାଲାରେ ଠିଆ ହୋଇଥିବା ସୁଧୀର ତଳକୁ ଆସି ସାଗର ହାତରୁ ଛଡ଼ାଇଥିଲେ । ଉକ୍ତ ଛୁରିରେ ୨ ଭାଇ ଟୁକୁନାକୁ ଗାଡ଼ି ଭିତରେ ଗେବି ପକାଇଥିଲେ । ଫଳରେ ଟୁକୁନାଙ୍କ ପ୍ରାଣବାୟୁ ସେହି ଗାଡ଼ି ଭିତରେ ଉଡ଼ି ଯାଇଥିଲା । ଏହା ଦେଖି ବାଟରେ ଯାଉଥିବା ସାଧାରଣ ଲୋକେ ୨ ଭାଇଙ୍କୁ ନିସ୍ତୁକ ପିଟିଥିଲେ । ପୁଲିସ ଥାଇ ବି ବିଧା, ଗୋଇଠା କାଠ ଫାଳିଆ ଓ ପ୍ଲାଷ୍ଟିକ୍ ପାଇପ୍ରେ ପିଟି ପକାଇଥିଲେ । ଫଳରେ ସାଗରଙ୍କ ହାତ ଭାଙ୍ଗି ଯିବା ସହ ମୁଣ୍ଡ ଫାଟିଥିଲା । ୨ ଭାଇ ରକ୍ତାକ୍ତ ଅବସ୍ଥାରେ ସମସ୍ତଙ୍କୁ ନେହୁରା ହେଉଥିଲେ । କିଛି ସମୟପରେ ଘଟଣାସ୍ଥଳରେ ପହଞ୍ଚିଥିଲା ପିସିଆର ଭ୍ୟାନ୍ । ତା’ପରେ ୧୦୮ ଆମ୍ବୁଲାନ୍ସ । ପୁଲିସ୍ ପ୍ରଥମେ ପିକ୍ଅପ୍ ଭ୍ୟାନ୍ରେ ଥିବା ଟୁକୁନାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଲୋକଙ୍କ ମାଡ଼ରେ ଗୁରୁତର ୨ ଭାଇ ଏବେ କ୍ୟାପିଟାଲ ହସ୍ପିଟାଲ୍ରେ ଚିକିତ୍ସିତ ହେଉଛନ୍ତି । ତେବେ ଏନେଇ ନୂଆପଲ୍ଳୀ ଥାନା ପୁଲିସ୍ ୩ ଟି ମାମଲା ରୁଜୁ କରିଛି । ତେବେ ଘଟଣାର ୨୪ଘଣ୍ଟା ନପୂରୁଣୁର ଆକ୍ସନକୁ ଆସିଛି କମିଶନରେଟ ପୋଲିସ । ହତ୍ୟା ଘଟଣାରେ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ୨ ଭାଇ ସାଗର ପୃଷ୍ଟି, ସୁଧୀର ପୃଷ୍ଟିଙ୍କୁ ଗିରଫ କରିଛି । ସେପଟେ ୨ ଭାଇଙ୍କୁ ମାଡ଼ ଓ PCR ଭଙ୍ଗାରୁଜା ଘଟଣାରେ ୫ଜଣ ଗିରଫ କରିଛି ପୋଲିସ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |