ରାଜ୍ୟରେ ଆଗାମୀ ୨ ସପ୍ତାହ ତାଲାବନ୍ଦ ଆଂଶିକ କୋହଳ, ସଂକ୍ରମଣ କମିଥିବା ୧୭ ଜିଲାରେ ସକାଳ ୭ ରୁ ସନ୍ଧ୍ୟା ୫ ଯାଏଁ କୋହଳ

ଭୁବନେଶ୍ଵର, ୧୬/୦୬ : ରାଜ୍ୟ ସରକାର କୋଭିଡ୍ ଲକଡାଉନ୍ ସମ୍ବନ୍ଧୀୟ ନୂତନ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ରାଜ୍ୟର ସମସ୍ତ ଜିଲ୍ଲାରେ ୧୭ ଜୁନ୍ ସକାଳ ୫ଟାରୁ ୧ ଜୁଲାଇ ସକାଳ ୫ଟା ପର୍ଯ୍ୟନ୍ତ ଆଂଶିକ ଲକଡାଉନ୍ ଜାରି ରହିବ। ପୂର୍ବ ଭଳି ସପ୍ତାହନ୍ତ ସଟ୍‌ଡାଉନ୍ ସମସ୍ତ ଜିଲ୍ଲାରେ ଜାରି ରହିବ। ଲକଡାଉନ୍ ସମୟରେ କମ୍ ସଂକ୍ରମଣ ହାର ଥିବା ୧୭ଟି ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏବଂ ୧୩ଟି ଜିଲ୍ଲାରେ ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନ ଖୋଲା ରହିବ। ତେବେ ଜାଣନ୍ତୁ କଣ ଖୋଲା ରହିବ ଏବଂ କଣ ବନ୍ଦ ରହିବ।

ସକାଳ ୬ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଖୋଲୁଥିବା ୧୭ ଜିଲ୍ଲା ଗୁଡିକ ହେଉଛି ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା। ସକାଳ ୬ଟାରୁ ମଧ୍ୟାହ୍ନ ୧ଟା ପର୍ଯ୍ୟନ୍ତ ଖୋଲୁଥିବା ୧୩ ଜିଲ୍ଲା ଗୁଡିକ ହେଉଛି ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା।

ଟିକାକରଣ, ଟେଷ୍ଟିଂ ଏବଂ ସ୍ବାସ୍ଥ୍ୟସେବା ଭଳି କାର୍ଯ୍ୟ ପାଇଁ କଟକଣା ନାହିଁ। ଲକଡାଉନ୍ ସମୟରେ ଦୁଗ୍ଧ ବ୍ୟବସାୟୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମିଠା ଦୋକାନଗୁଡିକ ନିର୍ଦ୍ଧାରିତ ସମୟାନୁସାରେ ଖୋଲିବାକୁ ଅନୁମତି ଦିଆଯାଇଛି। ପୂର୍ବ ନିର୍ଦ୍ଦେଶାବଳୀ ଅନୁଯାୟୀ ବିବାହ, ବ୍ରତ ଏବଂ ସାମାଜିକ କାର୍ଯ୍ୟକ୍ରମ ପାଇଁ ରହିଥିବା କଟକଣାରେ କୌଣସି ପରିବର୍ତ୍ତନ ହୋଇନାହିଁ। ପଶ୍ଚିମ ତଥା ଦକ୍ଷିଣ ଓଡିଶା ଜିଲ୍ଲାରେ ଲକଡାଉନ୍ କୋହଳ ସମୟରେ ଉଠା ଦୋକାନଗୁଡିକ ବ୍ୟବସାୟ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଛି। ତେବେ ଦୋକାନରୁ କେବଳ ଖାଦ୍ୟ ପୁଡିଆ ପାର୍ସଲ ଭାବରେ ନେଇ ପାରିବେ। ନିର୍ମାଣ କାର୍ଯ୍ୟ, ଶିଳ୍ପ ତଥା ଅନ୍ୟାନ୍ୟ କ୍ଷେତ୍ର ପାଇଁ ପୂର୍ବଭଳି କଟକଣା କୋହଳ ରହିବ। କୋଭିଡ୍ ନିର୍ଦ୍ଦେଶାବଳୀ ଅନୁପାଳନ ସହ ଏହି ସବୁ କ୍ଷେତ୍ରରେ କାର୍ଯ୍ୟ ଜାରି ରହିବ।

ଏତଦ୍ ବ୍ୟତୀତ ଇଲେକ୍ଟ୍ରି ଦୋକାନ, ସ୍ଵାସ୍ଥ୍ୟ ସେବା ସମ୍ପର୍କିତ ଦୋକାନ, କୃଷି ଉପକରଣ ଦୋକାନ ଖୋଲିବ। ସକାଳ ୬ଟାରୁ ୯ଟା ଯାଏଁ ସାରା ରାଜ୍ୟରେ ମର୍ଣ୍ଣିଂ ୱାକ୍ ପାଇଁ ଅନୁମତି ରହିଛି। ମର୍ଣ୍ଣିଂ ୱାକ୍, ଜଗିଂ, ସାଇକେଲିଂ କରିପାରିବେ। ତେବେ ପାର୍କ ବନ୍ଦ ରହିବ। ନାଇଟ କର୍ଫ୍ୟୁ ଏବଂ ସପ୍ତାହନ୍ତ ସଟଡାଉନ ବଳବତ୍ତର ରହିବ। ବିବାହ, ବ୍ରତଘର ପାଇଁ କଟକଣା ବଳବତ୍ତର ରହିବ। ସିନେମା ହଲ୍, ସେଲୁନ୍ ସ୍ପା ଆଦି ସାରା ରାଜ୍ୟରେ ବନ୍ଦ ରହିବ।

ସେହିପରି ସାରା ରାଜ୍ୟରେ ମନ୍ଦିର ବନ୍ଦ ରହିବ, କେବଳ ନୀତିକାନ୍ତି ଚାଲିବ। ଯାତ୍ରା ଏବଂ ଆଉଟ୍ ଡୋର୍ ସୁଟିଂ ବନ୍ଦ ରହିବ। ଘରୋଇ ଓ ସରକାରୀ ଅଫିସ୍ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବେ। ଝାଡଖଣ୍ଡ, ଛତିଶଗଡ, ସୀମାରେ ଥିବା ସବୁ ଚେକପୋଷ୍ଟ କାଲିଠାରୁ ଖୋଲା ରହିବ। ଆନ୍ଧ୍ର, ପଶ୍ଚିମବଙ୍ଗ ସୀମାରେ ଥିବା ବର୍ଡର ଚେକ୍ ପୋଷ୍ଟ ଚାଲୁ ରହିବ। ସାଇକେଲ୍, ଗାଡି ବିକ୍ରି ଓ ମରାମତି ଦୋକାନ ଖୋଲା ରହିବ। ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ବସ୍ ଚଳାଚଳ ବନ୍ଦ ରହିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: