ଭୁବନେଶ୍ୱର : ଦକ୍ଷିଣ ଓଡ଼ିଶା ଉପକୂଳରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ ଘନୀଭୂତ ହେବା ସହିତ ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗିରହିଛି। ଲଘୁଚାପ ଓ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗିରହିବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି।ଲଘୁଚାପ ପ୍ରଭାବରେ ଗଞ୍ଜାମ, ବଲାଙ୍ଗୀର, ସୋନପୁର, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ୫ଟି ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଏଥିସହିତ କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ଅନୁଗୋଳ, କଟକ, ପୁରୀ, ନୟାଗଡ଼, ଢ଼େଙ୍କାନାଳ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ସମ୍ବଲପୁର ଆଦି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆସନ୍ତା ୩ତାରିଖରେ କେନ୍ଦୁଝର, ଅନୁଗୋଳ, ବୌଦ୍ଧ, ସମ୍ବଲପୁର, ସୋନପୁର, ଢ଼େଙ୍କାନାଳ ଓ କଟକ ଆଦି ୭ଟି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହାଛଡ଼ା କଳାହାଣ୍ଡି, କନ୍ଧମାଳ, ବଲାଙ୍ଗୀର, ଯାଜପୁର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ନୟାଗଡ଼, ଖୋର୍ଦ୍ଧା ଓ ପୁରୀ ଆଦି ୧୦ଟି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଏସବୁ ଜିଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୪ରୁ ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ଲାଗିରହିବ ବୋଲି ସୂଚନା ମିଳିଛି। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଲଘୁଚାପ ପ୍ରଭାବରେ ଉପକୂଳ ଅଞ୍ଚଳରେ ଘଣ୍ଟାକୁ ୪୦ରୁ ୫୦କିମି ବେଗରେ ପବନ ବହିବାର ସମ୍ଭାବନା ଥିବାରୁ ସମୁଦ୍ର ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀ ଆସନ୍ତା ୫ତାରିଖ ପର୍ଯ୍ୟନ୍ତ ସମୁଦ୍ରକୁ ନଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ କରିଦିଆଯାଇଛି। ଲଘୁଚାପଜନିତ ବର୍ଷା ଯୋଗୁଁ ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହେବାର ସମ୍ଭାବନା ଥିବାରୁ ପରିସ୍ଥିତି ଉପରେ ସଜାଗ ଦୃଷ୍ଟି ରଖିବା ନିମନ୍ତେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ସବୁ ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |