ରାଜ୍ୟ କ୍ୟାବିନେଟରେ ୩୩ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର ,୨୨\୯: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଏକାଧିକ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ଆଜିର କ୍ୟାବିନେଟ ବୈଠକରେ ୩୩ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ବନ୍ୟା ନିୟନ୍ତ୍ରଣ ପାଇଁ ୨ ଶହ କୋଟି ବ୍ୟୟରେ ବୈତରଣୀ ନଦୀରେ ୨ଟି ବ୍ୟାରେଜ ନିର୍ମାଣ କରାଯିବା ନେଇ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଏହି ବ୍ୟାରେଜ ନିର୍ମାଣ କରାଯିବା ଫଳରେ ଭଦ୍ରକ ଜିଲ୍ଲାର ଧାମନଗର ଓ ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକର ଜନସାଧାରଣ ସୁଫଳ ପାଇବେ ।ଏଥିସହିତ ବଲାଙ୍ଗିର ଲୋୟର ସୁକତେଲ ପ୍ରକଳ୍ପ ଭୂତଳ ଜଳଯୋଗାଣ ପ୍ରକଳ୍ପ ଉପରେ କ୍ୟାବିନେଟ ମୋହର ବାଜିଛି । ଏହି ପ୍ରକଳ୍ପ ଦ୍ୱାରା ୧୩ ହଜାର ହେକ୍ଟର ଜମିକୁ ଜଳଯୋଗାଣ କରାଯିବା ସହ ଏଥିପାଇଁ ୬୩୪ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ, ଭୁବନେଶ୍ୱର ଏବଂ କୁଲୁଣ୍ଡି (ସମ୍ବଲପୁର)ରେ କ୍ରୀଡ଼ା ଛାତ୍ରବାସ ଶିକ୍ଷାର୍ଥୀଙ୍କ ପାଇଁ ନାମଲେଖାରେ ସଂରକ୍ଷଣ ପାଇଁ ରାଜ୍ୟ କ୍ୟାବିନେଟରେ ଅନୁମୋଦନ ମିଳିଛି ।ପର୍ଯ୍ୟଟନ କ୍ଷେତ୍ରକୁ ଉନ୍ନତମାନର କରିବା ପାଇଁ ‘ଓଡ଼ିଶା ପର୍ଯ୍ୟଟନ ସେବା’ ବର୍ଗକୁ ପୁନର୍ଗଠନ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି । ଓଡ଼ିଶା ପ୍ରଶାସନିକ ସେବା ବର୍ଗର ଗୋଟିଏ ଅଂଶ ଭାବେ ପରିଗଣିତ ହେଉଥିବା ଓଡ଼ିଶା ସମବାୟ ସେବାବର୍ଗର ପଦବୀ ସଂଖ୍ୟା ୧୨୨ରୁ ୨୦୩କୁ ବୃଦ୍ଧି କରାଯିବ । ଓଡ଼ିଶା ଅଧସ୍ତନ ସମବାୟ ସେବା ବର୍ଗର ପୁନର୍ଗଠନ କରାଯିବ । ଓଡ଼ିଶା ସମବାୟ ସମୀକ୍ଷକ ବର୍ଗ ନାମରେ ଏକ ନୂତନ ବର୍ଗର ସଂଗଠନ ଓ ପୁନର୍ଗଠନ କରାଯିବ ।ଓଡ଼ିଶା ଅବକାରୀ କ୍ୟାଡରର ପୁନର୍ଗଠନ ହେବ । ଓଡ଼ିଶା ବେସାମରିକ ସେବା (ସଂଯୁକ୍ତ ପ୍ରତିଯୋଗିତାମୂଳକ ମୁକରିର୍ ପରୀକ୍ଷା) ନିୟମାବଳୀ, ୧୯୯୧ର ସଂଶୋଧନ ହେବ । ଦୁଇଜଣ ସାମ୍ବାଦିକଙ୍କୁ ଓଡ଼ିଶା ଲୋକସେବା ଆୟୋଗର ସଦସ୍ୟ ଭାବେ ନିଯୁକ୍ତି ଦିଆଯିବ । ଓଡ଼ିଶା ବେସାମରିକ ସେବା (ପଦୋନ୍ନତି ପାଇଁ ମାନଦଣ୍ଡ) ନିୟମାବଳୀ, ୧୯୯୨ ଓ ଓଡ଼ିଶା ଜିଲ୍ଲା ଆରକ୍ଷୀ ଅମଲା ସେବା ନିୟମାବଳୀ, ୨୦୨୧, ଓଏସଜେଏସ ଓ ଓଜେଏସ ନିୟମାବଳୀ, ୨୦୦୭ରେ ସଂଶୋଧନ ହେବ । କୋଭିଡ-୧୯ ନିୟନ୍ତ୍ରଣ ପାଇଁ ଗଠିତ ମନ୍ତ୍ରୀସ୍ତରୀୟ କମିଟିକୁ ମଞ୍ଜୁରୀ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: