ରାଜ୍ୟ ମହିଳା ଆୟୋଗଙ୍କ ପକ୍ଷରୁ କେନ୍ଦ୍ରାପଡାରେ ଆଇନ ସଚେତନତା କାର୍ଯ୍ୟକ୍ରମ

କେନ୍ଦ୍ରାପଡ଼ା,୧ା୧୦ : ଓଡିଶା ରାଜ୍ୟ ମହିଳା ଆୟୋଗଙ୍କ ଆନୁକୁଲ୍ୟରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସମାଜ କଲ୍ୟାଣ ବିଭାଗର ମିଳିତ ସହଯୋଗରେ କେନ୍ଦ୍ରାପଡାରେ ମହିଳାଙ୍କ ଉପରେ ହେଉଥିବା ନିର୍ଯ୍ୟାତନାକୁ ପ୍ରତିରୋଧ କରିବା ପାଇଁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ କେନ୍ଦ୍ରାପଡା ପୈାରପାଳିକା ଟାଉନହଲ ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ଡଃ. ମିନତୀ ବେହେରା ଯୋଗଦେଇ ମହିଳାଙ୍କ ଉପରେ ହେଉଥିବା ଶାରୀରିକ ଓ ମାନସିକ ନିର୍ଯ୍ୟାତନାକୁ ପ୍ରତିରୋଧ ଏବଂ ତାହାର ଆପୋଷ ସମାଧାନ ଉପରେ ଆଇନଗତ ଦିଗ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ବିଧାନର ୧୪ଧାରା ଅନୁଯାଇ ମହିଳାମାନଙ୍କ ସାମାଜିକ,ଅର୍ଥନୈତିକ ସ୍ଥିତିକୁ ସୁଦୃଢ କରିବା ସହ ସେମାନଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନାକୁ ପ୍ରତିହତ କରିବା ଓ ଅଧିକାରକୁ ସାବ୍ୟସ୍ତ କରିବା ହେଉଛି ରାଜ୍ୟ ମହିଳା ଆୟୋଗଙ୍କ ଗୁରୁ ଦାୟିତ୍ୱ ବୋଲି ଡଃ. ବେହେରା ପ୍ରକାଶ କରିଥିଲେ । ଆପୋଷ ସମାଧାନ ମାଧ୍ୟମରେ ୮୦ହଜାର ମାମଲା ସମାଧାନ ହୋଇପାରିଛି ବୋଲି ସେ ସୂଚନା ଦେଇଥିଲେ । ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହିଳାମାନଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନାକୁ ପ୍ରତିରୋଧ କରିବା ଓ ମାତୃଶକ୍ତିର ଅଦ୍ଭୁଦୟ ପାଇଁ ରାଜ୍ୟ ମହିଳା ଆୟୋଗଙ୍କ କାର୍ଯ୍ୟାବଳିକୁ ପ୍ରଶଂସା କରିଥିଲେ । ଜିଲ୍ଲାପାଳ ଅମ୍ରିତ ଋତୁରାଜ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନାରୀ ଜାତିର ଯେଉଁଠି ପୂଜା ହୁଏ ସେ ସମାଜ ସେତେ ଉନ୍ନତ ବୋଲି ମତବ୍ୟକ୍ତ କରିଥିଲେ । ମହାମାରୀ କରୋନା ସମୟରେ ଆଶାକର୍ମି, ଅଙ୍ଗନୱାଡି ଓ ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନଙ୍କ ଭୂମିକାକୁ ଭୁରିୟସୀ ପ୍ରଶଂସା କରିବା ସହ ନିଜ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ମହିଳାମାନଙ୍କୁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡକର ଯୋଗଦେଇ ଶିଶୁ ଓ ମହିଳାମାନଙ୍କ ପ୍ରତି ହେଉଥିବା ନିର୍ଯ୍ୟାତନାକୁ ପ୍ରତିରୋଧ ପାଇଁ ପ୍ରତ୍ୟେକ ଥାନାରେ ମହିଳା ଓ ଶିଶୁ ଡେସ୍କ ଖୋଲିଛି । ମହିଳାମାନଙ୍କ ପ୍ରତି ହେଉଥିବା ପାରିବାରିକ ହିଂସା ଓ ଅନ୍ୟାୟୋଚିତ ବ୍ୟବହାରକୁ ପ୍ରତିହତ କରିବା ସହ ମହିଳାମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ନିମନ୍ତେ ପୋଲିସ ଅଧିକାରୀମାନଙ୍କୁ ପ୍ରଶିକ୍ଷଣ ସମୟରେ ପରାମର୍ଶ ଦିଆଯାଇଥାଏ ବୋଲି ଆରକ୍ଷୀ ଅଧିକ୍ଷକ ମତବ୍ୟକ୍ତ କରିଥିଲେ । ଉତ୍ସର୍ଗୀକୃତ ସେବା ନିମନ୍ତେ ଆଶାକର୍ମୀ, ଅଙ୍ଗନୱାଡିକର୍ମୀ ଓ ଅନ୍ୟାନ୍ୟ ବର୍ଗର ମନୋନିତ ୧୦ଜଣଙ୍କୁ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷା,ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥିମାନେ ପୁରସ୍କାର ଓ ମାନପତ୍ର ଓ ଉପଢୈାକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଚିନ୍ମୟ ରଥଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ଆୟୋଗଙ୍କ ଅତିରିକ୍ତ ଆରକ୍ଷୀ ଅଧିକ୍ଷିକା ବିନୟା ବରୁଆ, ଏବଂ ଦୁଇ ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି ଓ ଜଲିନା ପ୍ରିୟଦର୍ଶିନୀ ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୯ଟି ବ୍ଲକର ସିଡିପିଓ, ସୁପରଭାଇଜର, ଆଶାକର୍ମୀ, ଅଙ୍ଗନୱାଡିକର୍ମୀ, ପଞ୍ଚାୟତ ପ୍ରତିନିଧି, ଆଇନଜିବି ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ । ଦ୍ୱିତୀୟ ଅଧିବେସନରେ ମହିଳା ଆୟୋଗର ଅଧ୍ୟକ୍ଷା, ଦୁଇ ସଦସ୍ୟା, ପୂର୍ବତନ ପିପି ଭୀମସେନ ଭୂୟାଁ ଓ ଲଳିତାଞ୍ଜଳି ଦାସ ପ୍ରମୁଖ ଉପସ୍ଥିତ ଆଶାକର୍ମୀ, ଅଙ୍ଗନୱାଡିକର୍ମୀ ଓ ପଞ୍ଚାୟତ ମହିଳା ପ୍ରତିନିଧିମାନଙ୍କୁ ବିଭିନ୍ନ ଆଇନ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଶେଷରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗର ମହିଳା ସୁରକ୍ଷା ଅଧିକାରିଣୀ ସଂଯୁକ୍ତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲା ସମାଜ କଲ୍ୟାଣ ବିଭାଗର ମମତା ସଂଯୋଜକ ମନୋରଞ୍ଜନ ଦାସ ଓ ବରିଷ୍ଠ ରାଜସ୍ୱ ସହାୟକ ମନୋଜ କୁମାର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!
%d bloggers like this: