ରାଜକନିକା,୮/୫ :ରୋଜଗାର କରିବାର ଅନେକ ମାଧ୍ୟମ ରହିଛି । କେବଳ ଚାକିରି କରି ଯେ ପେଟ ପୋଷି ହେବ ତା’ ନୁହେଁ । ବର୍ତ୍ତମାନ ସମୟରେ ଚାଷ ତଥା ପଶୁପାଳନରେ ଅନେକ ସୁଯୋଗ ରହିଛି । ତେବେ ଏଥିପାଇଁ ଆବଶ୍ୟକ ଦୃଢ଼ ମନୋବଳ ଓ କଠିନ ପରିଶ୍ରମ । ଜଣେ ଯୁବ ଚାଷୀ ନିରାକାର ମାହୁନ୍ତ ଏପରି କରି ଦେଖାଇଛନ୍ତି । ଦୀର୍ଘ ତିନି ବର୍ଷ ହେବ ଛେଳିଚାଷ କରି ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ସହ ୭/୮ଜଣ ଲୋକଙ୍କୁ ନିଜଫାର୍ମରେ ନିଯୁକ୍ତି ଦେଇଛନ୍ତି । କେବଳ ଯେ ନିଜେ ଛେଳି ଚାଷ କରି ଲାଭବାନ ହେଉଛନ୍ତି ତାହା ନୁହେଁ ବରଂ ଛେଳି ଚାଷ କରିବା ପାଇଁ ଅନ୍ୟ ଚାଷୀ ମାନଙ୍କୁ ଉତ୍ସାହିତ ମଧ୍ୟ କରୁଛନ୍ତି । ସେ ବର୍ତ୍ତମାନ ନିଜ ଅଂଚଳରେ ଆବଶ୍ୟକ ହେଉଥିବା ମାଂସର ଚାହିଦା ମେଣ୍ଟାଇବା ସହ ଛେଳିଚାଷୀ ଭାବେ ବେଶ ସଫଳତା ଅର୍ଜନ କରିଛନ୍ତି ।କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ କାଟଣା ଗାଁର ନିରାକାରମାହୁନ୍ତ । ସେ +୩ଯାଏଁ ପାଠ ପଢ଼ିଛନ୍ତି । ପାଠ ପଠା ସରିବା ପରେ ଏକ କନଷ୍ଟ୍ରକସନ କମ୍ପାନୀରେ କାମ ଆରମ୍ଭ କରିଥିଲେ । କିଛି ଦିନ କାମ କରିବା ପରେ କରୋନା ଯୋଗୁ କାମ ଠପ ହୋଇଯାଇଥିଲା । ଆଉ ତାଙ୍କୁ ଶେଷରେ କାମ ଛାଡିବାକୁ ପଡିଲା । ତାପରେ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ରାଜସ୍ଥାନର ଶିରୋହି ପ୍ରଜାତିର ଛେଳି ଛୁଆ ଆଣି ନିଜର ତିନି ଏକର ବିଶିଷ୍ଟ ଜାଗାରେ ଆରମ୍ଭ କଲେ ଛେଳିଚାଷ । ଆଉ ବର୍ଷେ ଚାଷ କରିବା ପରେ ତାଙ୍କୁ ମିଳିଥିଲା ସଫଳତା । ଏବେ ତାଙ୍କ ଫର୍ମରେ ୪୦୦ରୁ ଅଧିକ ଛେଳି ରହିଥିବା ବେଳେ ୨୦୦ରୁ ଅଧିକ ଛେଳି ଛୁଆ ରହିଛନ୍ତି । ଏହି ଛେଳି ଚାଷ କରିବା ଦ୍ୱାରା ବାର୍ଷିକ ୫ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ରୋଜଗାର ହେଉଥିବା ନିରାକାର କହନ୍ତି ।ତେବେ ଏଥିପାଇଁ ଦିନରାତି ଏକ କରିଦେଇଛନ୍ତି ନିରାକାର । ପ୍ରତିଦିନ ରାତି ପାହିଲେ ନିରାକାର ଧାଇଁ ଆସିଥାନ୍ତି ନିଜର ଫାର୍ମହାଉସକୁ । ଆଉ ନିଜେ ଛେଳିଙ୍କ ଖାଇବା ପିଇବା ଠାରୁ ଆରମ୍ଭ କରି ଚିକିତ୍ସା ଯାଏଁ ସବୁ କିଛି ବୁଝିଥାନ୍ତି । ତେବେ ଏଥିପାଇଁ ତାଙ୍କ ପୁଅ ପାଠପଢ଼ା ସାରିବା ପରେ ବଳକା ସମୟରେ ବାପାଙ୍କୁ ସାହାଯ୍ୟ କରିଥାନ୍ତି। ଏଥିସହ ନିରାକାର ଛେଳିମାନଙ୍କ ରକ୍ଷଣାବେକ୍ଷଣ ପାଇଁ ୭/୮ଜଣ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି । ନିରାକାର ଛେଳି ଚାଷକରିବା ସହ ଛେଳି ପ୍ରଜନନ କରି ଚାଷକରିବା ପାଇଁ ଅନ୍ୟ ମାନଙ୍କୁ ଉତ୍ସାହିତ କରିଥାନ୍ତି । ନିରାକାର ଆଧୁନିକ ପ୍ରଣାଳୀରେ ଛେଳିଚାଷ କରି ବେଶ ଲାଭବାନ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |