ଲଟାବୁଦାରେ ଜଙ୍ଗଲ ହେଲାଣି ମାଥିଲି ସରକାରୀ ପ୍ରାଥମିକ ବିଦ୍ୟାଳୟ, ପଡୁନି ନଜର

ମାଲକାନଗିରି,୧୨/୧୦( ଶ୍ରୀନିବାସ ପଣ୍ଡା):ଛାତ୍ରଛାତ୍ରୀ ବିଦ୍ୟାଳୟ ରେ ପାଦ ଦେଉ ଦେଉ ପରିଷ୍କାର ପରିଛନ୍ନତା ରହିବା ପାଇଁ ଶିକ୍ଷକଶିକ୍ଷୟତ୍ରୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେଇଥାଆନ୍ତି । ଯେଉଁମାନେ ପରିଷ୍କାର ରହିବା ପାଇଁ ଅନ୍ୟକୁ ଶିକ୍ଷା ଦିଅନ୍ତି ସେମାନଙ୍କ ମନରେ ଯଦି ପରିବେଶକୁ ଅପରିଷ୍କାର ରଖିବାର ମାନସିକତା ଭରି ରହିଥାଏ ତେବେ ସେମାନଙ୍କୁ କଣ ବା କୁହାଯାଇପାରେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି୧୯୧୮ ମସିହାରେ ସ୍ଥାପିତ ହୋଇଥିବା ମାଥିଲି ସଦର ପ୍ରାଥମିକ ବିଦ୍ୟାଳୟରେ । ବିଦ୍ୟାଳୟର ଯେଉଁଆଡେ ଦେଖିବେ ଲଟାବୁଦାରେ ପରିପୂର୍ଣ୍ଣ | ସମସ୍ତେ କହିବେ ମହାମାରୀ କରୋନା ପାଇଁ ବିଦ୍ୟାଳୟ ବନ୍ଦ ଥିବାରୁ ଲଟାବୁଦ। ରହିବା ସ୍ୱାଭାବିକ କିନ୍ତୁ ବିଦ୍ୟାଳୟର କୌଣସି ଶିକ୍ଷକଶିକ୍ଷୟତ୍ରୀଙ୍କ ତ ଦରମା ବନ୍ଦ ହୋଇନି । କରୋନା ମହାମାରୀ ସମୟରେ କାଗଜ କଲମରେ ସେମାନେ ସରକାରୀ କାର୍ଯ୍ୟ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା ଦରମା ବି ନେଉଛନ୍ତି । କିନ୍ତୁ ଦିନେ ବି ମୁହଁ ମୋଡ଼ି ଦେଖୁନାହାନ୍ତି ବିଦ୍ୟାଳୟଟି କିଭଳି ଅଛି । କାଳେ କିଏ କଣ କହିବ ଅନିଚ୍ଛା ସତ୍ୱେ ମହାପୁରୁଷ ମାନଙ୍କ ଜୟନ୍ତୀ, ଅଗଷ୍ଟ ପନ୍ଦର ଦିନ ଗୁଡିକରେ ଶିକ୍ଷକଶିକ୍ଷୟତ୍ରୀମାନେ ଫୁଲମାଲଟିଏ ଧରି ଆସି ଲଟାବୁଦା ଭିତରେ ଦଣ୍ଡାୟମାନ ହୋଇଥିବା ମହାପୁରୁଷମାନଙ୍କ ପ୍ରତିମୁର୍ତିମାନଙ୍କ ବେକରେ ପକାଇ ଦିଅନ୍ତି । ବିଦ୍ୟାଳୟର ବିଭିନ୍ନ ଶ୍ରେଣୀକୁ ଯିବା ପାଇଁ ଚଳିତ ବର୍ଷ ସିମେଣ୍ଟ ନିର୍ମିତ ରଙ୍ଗବେରଙ୍ଗର ଇଟାରେ ତିଆରି ସୁନ୍ଦର ରାସ୍ତା ମାଟି କାଦୁଅରେ ପୋତି ହୋଇଗଲାଣି । କିଛି ଅର୍ଥ ବିଦ୍ୟାଳୟ ଫଣ୍ଡରୁ ଖର୍ଛ କରାଯାଇଥିଲେ ରାସ୍ତାଟି ମାଟିକାଦୁଅରୁ ଦୁରେଇ ରହିଥାନ୍ତା । ପୋତି ହୋଇପଡୁଥିବା ରାସ୍ତା ଓ ସଫାସୁତୁରା କରିବା ସମ୍ପର୍କରେ ପ୍ରଧାନଶିକ୍ଷୟତ୍ରୀକୁ କୁହାଗଲେ ମଧ୍ୟ କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହେଉଛି । ଦିନେ ଏହି ବିଦ୍ୟାଳୟଟି ମାଥିଲି ବ୍ଲକରେ ନାମ ରଖିଥିଲା । ଶହ ଶହ ସଂଖ୍ୟାରେ ପ୍ରତ୍ୟେକ ବର୍ଗର ପିଲା ଏହି ବିଦ୍ୟାଳୟରେ ପାଠ ପଡୁଥିଲେ । ବର୍ତମାନ ଏହି ବିଦ୍ୟାଳୟର ନାମ ଶୁଣିଲେ ଅବିଭାବକ ନିଜ ପିଲାଙ୍କୁ ଆଡ଼ମିଶନ କରିବାକୁ ପଛଘୁଞ୍ଚା ଦେଉଛନ୍ତି । ମାଥିଲି ସଦର ପ୍ରାଥମିକ ବିଦ୍ୟାଳୟ ମାତ୍ର ଶହେ ଜଣ ଗରିବ ଶ୍ରେଣୀର ସାଧାରଣ ବର୍ଗ ଓ ଆଦିବାସୀ ପିଲା ପାଠ ପଡୁଛନ୍ତି ।  ତିନି ଜଣ ଶିକ୍ଷୟତ୍ରୀ ଓ ଦୁଇ ଜଣ ଶିକ୍ଷକ ଏଠାରେ ରହୁଛନ୍ତି । ଏଠାକାର ପିଲାମାନଙ୍କ ପାଠପଢା କହିଲେ ନ ସରେ । ନିଜ ନାମ, ଗ୍ରାମ ,ଜିଲ୍ଲା ଓ ରାଜ୍ୟର ନାମ ମଧ୍ୟ ଲେଖିପାରୁ ନାହାନ୍ତି । ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କରୋନାକୁ ଆଳ ଦେଖାଇ ବିଦ୍ୟାଳୟକୁ ଅଣଦେଖା କରୁଥିବା ଜଣାପଡୁଛି। ବିଭିନ୍ନ ବିଦ୍ୟାଳୟଗୁଡିକ ଅଗଷ୍ଟ ପନ୍ଦର, ମହାପୁରୁଷଙ୍କ ଜୟନ୍ତୀରେ ସଫାସୁତୁରା କରାଯାଉଥିବା ବେଳେ ଏହି ବିଦ୍ୟାଳୟରେ କେବେ ବି ସଫା ସୁତୁରା କରାଯାଇନାହିଁ । ମାଥିଲି ବ୍ଲକରେ ଅନେକ ବିଦ୍ୟାଳୟ ଅଛି ଯେଉଁଠି ବିଭିନ୍ନ ପ୍ରକାର ଗଛ, ସୁନ୍ଦର ଫୁଲ ଗଛର ବଗିଚା ରହିଛି। ଏହି ବିଦ୍ୟାଳୟରେ ବି ସୁନ୍ଦର ପରିବେଶ କରିବାର ସୁଯୋଗ ଅଛି କିନ୍ତୁ ପ୍ରଧାନ ଶିକ୍ଷୟତ୍ରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ କିଛି ହୋଇପାରୁ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ଏହି ଭଳି ବିଦ୍ୟାଳୟରେ ପ୍ରଧାନଶିକ୍ଷୟତ୍ରୀ ନ ରହି ପ୍ରଧାନଶିକ୍ଷକ ରହିବା ପାଇଁ ଦାବି ହେଉଛି । ଯଦି ପରିବର୍ତନ କରା ନ ଯାଏ ଦିନ ଆସିବ ଏହି ବିଦ୍ୟାଳୟଟି ରସାତଳକୁ ଚାଲିଯିବ ।  ବିଦ୍ୟାଳୟଟି ମାଥିଲିର ମଧ୍ୟ ଭାଗରେ ୩୨୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଓ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟଠାରୁ ଅନତି ଦୂରରେ ରହିଥିଲେ ମଧ୍ୟ ପିଲାଙ୍କ ପାଠପଢା କିଭଳି ହେଉଛି କେଉଁ ଅଧିକାରୀଙ୍କ ବି ତିଳେ ମାତ୍ର ନଜର ନଥିବା ପରି ଜଣ ପଡୁଛି ।   ମାଥିଲି ସଦର ବିଦ୍ୟାଳୟର ଅବସ୍ଥା ଏଭଳି ତାହାହେଲେ ତୁଳସୀ, ଗୁଗାପଦର, କେରମେଟି, କେରଙ୍ଗଜବା ଭଳି ଅନେକ ବିଦ୍ୟାଳୟ ଅଛି ସେଗୁଡିକର ଅବସ୍ଥା କଣ ହୋଇ ନ ଥିବ ଏଥିରୁ ସ୍ପଷ୍ଠ ଜଣାପଡୁଛି । କରୋନା ମହାମାରୀ ପରେ ବିଦ୍ୟାଳୟ ଖୋଲିଲେ ପ୍ରଶାସନ କଣ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକିରହିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!