ସୁନ୍ଦରଗଡ଼ , ୧୨/୧୦ ( ଫିରୋଜ କୁମାର ବେହେରା) :ସୋମବାର ଦିନ ଲେଫ୍ରିପଡ଼ା ବ୍ଲକର ଗୁଣ୍ଡିଆଡିହିରେ ମା’ ଗୃହକୁ ସୁନ୍ଦରଗଡ଼ ଜିଲ୍ଲାପାଳ ଶ୍ରୀଯୁକ୍ତ ନିଖିଲ ପବନ କଲ୍ୟାଣ ଉଦଘାଟନ କରିଛନ୍ତି। ଲେଫ୍ରିପଡ଼ା ଓ ବାଲିଶଙ୍କରା ବ୍ଲକର ୧୧ଟି ସବସେଣ୍ଟର ଜରିଆରେ ଆଖପାଖ ୫୧ଟି ଗାଁର ଗର୍ଭବତୀ ମା’ଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଲାଗି ଲେଫ୍ରିପଡ଼ା ଦୁର୍ଗମ ଅଞ୍ଚଳରେ ଏହି ମା’ ଗୃହ ସେବା ପ୍ରଦାନ କରିବ। ମା’ ଗୃହ ଉଦଘାଟନ ଅବସରରେ ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର, ଡିପିଏମ ଶ୍ରୀଯୁକ୍ତ ଦୀପକ ମହାନ୍ତି, ଡିଏସଡବ୍ଲ୍ୟୁଓ ଶ୍ରୀମତୀ ପ୍ରତିଭା ଦାସ, ଲେଫ୍ରିପଡ଼ା ବ୍ଲକ ସିଡିପିଓ ଶ୍ରୀମତୀ କିରଣବାଳା ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ। ଗୁଣ୍ଡିଆଡିହି ମା’ ଗୃହ ଉଦଘାଟନ କରିବା ପରେ ଜିଲ୍ଲାପାଳ ଅନ୍ତେବାସୀଙ୍କ ସହ ବିଭିନ୍ନ ସେବା ସମ୍ପର୍କରେ ପଚାରି ବୁଝିଥିଲେ। ବର୍ତ୍ତମାନ ଏହି ମା’ ଗୃହରେ ୦୮ ଜଣ ଗର୍ଭବତୀ ମହିଳା ଅଛନ୍ତି। ସ୍ୱେଚ୍ଛାସେବୀ ସଙ୍ଗଠନ ସେବକ ଏହି ମା’ ଗୃହର ପରିଚାଳନା ଦାୟିତ୍ୱ ନେଇଛି। ଏହାଛଡ଼ା ଜିଲ୍ଲାପାଳ ମହାଦେବପଡ଼ାସ୍ଥିତ ମା’ ଗୃହ ପରିଦର୍ଶନରେ ଯାଇ ସେଠାକାର ଅନ୍ତେବାସୀ ଏବଂ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ସୁନ୍ଦରଗଡ଼ ଜିଲ୍ଲାରେ ମାତୃ ଓ ଶିଶୁ ମୃତ୍ୟୁହାର ନିୟନ୍ତ୍ରଣ କରିବା ଲାଗି ବିଭିନ୍ନ ଦୁର୍ଗମ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମା’ ଗୃହ ପ୍ରତିଷ୍ଠା କରାଯାଉଛି। ବର୍ତ୍ତମାନ ଜିଲ୍ଲାରେ ୯ଟି ମା’ ଗୃହ ଚାଲିଛି। ଡିଏମଏଫ ଆର୍ଥିକ ସହାୟତାରେ ଆଉ ଅଧିକ ୦୯ଟି ମା’ ଗୃହ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ମା’ ଗୃହରେ ଗର୍ଭବତୀ ମହିଳାଙ୍କୁ ପୁଷ୍ଟିକର ଖାଦ୍ୟ ଦିଆଯିବା ସହିତ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି। ପ୍ରସବ ପରେ ମା’ମାନେ ଶିଶୁର ଯତ୍ନ କିପରି ନେବେ ସେ ସମ୍ପର୍କରେ ମଧ୍ୟ ସଚେତନ କରାଯାଉଚ୍ଛି ।ଗର୍ଭବତୀ ମହିଳାଙ୍କୁ ସମ୍ଭାବ୍ୟ ପ୍ରସବ ତାରିଖର କିଛିଦିନ ପୂର୍ବରୁ ତାଙ୍କ ଘରୁ ଆଣି ମା’ ଗୃହରେ ରଖିବା, ନିରାପଦ ପ୍ରସବ ପାଇଁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ପହଞ୍ଚାଇବାଠାରୁ ଆରମ୍ଭ କରି ପ୍ରସବ ପରେ ତାଙ୍କୁ ଘରେ ପହଞ୍ଚାଇବା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ୱ ମା’ ଗୃହ ନେଇଥାଏ। ହିତାଧିକାରୀମାନଙ୍କୁ ଏହି ସେବା ମାଗଣାରେ ପ୍ରଦାନ କରାଯାଉଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |