ଭୁବନେଶ୍ଵର, ୧୫/୦୩ : ବିଧାନସଭା ଆରମ୍ଭରୁ ଆଜି ଗୃହରେ ଅଚଳାବସ୍ଥା ଜାରି ରହିଥିଲା। ଉଭୟ ବିରୋଧୀ ଓ ଶାସକଙ୍କ ହୋହାଲ୍ଲାରେ ଚାଲିପାରିଲାନି ପ୍ରଶ୍ନକାଳ। ତେବେ ଏହାକୁ ନେଇ ବର୍ଷିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀ ପତି। ସେ କହିଛନ୍ତି ଯେ, ବିଜେପି ଓ ବିଜେଡି ସଲାସୁତୁରା ହୋଇ ଗୃହକୁ ବନ୍ଦ କରୁଛନ୍ତି। ବିଜେପି ଓ ବିଜେଡି ମଧ୍ୟରେ ଭିତିରିଆ ବୁଝାମଣା ରହିଛି। ଗରିବ ଲୋକଙ୍କ ଟିକସରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ଅଧିବେଶନ ହେଉଥିଲେ ମଧ୍ୟ ଗୃହ ଚାଲୁନାହିଁ। ତେଣୁ ବାଚସ୍ପତି ସର୍ବ ଦଳୀୟ ବୈଠକ ଡାକି ଏନେଇ ତୁରନ୍ତ ସମାଧାନ କରନ୍ତୁ।
ତାରା ପୁଣି କହିଛନ୍ତି ଯେ, ଧାନ କିଣିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କାର୍ଯ୍ୟ । ମଣ୍ଡିରୁ ଧାନ ଉଠିବା ନେଇ ମନ୍ତ୍ରୀ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହାକୁ କାର୍ଯ୍ୟକାରୀ କରୁନାହାନ୍ତି। ଦୁହେଁ କାର୍ଯ୍ୟ କରୁନାହାନ୍ତି ଦୋଷ ଲଦା ଲଦି ହୋଇ ଗୃହକୁ ଅଚଳ କରୁଛନ୍ତି । ଉଭୟ ପ୍ରୟାସ କରୁଛନ୍ତି ଯେମିତି ବିଧାନସଭା ନଚାଲୁ, ଚାଷୀଙ୍କ ଧାନ ନଉଠୁ । କେବଳ ଡ୍ରାମା କରୁଛନ୍ତି। ଚାଷୀ ଆତ୍ମହତ୍ୟା କରୁଛନ୍ତି, ନବୀନ ମୋଦି ହସୁଛନ୍ତି । ଯେଉଁ ପର୍ଯ୍ୟନ୍ତ ଚାଷୀଙ୍କ ଧାନ ଉଠିନି ସେପର୍ଯ୍ୟନ୍ତ କଂଗ୍ରେସ ଦଳ ବିଧାନସଭାରେ ବିରୋଧ କରିବ।ତାରା ଆହୁରି ମଧ୍ୟ କହିଛନ୍ତି ଯେ, ଗୃହରେ ବିଜେପି ବିଧାୟକ ଆତ୍ମହତ୍ୟା ଉଦ୍ୟମ କରିବା ଦୁଭାଗ୍ୟଜନକ। ଚାଷୀ ଆତ୍ମହତ୍ୟା କଲେଣି । ନବୀନ ବାବୁ ହସୁଛନ୍ତି । ସେପଟେ ଆଦାନୀ ଓ ଅମ୍ବାନୀଙ୍କ ଅର୍ଥ ବଢିଲେ ହସୁଛନ୍ତି ମୋଦି । ଲୋକଙ୍କ ସହ ସରକାର ବେଇମାନି କରିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |